ଢେଙ୍କାନାଳ: ପଡ଼ୋଶୀ ଘର ବୋହୂ ୩ ବର୍ଷର ଶିଶୁକୁ ହତ୍ୟା କରିଥିଲା; ମାନିଲା, ଗିରଫ ହେଲା
ତିନି ବର୍ଷୀୟ ଶିଶୁ ପୁତ୍ର ଆୟୁଷ କୂଅରେ ପଡ଼ି ଯାଇ ନ ଥିଲା, ବରଂ ତାକୁ ଶ୍ବାସରୁଦ୍ଧ କରି ମାରିଦେବା ପରେ କୂଅରେ ଫିଙ୍ଗି ଦିଆଯାଇଥିବା ପ୍ରମାଣ ପାଇଛି ପୋଲିସ । ଶିଶୁର ପଡ଼ୋଶୀ ଘର ବୋହୂ ଭାରତୀ ସାହୁ ଓ ତାଙ୍କ ସ୍ୱାମୀ ଗିରଫ ହୋଇଛନ୍ତି ।

ଢେଙ୍କାନାଳ ନିହଲପ୍ରସାଦ ଖଙ୍କିରା ଗାଁରେ ଘଟିଥିବା ଏକ ଲୋମହର୍ଷକ ହତ୍ୟାର ତଦନ୍ତ ପରେ ଅଭିଯୁକ୍ତ ପଡ଼ୋଶୀ ଘରର ବୋହୂ ଭାରତୀ ସାହୁ ବୋଲି ପୋଲିସ କହିଛି । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ୩-ବର୍ଷୀୟ ବାଳକ ଆୟୁଷ (କାଳିଆ)କୁ ଭାରତୀ ମାରି ଦେଇଥିବା ପୋଲିସ କହିଛି । (ଫଟୋରେ ଆୟୁଷ ସହ ତା’ ବାପା ଓ ପୋଲିସ ଗିରଫରେ ଭାରତୀ ସାହୁ)

ପ୍ରଥମେ ଆୟୁଷକୁ ଶ୍ବାସରୁଦ୍ଧ କରି ମାରିବା ପରେ କୂଅରେ ଫିଙ୍ଗି ଦେଇଥିବା ଜଣାପଡ଼ଛି । ଗୁରୁବାର ଦିନ (ଡିସେମ୍ବର ୧୭) ଭାରତୀ ସହ ତାର ସ୍ବାମୀଙ୍କୁ ପୋଲିସ ଅଟକ ରଖି ପଚରାଉଚରା କରିଥିଲା ।

ଆଜି (ଡିସେମ୍ବର ୧୮) ପୋଲିସ ଆଗରେ ଭାରତୀ ସାହୁ ଓ ତାଙ୍କ ସ୍ୱାମୀ ଏହି ହତ୍ୟା କରିଥିବା ନେଇ ସ୍ବୀକାର କରିଛନ୍ତି ବୋଲି କହିଛି ପୋଲିସ ।

ଏହି ନିର୍ମମ ହତ୍ୟାରେ ଆଉ କାହାର ସମୃକ୍ତି ଅଛି କି ନାହିଁ ସେ ନେଇ ଖୋଳତାଡ଼ ଚାଲିଥିବା କହିଛନ୍ତି ଆଡିସନାଲ୍ ଏସ୍.ପି. ବିନୟ କୁମାର କାମିଳା ।

ଏହି ହତ୍ୟାକାଣ୍ଡ ଘଟିଥିଲା ଢେଙ୍କାନାଳ ନିହଲପ୍ରସାଦ ଖଙ୍କିରା ଗାଁରେ । ଅଭିଯୁକ୍ତ ଭାରତୀ ସାହୁ ଓ ତାଙ୍କ ସ୍ୱାମୀଙ୍କ ବିରୁଦ୍ଧରେ ଆଇପିସିର ଦଫା ୩୦୨ ଓ ୨୦୧ ଲଗାଯାଇଛି ।

ଆୟୁଷ (କାଳିଆ) ହଠାତ ନିଜ ଘର ଦାଣ୍ଡରୁ ନିଖୋଜ ହୋଇଯିବାର ୧୨ ଘଣ୍ଡା ପରେ ଗାଁର ଏକ କୂଅରୁ ତା’ ମୃତ ଦେହ ଉଦ୍ଧାର ହୋଇଥିଲା ।

ତା’ ବାପା ଜୟନ୍ତ ସାହୁ ଓ ତାଙ୍କ ପରିବାର ଲୋକେ ଅଭିଯୋଗ କରିଥିଲେ ଯେ ତାଙ୍କ ପଡ଼ୋଶୀ ଶିଶୁଟିକୁ ପୂର୍ବ ଶତୃତାକୁ ନେଇ ଶିଶୁଟିକୁ ହତ୍ୟା କରି କୂଅରେ ପକେଇ ଦେଇଛି ।

ରାତି ସାରା ପୁଅକୁ ବହୁ ଖୋଜାଖୋଜି କରି ନିରାଶ ହେବା ପରେ ଗୁରୁବାର ସକାଳେ ନିକଟସ୍ଥ ଏକ କୂଅରେ ପୁଅର ମୃତ ଦେହ ଭାସୁଥିବାର ଦେଖିଥିଲେ ପରିବାର ଲୋକେ ।

ଆୟୁଷର ମୁଣ୍ଡରେ ଓ ଗାଲରେ କ୍ଷତ ଚିହ୍ନ ରହିଥିବା କହିଥିଲେ ପରିବାର ଲୋକେ । ତାକୁ କେହି ହତ୍ୟା କରି କୂଅରେ ଫିଙ୍ଗି ଦେଇଥିବା ସେମାନେ ଅଭିଯୋଗ କରିଥିଲେ ।