ବଡ଼ ଧରଣର ସ୍ଥାନାନ୍ତରଣ କାର୍ଯ୍ୟ ହୋଇଥିଲା। ବାତ୍ୟା ୟାସ୍ ଆସିବା ପୂର୍ବରୁ ରାଜ୍ୟର ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକର ସମୂଦ୍ରକୂଳିଆ ଓ ତଳି ଅଞ୍ଚଳରୁ ବଡ଼ ଆକାରରେ ଲୋକଙ୍କୁ ସ୍ଥାନାନ୍ତର କରାଯାଇଥିଲା । ମଙ୍ଗଳବାର ରାତି ୧୦ଟା ସୁଦ୍ଧା ଅଧିକ ପ୍ରଭାବିତ ହେବାକୁ ଥିବା ଜିଲ୍ଲାରୁ ୫ ଲକ୍ଷରୁ ଅଧିକ ଲୋକଙ୍କୁ ସ୍ଥାନାନ୍ତର କରାଯାଇଥିଲା । ବାଲେଶ୍ବରରୁ ସର୍ବାଧିକ ୧ ଲକ୍ଷ ୪୩ ହଜାର ଲୋକଙ୍କୁ ସ୍ଥାନାନ୍ତର କରାଯାଇଥିବା ବେଳେ ଭଦ୍ରକରୁ ୯୪ ହଜାର ଲୋକଙ୍କୁ ସ୍ଥାନାନ୍ତରିତ କରାଯାଇଛି । ମୟୂରଭଞ୍ଜରେ ୪୩,୫୦୦ ଲୋକ, ଜଗତସିଂହପୁରରେ ୨୧ ହଜାର, କଟକରେ ୧୫,୫୦୦ ଲୋକ, ପୁରୀ ଜିଲ୍ଲାରେ ୧୪ ହଜାର ଓ କେନ୍ଦୁଝରରେ ୧୦ ହଜାର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନେଇଛି ପ୍ରଶାସନ । ରାତି ୧୦ଟା ପରେ ବି କେତେକ ସ୍ଥାନରେ ସ୍ଥାନାନ୍ତରଣ ଜାରି ରହିଥିଲା ବୋଲି କହିଛନ୍ତି SRC ପ୍ରଦୀପ ଜେନା । ଜଣେ ୯୧ ବର୍ଷୀୟା ବୃଦ୍ଧାଙ୍କୁ ତାଙ୍କ ଘରୁ ବାହାର କରି ଏକ ଝୁଲାରେ ବସାଇ ସୁରକ୍ଷିତ ସ୍ଥାନକୁ ନେଇଥିଲା ପୋଲିସ । ବୃଦ୍ଧା ଚାଲିବାକୁ ଅକ୍ଷମ ଥିଲେ । ତାଙ୍କୁ ସୁରକ୍ଷିତ ବାହାରକୁ ଆଣିଥିବାରୁ ତାଳଚୁଆ ସାମୁଦ୍ରିକ ଥାନାର ଅଧିକାରୀ ଶ୍ରୀକାନ୍ତ ବାରିକଙ୍କୁ ପ୍ରଶଂସା ମିଳିଛି । ଜଗତସିଂହପୁର ଜିଲ୍ଲାରେ ଜଣେ ହୃଦୟ ରୋଗୀଙ୍କୁ ପୋଲିସ କର୍ମୀମାନେ ନିଜ ହାତରେ ଟେକି ବାହାରକୁ ଆଣିଥିଲେ ଓ ଆଶ୍ରୟ ସ୍ଥଳୀକୁ ନେଇଥିଲେ । ଏଥି ପାଇଁ ଅଭୟଚାନ୍ଦପୁର ଥାନାର ଅଧିକାରୀ ଯୁଗଳ ଦାସଙ୍କୁ ପ୍ରଶଂସା ମିଳିଛି । ଭଦ୍ରକ ଜିଲ୍ଲାର ଚାନ୍ଦବାଲିରେ ମହିଳା ପୋଲିସ କର୍ମୀମାନେ ଏକ ନବଜାତ ଶିଶୁକୁ ତା’ ମା’ ସହ ଘରୁ ବାହାରକୁ ଆଣି ଆଶ୍ରୟ ସ୍ଥଳୀକୁ ନେଉଛନ୍ତି । ଉଭୟ ନବଜାତ ଶିଶୁ ଓ ତା’ ମା’ ଭଲ ଅଛନ୍ତି । ଏକ ଅସୁସ୍ଥ ପିଲାକୁ ପୋଲିସ କର୍ମୀମାନେ ତା’ ଘରୁ ବାହାରକୁ ଆଣୁଛନ୍ତି । ମୁଖ୍ୟ ମନ୍ତ୍ରୀ ଏହି ଫଟୋକୁ ଟ୍ୱିଟ୍ କରି ଲୋକଙ୍କୁ ସ୍ଥାନାନ୍ତର କରିବା କାର୍ଯ୍ୟର ପ୍ରଶଂସା କରିଛନ୍ତି । ତିହିଡ଼ିର ଗୁଆମାଳରେ ଜଣେ ରୋଗୀଙ୍କୁ ତାଙ୍କ ଘରୁ ସରପଞ୍ଚଙ୍କ ସହାୟତାରେ ବାତ୍ୟା ଆଶ୍ରୟସ୍ଥଳୀକୁ ନିଆଯାଉଛି । କୁଜଙ୍ଗରେ ଜଣେ ଅସୁସ୍ଥ ମହିଳାଙ୍କୁ ଜଣେ ପୋଲିସ କର୍ମୀ ତାଙ୍କ ଘରୁ ବାହାରକୁ ଆଣି ବାତ୍ୟା ଆଶ୍ରୟ ସ୍ଥଳୀକୁ ନେଉଛନ୍ତି । ଓଡ଼ିଶା ପୋଲିସର ଆଇ.ଜି. ଅମିତାଭ ଠାକୁର ଜଗତସିଂହପୁର ଜିଲ୍ଲାର ବିଭିନ୍ନ ସ୍ଥାନ ବୁଲି ଲୋକଙ୍କୁ ସମୁଦ୍ରକୂଳିଆ ଓ ତଳିଆ ଅଞ୍ଚଳରୁ ସ୍ଥାନାନ୍ତର କାର୍ଯ୍ୟର ତଦାରଖ କରିଥିଲେ । ମଙ୍ଗଳବାର ମଧ୍ୟ ରାତ୍ରି ସୁଦ୍ଧା ବାତ୍ୟା ୟାସ୍ ବାଲେଶ୍ବରଠୁ ୨୦୦ କିମି ଓ ପଶ୍ଚିମ ବଙ୍ଗର ଦୀଘାଠୁ ୧୮୦ କିମି ଦୂରରେ ରହିଥିଲା । ମଙ୍ଗଳବାର ସନ୍ଧ୍ୟା ସୁଦ୍ଧା ଅତି ଭୟଙ୍କର ସାମୁଦ୍ରିକ ଘୂର୍ଣ୍ଣିଝଡ଼ର ରୂପ ନେଇସାରିଛି ବାତ୍ୟା ୟାସ୍ । ଏହା ଛଅ ଘଣ୍ଟା ଧରି ଘଣ୍ଟାକୁ ୧୩ କିମି ବେଗରେ ସ୍ଥଳ ଭାଗ ଆଡକୁ ଗତି କରୁଥିଲା । ‘‘ପ୍ରତିଟି ଜୀବନ ଆମ ପାଇଁ ମୁଲ୍ୟବାନ,’’ କହିଛନ୍ତି ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ।