ନବରଙ୍ଗପୁର: ବିବାହର ୨ ଦିନ ପରେ ନବ ଦମ୍ପତି ଆତ୍ମହତ୍ୟା କଲେ; ଝୁଲନ୍ତା ମୃତ ଦେହ ଉଦ୍ଧାର
ବିବାହ ପରର ପରମ୍ପରା ଅନୁଯାୟୀ ଊର୍ମୀଙ୍କ ପରିବାର ଲୋକେ ତାଙ୍କୁ ଦେଖିବା ପାଇଁ ତୁଲେଶ୍ୱରଙ୍କ ଘରକୁ ଆସିଥିଲେ। ହେଲେ ପତିପତ୍ନୀ ଘର ଭିତରେ ରହି କବାଟ ଖୋଲି ନ ଥିଲେ । ପରେ ପରିବାର ଲୋକେ ଓ ଗ୍ରାମବାସୀ ଦୁଇ ଜଣଙ୍କୁ ଛାତରୁ ଦେଖିଥିଲେ ।

ନବରଙ୍ଗପୁର ଜିଲ୍ଲାର ଉମରକୋଟ ବ୍ଲକ ବଡଖଡ଼କା ଗ୍ରାମରେ ଘଟିଛି ଏକ ଅଭାବନୀୟ ଘଟଣା । ଜଣେ ବିବାହିତ ଯୁବକ ଓ ତାଙ୍କ ନବବିବାହିତା ଦ୍ଵିତୀୟ ପତ୍ନୀଙ୍କ ଝୁଲନ୍ତା ଶବ ଘର ଭିତରୁ ଉଦ୍ଧାର କରାଯାଇଛି ।

ମୃତକ ତୁଲେଶ୍ୱର୍ ମାଝୀ ଓ ତାଙ୍କ ଦ୍ୱିତୀୟ ପତ୍ନୀ ଉର୍ମି ଗଣ୍ଡ ମାତ୍ର ଦିନକ ଆଗରୁ ବିବାହ କରି ଘରକୁ ଫେରିଥିଲେ । ତୁଲେଶ୍ୱର୍ ଆଠ ବର୍ଷ ତଳେ ସେହି ଗ୍ରାମର ଏକ ଝିଅକୁ ବିବାହ କରିଥିଲେ । ତାଙ୍କର କୌଣସି ପିଲାଛୁଆ ଜନ୍ମ ନ ହେଉଥିବାରୁ ସେ ଆଠ ଦିନ ତଳେ ଉମରକୋଟ ବ୍ଲକ ଗତିଗୁଡ଼ା ଗ୍ରାମର ନିଜ ଭାଣିଜି ଉର୍ମି ଗଣ୍ଡଙ୍କୁ ନେଇ ପଳାଇଥିଲେ ।

ଊର୍ମିଙ୍କୁ ବିବାହ କରି ତୁଲେଶ୍ୱର ତାଙ୍କୁ ଧରି ଗତ କାଲି (ଶନିବାର) ନିଜ ଗ୍ରାମକୁ ଆସିଥିଲେ । ସମସ୍ତେ ବହୁତ ଖୁସିରେ କାଲି ଦିନଟି କାଟିଥିଲେ । ତୁଲେଶ୍ୱରଙ୍କ ପ୍ରଥମ ପତ୍ନୀଙ୍କର ବି ଏହି ଦ୍ୱିତୀୟ ବିବାହରେ କୌଣସି ଆପତ୍ତି ନ ଥିଲା ବୋଲି ଗ୍ରାମବାସୀମାନେ କହିଛନ୍ତି ।

ଆଜି ଆଦିବାସୀ ପରମ୍ପରା ଅନୁଯାୟୀ ଊର୍ମୀଙ୍କ ପରିବାର ଲୋକେ ତାଙ୍କୁ ଦେଖିବା ପାଇଁ ତୁଲେଶ୍ୱରଙ୍କ ଘରକୁ ଆସିଥିଲେ। ହେଲେ ତୁଲେଶ୍ଵର ଓ ଉର୍ମି ଘର ଭିତରେ ରହି ବହୁତ ସମୟ ଧରି କବାଟ ଖୋଲି ନ ଥିଲେ । ପରିବାର ଲୋକେ ସନ୍ଦେହ କରି ଗ୍ରାମବାସୀଙ୍କ ସହାୟତାରେ କବାଟ ଭାଙ୍ଗି ଦେଖିବା ବେଳକୁ ଦୁଇ ଜଣ ଏକ ଗାମୁଛାରେ ଘର ଦୁଲାମରେ ଝୁଲୁଥିଲେ ।

ଏହି ଘଟଣା ପଛରେ କାହାର କିଛି ଅଭିଯୋଗ ନାହିଁ ଓ ଏପରିକି ପ୍ରଥମ ସ୍ତ୍ରୀଙ୍କର ଏହି ଦ୍ଵିତୀୟ ବିବାହରେ ମଧ୍ୟ କୌଣସି ଆପତ୍ତି ନାହିଁ ବୋଲି ପରିବାର ଲୋକେ କହିଛନ୍ତି । ତେବେ ଲୋକ ଲଜ୍ଜାକୁ ସହି ନ ପାରି ଏହି ନବଦମ୍ପତ୍ତି ନିଜ ଜୀବନ ନେଇଥିବା ପୋଲିସ ଓ ଗ୍ରାମବାସୀମାନେ ଅନୁମାନ କରିଛନ୍ତି ।

ଧ୍ୟାନ ଦିଅନ୍ତୁ: ଯଦି ଆପଣ ବା ଆପଣ ଜାଣିଥିବା କୌଣସି ବ୍ୟକ୍ତି କୌଣସି ବି କାରଣରୁ ଖୁବ୍ ଦୁଃଖ ଅନୁଭବ କରୁଛନ୍ତି ଓ ସାହାଯ୍ୟ ଲୋଡ଼ୁଛନ୍ତି, ତାହେଲେ ନିମ୍ନଲିଖିତ ଯେକୌଣସି ହେଲ୍ପଲାଇନକୁ କଲ୍ କରନ୍ତୁ: ଆସ୍ରା (ମୁମ୍ବାଇ) 022-27546669, ସ୍ନେହା (ଚେନ୍ନାଇ) 044-24640050, ସୁମୈତ୍ରୀ (ଦିଲ୍ଲୀ) 011-23389090, କୁଜ (ଗୋଆ) 0832- 2252525, ଜୀବନ (ଜାମସେଦପୁର) 065-76453841, ପ୍ରତୀକ୍ଷା (କୋଚି) 048-42448830, ମୈତ୍ରୀ (କୋଚି) 0484-2540530, ରୋଶନି (ହାଇଦ୍ରାବାଦ) 040-66202000, ଲାଇଫ୍ ଲାଇନ୍ 033-64643267 (କୋଲକାତା) ।