ପୋଲିସ ଅପରାଧ ସ୍ଥଳରେ ଘଟଣାକୁ ରିକ୍ରିଏଟ୍ କରି ଅନୁସନ୍ଧାନ କରିବା ପାଇଁ ଚାରିଜଣଯାକ ଅଭିଯୁକ୍ତଙ୍କୁ ଗୁରୁବାର ମଧ୍ୟ ରାତ୍ରିରେ ସେହି ସ୍ଥାନକୁ ନେଇ ଯାଇଥିଲା । ଏହି ସମୟରେ ଚାରିଜଣଯାକ ଖସି ପଳେଇବାକୁ ଚେଷ୍ଟା କରିବାରୁ ପୋଲିସ ଉପାୟହୀନ ହୋଇ ଗୁଳି ଚଳେଇ ଥିଲା । ଏହି ଏନ୍କାଉଣ୍ଟର୍ ବେଙ୍ଗାଲୁରୁ-ହାଇଦ୍ରାବାଦ ଜାତୀୟ ରାଜପଥ ୪୪ରେ ଭୋର୍ ସାଢ଼େ ତିନିଟା ପାଖାପାଖି ଘଟିଥିଲା । ପ୍ରାଣୀ ଡାକ୍ତରାଣୀଙ୍କ ଜଳିଯାଇଥିବା ମୃତ ଦେହ ବି ଏଇ ହାଇୱେରେ ଗୋଟେ ଅଣ୍ଡରପାସ୍ ପାଖରେ ମିଳିଥିଲା । ନଭେମ୍ବର ୨୭-୨୮ ରାତିରେ ଡାକ୍ତରାଣୀଙ୍କୁ ଏଇ ଚାରିଜଣ ଯୁବକ ଗଣଦୁଷ୍କର୍ମ କରିବା ପରେ ନିଆଁରେ ଜଳେଇ ହତ୍ୟା କରିଥିଲେ । ଏହି ଏନ୍କାଉଣ୍ଟର୍କୁ ନେଇ ହାଇଦ୍ରାବାଦ ପୋଲିସର ଭୁରିଭୁରି ପ୍ରଶଂସା ହେଉଛି । ଲୋକେ ଏନ୍କାଉଣ୍ଟର୍ ସ୍ଥଳ ପହଞ୍ଚି ପୋଲିସ ଉପରେ ଫୁଲ ଫିଙ୍ଗୁଥିବାର ଦେଖିବାକୁ ମିଳିଛି । ଶମଶାବାଦର ଡିସିପି ପ୍ରକାଶ ରେଡ୍ଡୀ କହିଛନ୍ତି ଯେ ସାଇବରାବାଦ ପୋଲିସ ଚାରିଜଣଯାକ ଅଭିଯୁକ୍ତଙ୍କୁ ଗୁରୁବାର ମଧ୍ୟ ରାତ୍ରିରେ ଅପରାଧ ସ୍ଥଳରେ ଘଟଣାକୁ ରିକ୍ରିଏଟ୍ କରି ଅନୁସନ୍ଧାନ କରିବା ପାଇଁ ସେହି ସ୍ଥାନକୁ ନେଇ ଯାଇଥିଲା । ଏନ୍କାଉଣ୍ଟର୍ରେ ଚାରିଜଣଯାକ ଅଭିଯୁକ୍ତଙ୍କ ମୃତ୍ୟୁ ହୋଇଛି ବୋଲି ଜାଣି ପ୍ରାଣୀ ଡାକ୍ତରାଣୀଙ୍କ ପରିବାର ଭାରି ଖୁସି । ମୃତ ଡାକ୍ତରାଣୀଙ୍କ ବାପା କହିଛନ୍ତି ଯେ ଆଜି ତାଙ୍କ ଝିଅର ଆତ୍ମାକୁ ଶାନ୍ତି ମିଳିଥିବ । ଧର୍ଷଣର ଶିକାର ଅନ୍ୟ ଝିଅମାନଙ୍କ ମାମଲାରେ ଅଭିଯୁକ୍ତମାନଙ୍କୁ ଠିକ୍ ଏମିତି ସଜା ମିଳିବା ଉଚ଼ିତ ବୋଲି ସେ କହିଛନ୍ତି । ହାଇଦ୍ରାବାଦ ରେଳ ଷ୍ଟେଶନରୁ ୨୪ କି.ମି. ଦୂର ଶମ୍ଶାବାଦ୍ ଟୋଲ୍ ପ୍ଲାଜା ଅଛି, ଯେଉଁଠି ଡାକ୍ତରାଣୀଜଣକ ନିଜ ସ୍କୁଟି ଅଟକେଇଥିଲା । ପାଖରେ ଥିବା ଗୋଟେ ଖାଲି ପଡ଼ିଆରେ ତା’ ସହ ଗଣଦୁଷ୍କର୍ମ କରାଯାଇଥିଲା । ଘଟଣାସ୍ଥଳ ପାଖରେ ଅଛି ରାଜୀବ ଗାନ୍ଧୀ ଆନ୍ତର୍ଜାତୀୟ ଏୟାର୍ପୋର୍ଟ । ହାଇଦ୍ରାବାଦରେ ଡାକ୍ତରାଣୀଙ୍କ ସହ ଗଣଦୁଷ୍କର୍ମ କରି ତାଙ୍କୁ ହତ୍ୟା କରିଥିବା ଚାରିଜଣଯାକ ଅଭିଯୁକ୍ତଙ୍କର ପୋଲିସ ଏନକାଉଣ୍ଟରରେ ମୃତ୍ୟୁ ହେବା ଘଟଣା ଉପରେ ଭିନ୍ନଭିନ୍ନ ମତ ସାମନାକୁ ଆସୁଛି । ସମାଜର ଗୋଟେ ବଡ଼ ବର୍ଗ ହାଇଦ୍ରାବାଦ ପୋଲିସକୁ ପ୍ରଶଂସା କରୁଥିବା ବେଳେ ବେଶ୍ କିଛି ଲୋକ ଏଇ ଏନକାଉଁଟର ଉପରେ ପ୍ରଶ୍ନ ଚିହ୍ନ ବି ଉଠାଉଛନ୍ତି ।