ଗତକାଲି ଗଞ୍ଜାମ ବ୍ଳକ ପୋଡ଼ମପେଟା ଗାଁ ନିକଟସ୍ଥ ସମୁଦ୍ର ବେଳାଭୂମିରେ ସକାଳ ସମୟରେ ଗଣଅଣ୍ଡାଦାନ ଆରମ୍ଭ ହୋଇଛି । ସକାଳ ସମୟରେ ପ୍ରାୟ ୫୦ ହଜାରରୁ ଅଧିକ କଇଁଛ ଗଣ ଅଣ୍ଡାଦାନ କରିଥିଲେ । ଏହାପରେ ବିଳମ୍ବିତ ରାତିରେ ପ୍ରାୟ ୧ ଲକ୍ଷ ୩୪ ହଜାରରୁ ଅଧିକ କଇଁଛ ଗଣ ଅଣ୍ଡାଦାନ କରିଥିଲେ । ଯାହାଫଳରେ ଗୋଟିଏ ଦିନରେ ହିଁ ୧ ଲକ୍ଷ ୮୪ ହଜାର କଇଁଛ ବେଳାଭୂମିରେ ଗଣ ଅଣ୍ଡାଦାନ କରିଛନ୍ତି ।
ଯଦିଓ ପୂର୍ବରୁ ଆଶିଂକ ଭାବେ କିଛି କଇଁଛ ଋଷିକୂଲ୍ୟା ମୁହାଣକୁ ଆସି ଅଣ୍ଡାଦାନ କରୁଥିଲେ ଆଉ ଏହାର କିଛି ଦିନ ପରେ ଗଣ ଅଣ୍ଡାଦାନ ହେଉଥିଲା । କିନ୍ତୁ ଚଳିତ ବର୍ଷ ଏଥିରେ ବ୍ୟତିକ୍ରମ ଦେଖିବାକୁ ମିଳିଛି । ମାତ୍ର କିଛି ଅଳ୍ପ ଦିନର ବ୍ୟବଧାନରେ ପ୍ରାୟ ୩୦ ବର୍ଷର ବ୍ୟବଧାନ ପରେ ପ୍ରଥମ ଦିନରେ ହିଁ ଗଣ ଅଣ୍ଡାଦାନ ହୋଇଛି । କିଭଳି ସୁରକ୍ଷିତ ଭାବେ କଇଁଛମାନେ ଗଣ ଅଣ୍ଡାଦାନ କରିବେ ସେ ନେଇ ବନବିଭାଗ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି ।
ଏହି ଗଣ ଅଣ୍ଡାଦାନ ପ୍ରାୟ ୭ ରୁ ୮ ଦିନ ଧରି ଲାଗିରହିବ । ଏହା ଉପରେ ତୀକ୍ଷ୍ନ ନଜର ରଖାଯାଇଥିବା ସୂଚନା ଦେଇଛନ୍ତି,‘‘ ବ୍ରହ୍ମପୁର ଡ଼ିଏଫଓ ଅମ୍ଲାନ ନାୟକ । କଇଁଛଙ୍କ ଗଣ ଅଣ୍ଡାଦାନ ଆରମ୍ଭ ହୋଇଥିବା ନେଇ ଜାଣିବା ପରେ ଗୋପାଳପୁର ସ୍ଥିତ ଜୁଲୋଜିକାଲ ସର୍ଭେ ଅଫ ଇଣ୍ଡିଆ ପକ୍ଷରୁ ଟେଙ୍ଗିଂ ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଯାଇଛି । ଜୁଲୋଜିକାଲ ସର୍ଭେ ଅଫ ଇଣ୍ଡିଆର ୧୫ ଜଣିଆ ଟିମ ଋଷିକୂଲ୍ୟା ମୁହାଣରେ ପହଞ୍ଚିଛନ୍ତି । କଇଁଛଙ୍କ ଚଳପ୍ରଚଳ ଉପରେ ସମ୍ପୂର୍ଣ୍ଣ ରୂପେ ଧ୍ୟାନ ଦିଆଯାଉଛି । ଗତ ବର୍ଷ ମାନଙ୍କରେ ଯେଉଁ କଇଁଛମାନଙ୍କୁ ଟେଙ୍ଗିଂ କରାଯାଇଥିଲା ସେମାନେ ପୁଣି ଥରେ ଅଣ୍ଡା ଦେବାକୁ ଆସୁଛନ୍ତି କି ନାହିଁ ତାହାର ତଦାରଖ କରାଯାଉଛି ।
