ଆଦିବାସୀଙ୍କ ଜୀବନ ଓ କଳା ବିଷୟରେ ଜାଣିବାକୁ ଚାହାଁନ୍ତି? ଭୁବନେଶ୍ବରରେ ଚାଲିଥିବା ମେଳାକୁ ଆସନ୍ତୁ
ଆଦିବାସୀ ପଡ଼ିଆରେ ଆରମ୍ଭ ହୋଇଥିବା ୬୭ତମ ଆଦିବାସୀ ମେଳାକୁ ନେଇ ଭାରି ଉତ୍ସାହିତ ରାଜ୍ୟ ଏସ୍.ସି.-ଏସ୍.ଟି. ବିଭାଗର ନିର୍ଦ୍ଦେଶିକା ଗୁହା ପୁନମ ତାପସ କୁମାର । ସେ ଏକ ଭିଡିଓ ଜାରି କରି ଲୋକଙ୍କୁ ଏହି ମେଳାକୁ ବୁଲିବାକୁ ଆସିବାକୁ ଅନୁରୋଧ କରିଛନ୍ତି ।

ଭୁବନେଶ୍ବରରେ ୟୁନିଟ-1 ସ୍ଥିତ ଆଦିବାସୀ ପଡ଼ିଆରେ ଆରମ୍ଭ ହୋଇଛି ରାଜ୍ୟର ୬୭ତମ ଆଦିବାସୀ ମେଳା । ଏହି ମେଳାକୁ ଭର୍ଚ୍ଚୁଆଲ ମାଧ୍ୟମରେ ଉଦଘାଟନ କରିଛନ୍ତି ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ । (ଫଟୋରେ ଡାହାଣ ପଟେ ଏସ୍.ସି.-ଏସ୍.ଟି. ବିଭାଗର ନିର୍ଦ୍ଦେଶିକା ଗୁହା ପୁନମ ତାପସ କୁମାର)

ରାଜ୍ୟ ଏସ୍.ସି.-ଏସ୍.ଟି. ବିଭାଗର ନିର୍ଦ୍ଦେଶିକା ଗୁହା ପୁନମ ତାପସ କୁମାର ଆଦିବାସୀ ମେଳାକୁ ନେଇ ଭାରି ଉତ୍ସାହିତ । ସେ ଏକ ଭିଡିଓ ଜାରି କରି ମେଳା ବିଷୟରେ କହିଛନ୍ତି ଓ ଲୋକଙ୍କୁ ଏହି ମେଳାକୁ ବୁଲିବାକୁ ଆସିବାକୁ ଅନୁରୋଧ କରିଛନ୍ତି ।

ଭର୍ଚ୍ଚୁଆଲ ମୋଡ଼ରେ ବି ମେଳା ପରିଦର୍ଶନ ସହ ସାମଗ୍ରୀ କିଣି ପାରିବେ ଆପଣ । କିନ୍ତୁ ମେଳାରେ ବୁଲି ବୁଲି ଦେଖିବା ଓ କିଣାକିଣି କରିବାର ମଜା ଟିକେ ଅଲଗା ।

କୋଭିଡ କଟକଣା ଭିତରେ ଆଦିବାସୀ ମେଳା ଆରମ୍ଭ ହୋଇଥିବାରୁ ଏକ ସମୟରେ ୧,୫୦୦ରୁ ଅଧିକ ଦର୍ଶକ ମେଳା ସ୍ଥଳରେ ରହିପାରିବେନି ବୋଲି ନିୟମ ହୋଇଛି । ପ୍ରତି ଦିନ ୭ରୁ ୮ ହଜାର ଲୋକଙ୍କୁ ପ୍ରତି ଘଣ୍ଟାରେ ପର୍ଯ୍ୟାୟକ୍ରମେ ଭିତରକୁ ଯିବାକୁ ମିଳିବ ଅନୁମତି ।

ମେଳାରେ ଏ ଥର ଆଦିବାସୀ ସାମଗ୍ରୀ ବିକ୍ରିବଟା ପାଇଁ ୨୨ଟି ଆଇଟିଡିଏ ଓ ୧୭ଟି ମାଇକ୍ରୋ ପ୍ରୋଜେକ୍ଟ ସାମିଲ ହୋଇଛନ୍ତି । ମେଳାରେ ସ୍ଥାନ ପାଇଛି ୯୦ଟି ଷ୍ଟଲ ।

ବିଶେଷ କରି ଆଦିବାସୀ ଜନ ଜାତି ଓ ସ୍ଵଂୟ ସହାୟିକା ଗୋଷ୍ଠୀର ମହିଳାମାନଙ୍କ ଦ୍ଵାରା ଉତ୍ପାଦିତ ସାମଗ୍ରୀ ବିକ୍ରି କରାଯାଉଛି ।

ମେଳା ବୁଲିବା ପାଇଁ ପଞ୍ଜୀକରଣ ବାଧ୍ୟତାମୂଳକ ହୋଇଛି । ଏଥି ପାଇଁ ସରକାର ଏକ ସ୍ବତନ୍ତ୍ର ପୋର୍ଟାଲ www.adivasimela2021.com ଖୋଲିଛନ୍ତି । ସେଥିରେ ପଞ୍ଜୀକରଣ କରିବା ଖୁବ୍ ସହଜ ।

ଉଭୟ ଅନଲାଇନ ଓ ଅଫଲାଇନରେ ପଞ୍ଜିକରଣ କରିପାରିବେ ଲୋକେ । ମେଳାର ପ୍ରଥମ ଦିନରେ ଦର୍ଶକଙ୍କ ଭିଡ଼ ଦେଖିବାକୁ ମିଳିଥିଲା ।