ଉତ୍କଳୀୟ ନୌବାଣିଜ୍ୟ ପରମ୍ପରାର ସ୍ମତିଚାରଣ କରିବା ପାଇଁ ରାଜ୍ୟର ବିଭିନ୍ନ ସ୍ଥାନରେ ବୋଇତ ବନ୍ଦାଣ ଉତ୍ସବ ପାଳିତ ହୋଇଯାଇଛି । ନୌବାଣିଜ୍ୟର ଏକ ପ୍ରମୁଖ ସ୍ଥାନ କଟକର ଗଡ଼ଗଡି଼ଆ ଘାଟରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଏହି ଉତ୍ସବକୁ ପାଳନ କରିଥିଲେ ଆବାଳ ବୃଦ୍ଧ ବନିତା । ଭୁବନେଶ୍ୱର, କଟକ, ପୁରୀ, ବାଲେଶ୍ୱର, ଭଦ୍ରକ, ସମ୍ବଲପୁର, କୋରାପୁଟ, ବଲାଙ୍ଗୀର ଓ କଳାହାଣ୍ଡି ସମେତ ଓଡ଼ିଶାର କୋଣାନୁକୋଣରେ ପାଳିତ ହୋଇଛି ବୋଇତ ବନ୍ଦାଣ । ବିଭିନ୍ନ ବେଳାଭୂମିରେ, ଯଥା ପୁରୀ, ଗୋପାଳପୁର ଓ ଚାନ୍ଦିପୁରରେ, ହଜାର ହଜାର ଲୋକେ ଡଙ୍ଗା ଭସେଇଥିଲେ । ଭୋର ୩ଟାରୁ ଲୋକାରଣ୍ୟ ହୋଇଯାଇଥିଲା ବିଭିନ୍ନ ନଦୀ ଓ ପୁଷ୍କରିଣୀର ଘାଟ । ବିଭିନ୍ନ ପ୍ରକାର ହାତତିଆରି ବୋଇତ ବା ଡଙ୍ଗା ସହ ସେଥିରେ ପାନ, ଗୁଆ, ଅରୁଆ ଚାଉଳ, ଦୁବ, ଫୁଲ ଓ ଦୀପ ରଖି ଜଳାଶୟମାନଙ୍କରେ ଭଷାଇଥିଲେ ଲୋକେ । ଧର୍ମ ମାସ କାର୍ତ୍ତିକର ପୂର୍ଣ୍ଣିମାରେ ବୋଇତ ବନ୍ଦାଣ କଲେ ପୂଣ୍ୟ ଅର୍ଜନ ହୋଇଯାଏ ବୋଲି ମଧ୍ୟ ବିଶ୍ବାସ ରହିଛି । ପବିତ୍ର କାର୍ତ୍ତିକ ପୂର୍ଣ୍ଣମୀ ଅବସରରେ ଡଙ୍ଗା ଭସେଇବା ସହିତ ଜଳାଶୟରେ ସ୍ନାନ କରିବା ସହ ଦେବ ଦର୍ଶନ ମଧ୍ୟ କରିଥିଲେ ଲୋକେ।