ନବବଧୂକୁ ନିର୍ଯାତନାର ଏକ ନୂଆ ଓ ଲୋମହର୍ଷକ ମାମଲା ଆସିଛି ଗଞ୍ଜାମ ଜିଲ୍ଲାରୁ । ନବବଧୂକୁ ଶାଶୁଘର ଲୋକେ ମାଡ଼ ମାରିବା ପରେ ତା’ ହାତ ଗୋଡ଼ ବାନ୍ଧି ପଡ଼ୋଶୀ ଘର ଡୋଲିରେ ଫିଙ୍ଗିଦେଇଥିବା ଅଭିଯୋଗ ହୋଇଛି । ଶୀତ କାକରରେ ରାତି ତମାମ ଡୋଲି ଭିତରେ ପଡ଼ିରହିଥିଲା ବୋହୂଟି । ଅସହ୍ୟ ଯନ୍ତ୍ରଣାରେ ଛଟପ଼ ହୋଇଥିଲା ସେ । ଏହି ଅମାନବୀୟ ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ବୁଗୁଡ଼ା ଥାନା ମଙ୍ଗରାଜପୁରର ଡାଙ୍ଗି ସାହିରେ । ସକାଳେ ପଡ଼ୋଶୀମାନେ ବୋହୂଟିକୁ ଡୋଲି ଭିତରେ ଦେଖି ତାକୁ ସେଥିରୁ ଉଦ୍ଧାର କରିଥିଲେ । ସ୍ଥାନୀୟ ଲୋକେ ପଡ଼ୋଶୀଙ୍କ ସହାୟତାରେ ବୋହୂଟିକୁ ନେଇ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ଡାକ୍ତରଖାନାରେ ବୋହୂଟିର ଅବସ୍ଥା ଏବେ ସ୍ଥିର ଥିବା ଜଣାପଡ଼ିଛି । ଡୋଲି ଭିତରେ ଫିଙ୍ଗିଦେବା ପୂର୍ବରୁ ନବବଧୂର ଶାଶୁଘର ଲୋକେ ତାକୁ ନିସ୍ତୁକ ମାଡ଼ ମାରିଥିଲେ ବୋଲି କହିଛନ୍ତି ତାଙ୍କ ମା’ ଦୁଃଖୀ ପ୍ରଧାନ । ପୀଡ଼ିତା ନବବଧୂଙ୍କର ମାତ୍ର ଆଠ ମାସ ତଳେ ବିବାହ ହୋଇଥିଲା । ତାଙ୍କ ସ୍ବାମୀ ହାଇଦ୍ରାବାଦରେ ରହନ୍ତି । ବୁଗୁଡ଼ା ପୋଲିସ ଏହି ଘଟଣାରେ ନିଜ ଆଡୁ ତଦନ୍ତ ଆରମ୍ଭ କରିଛି ଓ ଦୁଇ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି । ‘‘ନବ ବଧୂ ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ସେ ଘଟଣା ସମ୍ପର୍କରେ କିଛି କହିପାରୁନାହାଁନ୍ତି । ପୀଡ଼ିତାଙ୍କ ବୟାନକୁ ଆଧାର କରି ଆଗାମୀ ତଦନ୍ତ କରାଯିବ ବୋଲି ପୋଲିସ କହିଛି,’’ କହିଛନ୍ତି ବୁଗୁଡ଼ା ଥାନା ଅଧିକାରୀ ଚିତ୍ତ ରଞ୍ଜନ ବେହେରା । ଜଣେ ନବବଧୂକୁ ଏଭଳି ନିର୍ଯ୍ୟାତନା ସାରା ଗଞ୍ଜାମ ଜିଲ୍ଲାରେ ଆଲୋଡ଼ନ ସୃଷ୍ଟି କରିଛି । ଅଭିଯୁକ୍ତମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି ହୋଇଛି ।