ମହାନ ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବମୁଖର ହୋଇଉଠିଛି ସାରା ପଶ୍ଚିମ ଓଡ଼ିଶା । ପଶ୍ଚିମ ଓଡ଼ିଶାରେ ଘରେ ଘରେ ପ୍ରସ୍ତୁତ ହୋଇଛି ପିଠା, ମିଠା ଓ ସୁଆଦିଆ ବ୍ୟଞ୍ଜନ । ପ୍ରଥମେ ଗାଁ ଝାଙ୍କର ଗାଁ ଦେବୀଙ୍କ ପାଖରେ ପୂଜା କରି ନବାନ୍ନ ଲାଗି କରାଇବା ପରେ ସମସ୍ତେ ନୂଆ ଖାଇବେ । ନୂଆଁଖାଇ ପାଇଁ ଘରକୁ ଫେରିଛନ୍ତି ଦୂରରେ ରହୁଥିବା ଲୋକେ । ବସ୍ ଓ ଟ୍ରେନ୍ ଯୋଗେ ଆସି ଘରେ ପହଞ୍ଚିଛନ୍ତି ସେମାନେ । ନୂଆଁଖାଇ ଆସିଲେ ଘରଠୁ ଦୂରରେ ରହିବା ପଶ୍ଚିମ ଓଡ଼ିଶାର ଲୋକଙ୍କ ପାଇଁ ଅସମ୍ଭବ । ସମସ୍ତେ ଘରେ ପହଞ୍ଚି ଇଷ୍ଟଦେବୀଙ୍କୁ ନବାନ୍ନ ଦିଅନ୍ତି ଓ ପରିବାରର ସବୁ ସଦସ୍ୟ ବସି ନୂଆ ଖାଆନ୍ତି । ନୂଆଖାଇ ପାଇଁ କଳାହାଣ୍ଡି ଧର୍ମଗଡ଼ରେ ଲାଗେ ବଡ଼ ବଜାର । ବର୍ଷକୁ ଥରେ ପଡେ ଏହି ବଜାର । ଏହି ନୂଆଁଖାଇ ସ୍ବତନ୍ତ୍ର ବଜାର ପୂରା ପଶ୍ଚିମ ଓଡ଼ିଶାରେ ସବୁଠୁ ବଡ଼ । ନୂଆଖାଇ ପାଇଁ ସବୁ ସାମଗ୍ରୀ ଏଇ ହାଟରେ ମିଳେ । ଏମିତି କି ଛତିଶଗଡ଼ ଗରିଆବନ୍ଦ ଦେଭୋଗ ଅଞ୍ଚଳର ଲୋକେ ବି ଧର୍ମଗଡ଼ ହାଟକୁ ଆସି ନୂଆଖାଇ ସାମଗ୍ରୀ କିଣନ୍ତି ନୂଆଁଖାଇର ପରମ୍ପରା ଅନନ୍ୟ । ଗାଁର ଲୋକେ ଏକାଠି ହୋଇ ପାଳନ୍ତି ନୂଆଖାଇ । ବରଗଡ଼ ଜିଲ୍ଲା ସୋହେଲା ବ୍ଳକର କଠାରପାଲି ଓ ଅମ୍ବାଭୋନା ବ୍ଳକର ସାନସରାଇପାଲି ଗାଁର ସବୁ ପରିବାର ଏକାଠି ନୂଆ ଖାଉଛନ୍ତି । ଛତିଶଗଡ଼ ସୀମାକୁ ଲାଗିଥିବା ଗାଁ ଝାଙ୍କରଙ୍କୁ ଅଢ଼ିଆ ଭାର ଓ ପୂଜା ସାମଗ୍ରୀ ଦେଇ ନୂଆଖାଇ ତିହାରକୁ ସ୍ବାଗତ କରାଯାଏ । ଝାଙ୍କରଙ୍କୁ ମୁଣ୍ଡିଆ ମାରି ଆଶୀର୍ବାଦ ନିଅନ୍ତି ଗ୍ରାମବାସୀମାନେ । ନୂଆଁଖାଇ ପାଇଁ ମହିଳାମାନେ ଘର ଅଗଣାରେ ଝୋଟି ଆଙ୍କିଛନ୍ତି । ଘରେ ଘରେ ନାନା ରକମର ପିଠା ପ୍ରସ୍ତୁତ କରାଯାଇଛି । ମହିମା ସାଧୁମାନେ ଅତି ନିଷ୍ଠାର ସହ ନୂଆଖାଇ ରୀତିନୀତି ପାଳନ କରନ୍ତି । ନିର୍ଦ୍ଧାରିତ ଲଗ୍ନରେ ଭୀମଭୋଇ ସମାଧି ପୀଠର ପରମ୍ପରା ଅନୁସାରେ ଶୂନ୍ୟବ୍ରହ୍ମଙ୍କୁ ଅର୍ପଣ କରାଯିବ ନବାନ୍ନ । ବର୍ଷର ପହିଲି ଧାନକୁ ପଞ୍ଚାମୃତରେ ମିଶାଇ ନୂଆ ହାଣ୍ଡିରେ ରଖି ଅର୍ପଣ କରାଯିବ ।ମୁ