ପରୀ ହତ୍ୟାକାଣ୍ଡ: ପୋଖରୀ ଶୁଖାଯିବା ପରେ ସେଥିରୁ ବାହାରିବ ପରୀ ପିନ୍ଧିଥିବା ଲେଗିଂସ୍
ନୟାଗଡ଼ ଜିଲ୍ଲା ଯଦୁପୁରର ବହୁଚର୍ଚ୍ଚିତ ନାବାଳିକା ପରୀ ହତ୍ୟାକାଣ୍ଡ ମାମଲାରେ ଏବ ବଡ଼ ପ୍ରମାଣ ମିଳିବାକୁ ଯାଉଛି ସେହି ଗାଁର ଏକ ପୋଖରୀ ଭିତରୁ । ପୋଖରୀରୁ ପାଣି ବାହାର କରିବା ଉଦ୍ୟମ ଓଡ୍ରାଫ୍ ଟିମ୍ ଜାରି ରଖିଛନ୍ତି ।

ଯଦୁପୁର ଗାଁରେ ଥିବା ଏକ ପରିତ୍ୟକ୍ତ ପୋଖରୀ ଉପରେ ଏବେ ସମସ୍ତଙ୍କ ନଜର ରହିଛି । ଏହି ପୋଖରୀ ଭିତରେ ଲୁଚି ରହିଛି ଜୁଲାଇ ମାସ ଘଟିଥିବା ଏକ ଜଘନ୍ୟ ହତ୍ୟାର ଏକ ପ୍ରମାଣ ।

ପରୀକୁ ହତ୍ୟା କରି ତା’ ଶବ ସହ ବଳାତ୍କାର ଉଦ୍ଯମ କରିଥିବା ସେହି ଗାଁର ଅଭିଯୁକ୍ତ ଯୁବକ ଝିଅଟିର ଲେଗିଂକୁ ସେହି ପୋଖରୀ ଭିତରେ ଫିଙ୍ଗି ଦେଇଥିଲା

ପାଞ୍ଚ ବର୍ଷୀୟା ଝିଅଟିର ଜଘନ୍ୟ ହତ୍ୟା ରହସ୍ୟ ଉଦ୍ଭେଦନ କରିଥିବା SITର ମୁଖ୍ୟ IPS ଅଫିସର୍ ଅରୁଣ ବୋଥ୍ରା ଏହି ଘଟଣା ବିଷୟରେ ଚାଞ୍ଚଲ୍ୟକର ତଥ୍ୟ ଦେଇଛନ୍ତି ।

ପରୀ ଉପରେ ଲୋଲୁପ ଦୃଷ୍ଟି ପକେଇଥିବା ସରୋଜ ସେଠୀକୁ ଜାମୁ କୋଳି ମାଗିବାକୁ ପରୀ ତା’ ଘରକୁ ଆସିବା ଯୋଗୁଁ ଏକ ସୁଯୋଗ ମିଳିଯାଇଥିଲା । ଝିଅଟିକୁ ନିଜ ଘର ଭିତରକୁ ନେଇଯିବା ପରେ ସେ ପିନ୍ଧିଥିବା ଫ୍ରକ୍ ଓ ଲେଗିଂ ଖୋଲିଦେଇଥିଲା ।

ଏତିକି ବେଳେ ପରୀ ପାଟି କରି କାନ୍ଦିବାରୁ ସରୋଜ ତା’ ତଣ୍ଟି ଚିପି ତାକୁ ହତ୍ୟା କରିଥିଲା । ତା’ ପରେ ତା’ ଶବ ସହ ଦୁଷ୍କର୍ମ ଉଦ୍ୟମ କରିଥିଲା, ହେଲେ ତୁରନ୍ତ ସେଥିରୁ ନିବୃତ ହୋଇଥିଲା ।

ତା’ପରେ ପରୀର ମୃତ ଦେହକୁ ସରୋଜ ଏର ଝୋଟ ଅଖାରେ ପୂରେଇଥିଲା । ସେଥିରେ ପରୀର ଫ୍ରକ୍ ବି ପୂରେଇଥିଲା । ସେହି ଅଖାର ମୁହଁ ବାନ୍ଧି ତାକୁ ନେଇ ନିକଟସ୍ଥ ଏକ ପରିତ୍ୟକ୍ତ ପୋଖରୀ ହୁଡ଼ାରେ ଥିବା ବୁଦା ଭିତରେ ଫିଙ୍ଗିଦେଇଥିଲା ।

ସରୋଜ ପରେ ଜାଣିଥିଲା ଯେ ପରୀର ଲେଗିଂ ରହିଯାଇଛି । ତେଣୁ ସେ ଲେଗିଂଟିକୁ ନେଇ ସେହି ପୋଖରୀ ଭିତରେ ଫିଙ୍ଗି ଦେଇଥିଲା ବୋଲି ସ୍ୱୀକାର କରିଥିବା କହିଛନ୍ତି ଅରୁଣ ବୋଥ୍ରା ।

ସେହି ପୋଖରୀ ଭିତରୁ ପରୀର ଲେଗିଂ ମିଳିବ ବୋଲି ଆଶା କରାଯାଉଛି । ଏହା ମିଳିଲେ ଅଭିଯୁକ୍ତ ସରୋଜ ସେଠୀର କଥିତ ସ୍ୱୀକାରୋକ୍ତି ସତ୍ୟ ବୋଲି ଜଣାପଡ଼ିବ ଓ ଏହା SIT ତଦନ୍ତକୁ ଆହୁରି ବଳିଷ୍ଠ କରିବ ।

ଜୁଲାଇ ମାସ ୧୪ ତାରିଖରେ ପରୀ ହଠାତ୍ ନିଖୋଜ ହୋଇଯାଇଥିଲା ଓ ତା’ ଗଳିତ ମୃତ ଦେହ ସେହି ପୋଖରୀ ହୁଡ଼ାରେ ଏକ ଅଖା ଭିତରେ ଜୁଲାଇ ୨୩ ତାରିଖ ଦିନ ମିଳିଥିଲା ।

ପରୀର ପିତାମାତା ଅଶୋକ ସାହୁ ଓ ସୌଦାମିନୀ ସାହୁ ଅଭିଯୋଗ କରିଛନ୍ତି ଯେ ପରୀର ଅଙ୍ଗ ଚୋରି ପାଇଁ ତାକୁ ହତ୍ୟା କରାଯାଇଛି ।