Happy Birthday ବର୍ଷା ପ୍ରିୟଦର୍ଶନୀ! ତାଙ୍କ ଫ୍ୟାନ୍ମାନେ ନିଆରା ଢଙ୍ଗରେ ପାଳନ କଲେ ଏହି ଶୁଭ ଦିନକୁ
ଆଜି ୩୬ ବର୍ଷରେ ପାଦ ରଖିଛନ୍ତି ଓଲିଉଡ୍ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶନୀ । ତାଙ୍କ ପ୍ରଶଂସକମାନେ ତାଙ୍କୁ ଅଜସ୍ର ଶୁଭେଚ୍ଛା ଜଣାଇବା ସହ ଗରିବ ଲୋକଙ୍କୁ ଖାଦ୍ୟ ପ୍ୟାକେଟ ଓ ମାସ୍କ ବାଣ୍ଟି ନିଆରା ଢ଼ଙ୍ଗରେ ପାଳିଛନ୍ତି ତାଙ୍କ ଜନ୍ମ ଦିନ ।

ଓଲିଉଡ଼ର ଲୋକପ୍ରିୟ ଚୁଲବୁଲି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶନୀଙ୍କର ଆଜି ଜନ୍ମଦିନ । ସେ ୭ ଅଗଷ୍ଟ ୧୯୮୪ ମସିହାରେ ଓଡ଼ିଶାର କଟକରେ ଜନ୍ମ ଗ୍ରହଣ କରିଥିଲେ । ସେ ପ୍ରଖ୍ୟାତ ଓଡ଼ିଆ ସିନେ ଅଭିନେତା ତଥା ଏମ୍.ପି. ଅନୁଭବ ମହାନ୍ତିଙ୍କ ଧର୍ମପତ୍ନୀ ।

ନିଜ ନିଚ୍ଛକ ଓ ନିଆରା ଅଭିନୟ ଦ୍ୱାରା ବର୍ଷା ଓଲିଉଡ଼ର ଜଣେ ସ୍ୱନାମଧନ୍ୟ ଅଭିନେତ୍ରୀ ହୋଇଛନ୍ତି । ତାଙ୍କର ଲକ୍ଷ ଲକ୍ଷ ପ୍ରଶଂସକ ତାଙ୍କ ଜନ୍ମ ଦିନକୁ ଖୁବ୍ ଶ୍ରଦ୍ଧାରେ ପାଳନ କରିଛନ୍ତି ।

ଅନେକ ବଙ୍ଗଳା ଓ ଓଡ଼ିଆ ଫିଲ୍ମରେ ଅଭିନୟ କରି ଲୋକପ୍ରିୟ ହୋଇଥିବା ବର୍ଷା ପ୍ରିୟଦର୍ଶନୀ ନିଜ ଫିଲ୍ମ କରିୟର ବଙ୍ଗଳା ଫିଲ୍ମ 'ବାଜି' ରୁ ଆରମ୍ଭ କରିଥିଲେ । ୨୦୦୩ ମସିହାରେ ହର ପଟ୍ଟନାୟକଙ୍କ ନିର୍ଦ୍ଦେଶିତ 'ଏ ଯୁଗର କୃଷ୍ଣ ସୁଦାମା' ଫିଲ୍ମ ମାଧ୍ୟମରେ ସେ ଓଲିଉଡ଼ରେ ଡେବ୍ୟୁ କରିଥିଲେ । ଏହି ଫିଲ୍ମଟି ସେ ସମୟରେ ସୁପରହିଟ୍ ହୋଇଥିଲା ।

'ଏ ଯୁଗର କୃଷ୍ଣ ସୁଦାମା' ଫିଲ୍ମ ପରେ ଆଉ ପଛକୁ ଫେରି ଚାହିଁ ନାହାନ୍ତି ବର୍ଷା । ଗୋଟିଏ ପରେ ଗୋଟିଏ ହିଟ୍ ଫିଲ୍ମ ଦେଇ ସେ ଓଡ଼ିଆ ସିନେପ୍ରେମୀଙ୍କ ମନ ଜିତିପାରିଛନ୍ତି ।

ବର୍ଷାଙ୍କ ସୁପରହିଟ୍ ଫିଲ୍ମ ମଧ୍ୟରେ ଅଛି 'ସୁନା ଚଢ଼େଇ ମୋ’ ରୂପ ଚଢ଼େଇ', 'ବାଳୁଙ୍ଗା ଟୋକା', 'ମୋ ଦୁନିଆ ତୁ ହିଁ ତୁ', 'ହାତ ଧରି ଚାଲୁଥା', 'ରୋମିଓ ଜୁଲିଏଟ୍', 'ନିମକି', 'ସମଥିଙ୍ଗ ସମଥିଙ୍ଗ' ଓ 'ମ୍ୟାଟ୍ରିକ ଫେଲ୍' ।

ବର୍ଷା ୮ ଫେବୁଆରୀ ୨୦୧୪ରେ ଓଲିଉଡ୍ ଅଭିନେତା ତଥା ଆଜିର କେନ୍ଦ୍ରାପଡା ଏମ୍.ପି. ଅନୁଭବ ମହାନ୍ତିଙ୍କୁ ବିବାହ କରିଥିଲେ ।

ଜନ୍ମ ଦିନରେ ବର୍ଷାଙ୍କ ପ୍ରଶଂସକମାନେ ତାଙ୍କୁ ଶୁଭେଚ୍ଛା ଜଣାଇବା ସହ ଗରିବ ଲୋକମାନଙ୍କୁ ଖାଦ୍ୟ ପ୍ୟାକେଟ ବାଣ୍ଟିଛନ୍ତି ଓ ଏହାର ଏକ ଭିଡିଓ ସୋସିଆଲ ମିଡ଼ିଆରେ ସେୟାର କରିଛନ୍ତି । ଏଥି ପାଇଁ ବର୍ଷା ପ୍ରିୟଦର୍ଶନୀ ତାଙ୍କ ପ୍ରଶଂସକମାନଙ୍କୁ ଧନ୍ୟବାଦ ଦେଇଛନ୍ତି ।