‘‘ଗତକାଲି ପୂର୍ବରୁ ଟେଙ୍ଗିଂ ହୋଇଥିବା ଅନେକ କଇଁଛ ପୁଣିଥରେ ଅଣ୍ଡା ଦେବାକୁ ଆସିଥିବା ଦେଖିବାକୁ ମିଳିଛି । ଏଥିସହ ଅନେକ ନୂଆ କଇଁଛ ମଧ୍ୟ ଅଣ୍ଡା ଦେବାକୁ ଆସିଛନ୍ତି । ନୂତନ ଭାବେ ଆସିଥିବା କଇଁଛ ମାନଙ୍କୁ ଟେଙ୍ଗିଂ କରାଯାଉଛି । ଗତ ଦୁଇ ବର୍ଷ ମଧ୍ୟରେ ୮ ହଜାର ୫ଶହ କଇଁଛଙ୍କୁ ଟେଙ୍ଗିଂ କରାଯାଇଥିଲା । ଚଳିତ ବର୍ଷ ମଧ୍ୟ ୫ ହଜାରରୁ ୭ ହଜାର ପର୍ଯ୍ୟନ୍ତ କଇଁଛଙ୍କୁ ଟେଙ୍ଗିଂ କରାଯିବା ନେଇ ଲକ୍ଷ୍ୟ ରଖାଯାଇଥିବା କହିଛନ୍ତି,‘‘ ଜୁଲୋଜିକାଲ ସର୍ଭେ ଅଫ ଇଣ୍ଡିଆର ବୈଜ୍ଞାନିକ ଡ଼.ଅନୀଲ ମହାପାତ୍ର ।
ଏହି ବିରଳ ପ୍ରଜାତିର ଅଲିଭ ରିଡ଼ଲେ କଇଁଛଙ୍କ ଗଣ ଅଣ୍ଡାଦାନ ଓଡ଼ିଶାର କେନ୍ଦ୍ରପଡ଼ାର ଗହୀରମଥା, ପୁରୀର ଦେବୀ ମୁହାଣ ଓ ଋଷିକୂଲ୍ୟା ମୁହାଣରେ ହୋଇଥାଏ । ବର୍ତ୍ତମାନ ସୁଦ୍ଧା ଗହୀରମଥା ଓ ଦେବୀ ମୁହାଣରେ ଅଣ୍ଡାଦାନ ପ୍ରକ୍ରିୟା ହୋଇନଥିବା ବେଳେ ଋଷିକୂଲ୍ୟା ମୁହାଣରେ ଗଣ ଅଣ୍ଡାଦାନ ଆରମ୍ଭ ହୋଇଛି । ନୀଳ ଜଳରାଶିରୁ ସମୁଦ୍ର ବେଳାଭୂମିକୁ କଇଁଛମାନେ ଉଠିଆସି ବାଲିରେ ପ୍ରାୟ ଦେଢ଼ ଫୁଟ ପର୍ଯ୍ୟନ୍ତ ତଳକୁ ଗାତ କରି ସେଠାରେ ଅଣ୍ଡା ଦେଇଥାନ୍ତି ।
ଗୋଟିଏ କଇଁଛ ପ୍ରାୟ ୧୦୦ ରୁ ୧୬୦ ପର୍ଯ୍ୟନ୍ତ ଅଣ୍ଡା ଦେଇଥାନ୍ତି । ଅଣ୍ଡା ଦେବା ପରେ ତାହାକୁ ବାଲିରେ ପୁଣି ଘୋଡ଼ାଇଦେଇ ସମୁଦ୍ର ମଧ୍ୟକୁ ଚାଲିଯାଇଥାନ୍ତି । ୫୦ରୁ ୬୦ ଦିନ ପରେ ସୂର୍ଯ୍ୟଙ୍କ କିରଣ ବାଲିରେ ପଡ଼ି ଆଦ୍ରତା ପାଇବା ଫଳରେ ସୁରକ୍ଷିତ ଭାବେ ଅଣ୍ଡାରୁ ଛୁଆ ଫୁଟିଥାନ୍ତି । ଅଣ୍ଡାରୁ ବାହାରିବା ପରେ ସମୁଦ୍ରକୁ ଚାଲିଯାଇଥାନ୍ତି ଶାବକ କଇଁଛମାନେ । ଏହି ସମସ୍ତ ପ୍ରକ୍ରିୟାରେ ସହଯୋଗ କରିଥାନ୍ତି ସ୍ଥାନୀୟ ବାସିନ୍ଦା, ମତ୍ସ୍ୟଜୀବୀ, କିଛି ସ୍ୱେଚ୍ଛାସେବୀ ସଙ୍ଗଠନ ଓ ପରିବେଶବିତ । ଚଳିତ ବର୍ଷ ପାଣିପାଗ ଭଲ ରହିଥିବା ବେଳେ ସେହି ପରିମାଣରେ କଇଁଛଙ୍କ ଆଗମନ ବଢ଼ିଛି । ଯାହାକୁ ନେଇ ବନବିଭାଗ, ପରିବେଶବିତ୍, ସ୍ୱେଚ୍ଛାସେବୀ ସଙ୍ଗଠନ ଓ ସ୍ଥାନୀୟ ବାସିନ୍ଦାଙ୍କ ମଧ୍ୟରେ ଦେଖିବାକୁ ମିଳିଛି ଖୁସୀର ମାହୋଲ ।