ନୟାଗଡ଼ ପରୀ ହତ୍ୟା କାଣ୍ଡ: SIT ଆଗରେ ଜଘନ୍ୟ ଅପରାଧର ଡେମୋ ଦେଖାଇଲା ସରୋଜ ସେଠୀ
ଗିରଫ ହେବା ପୂର୍ବରୁ ଅଭିଯୁକ୍ତ ସରୋଜ ଏହି ମାମଲାରେ ଚାଲିଥିବା SIT ତଦନ୍ତକୁ ଟିଭି ନ୍ୟୁଜରୁ ଟିକିନିକି ଦେଖୁଥିଲା ବୋଲି କହିଛନ୍ତି SIT ମୁଖ୍ୟ ଅରୁଣ ବୋଥ୍ରା । ଏପରିକି ତାଙ୍କ ସମ୍ପର୍କରେ ସେ ଅନେକ କଥା ଇଣ୍ଟରନେଟରୁ ପଢ଼ି ଜାଣିସାରିଥିଲା ।

ନୟାଗଡ଼ର ନାବାଳିକା ପରୀର ହତ୍ୟା ଓ ଦୁଷ୍କର୍ମ ମାମଲାରେ ଅଭିଯୁକ୍ତ ସରୋଜ ସେଠୀକୁ ନେଇ ଯଦୁପୁର ଗାଁରେ କ୍ରାଇମ୍ ସିନ୍ (ଅପରାଧ ସ୍ଥଳ) ରି-କ୍ରିଏଟ୍ କରାଇଛି ଏସଆଇଟି (SIT) ।

SIT ମୁଖ୍ୟ ତଥା ବରିଷ୍ଠ IPS ଅଫିସର୍ ଅରୁଣ ବୋଥ୍ରାଙ୍କ ଆଗରେ ଅପରାଧର ଡେମୋ ଦେଖାଇଛି ଏହି ମାମଲାରେ ଗିରଫ ହୋଇଥିବା ଏକ ମାତ୍ର ଅଭିଯୁକ୍ତ ସେହି ଯଦୁପୁର ଗାଁର ସରୋଜ ସେଠୀ ।

ଯେଉଁ ଘରେ ସେ ପରୀକୁ ତଣ୍ଟି ଚିପି ହତ୍ୟା କରିଥିଲା ଓ ତା’ ପରେ ତା’ ମୃତ ଦେହ ସହ ଦୁଷ୍କର୍ମର ପ୍ରୟାସ କରିଥିଲା ସେଠାକୁ SIT ଟିମ୍ ସହ ଯାଇ ସେ ସବୁ କଥା ବୁଝାଇ କହିଛି ।

ପାଞ୍ଚ ବର୍ଷର ନିରୀହା ବାଳିକା ପରୀକୁ ହତ୍ୟା କରିବା ପରେ ସରୋଜ କେମିତି ତା’ ମୃତ ଦେହକୁ ଏକ ଅଖାରେ ପୂରେଇ ସେହି ଘରୁ ଏହି ବାଟ ଦେଇ ପୋଖରୀକୁ ଯାଇଥିଲା ଓ ପୋଖରୀ ହୁଡ଼ାରେ ଫିଙ୍ଗିଥିଲା, ଗୋଟି ଗୋଟି କରି ସବୁ ଦେଖାଇଛି ସେ ।

ସେହି ଘରର ବାଡ଼ି ପଟ କଦଳୀ ଗଛ ପାଖରେ ଠିଆ ହୋଇ କେମିତି ପରୀର ମୃତ ଦେହକୁ ଫିଙ୍ଗିଥିଲା ସରୋଜ, ହାତ ଠାରି SIT ଟିମକୁ ସେ ତାହା ଦେଖାଇଥିଲା ।

ପରୀର ମୃତ ଦେହ ଭର୍ତ୍ତି ହୋଇଥିବା ଅଖାକୁ ଘୋଡ଼ାଇବା ପାଇଁ କେମିତି ନଡ଼ିଆ ବାହୁଙ୍ଗା ନେଇ ତା’ ଉପରେ ଘୋଡ଼ାଇ ଦେଇଥିଲା ସେକଥା ବି କହିଥିଲା ସରୋଜ ।

ସରୋଜର ମାଆ, ଦୁଇ ଭଉଣୀ ଓ ଭିଣୋଇ କହିଥିଲେ ଯେ ସରୋଜ ନିର୍ଦ୍ଦୋଷ । ତାକୁ ଛାଡ଼ିଦେବାକୁ ସେମାନେ ଜୋର୍ ଜୋର୍ କରି କହିଥିଲେ ।

ସରୋଜର ତିନି-ଦିନିଆ ରିମାଣ୍ଡ ଅବଧି ସରିଥିବାରୁ ତାକୁ ନୟାଗଡ଼ର ପୋକ୍ସୋ କୋର୍ଟରେ ହାଜର କରାଯାଇ ଜେଲ୍ ପଠାଇ ଦିଆଯାଇଛି ।

ପାଞ୍ଚ ମାସ ତଳେ ନୟାଗଡ଼ ଯଦୁପୁର ଗାଁରେ ଘଟିଥିବା ଏହି ବୀଭତ୍ସ କାଣ୍ଡ ପୁଣି ଥରାଇ ଦେଇଛି ଗାଁ ଲୋକଙ୍କୁ । ସେ ଜଘନ୍ୟ ଅପରାଧର ଡେମୋ କରି ଅଭିଯୁକ୍ତ ସରୋଜ ସେଠୀ ଦେଖାଉଥିବା ବେଳେ ଗାଁ ଲୋକେ ତଟସ୍ଥ ହୋଇ ରହିଯାଇଥିଲେ ।

କ୍ରାଇମ ସିନ୍ ରିକ୍ରିଏସନ (ପୁନର୍ଗଠନ) ପରେ ସରୋଜ ସେଠୀକୁ ଆଉ ରିମାଣ୍ଡରେ ନେବାର ଆବଶ୍ୟକତା ନାହିଁ ବୋଲି କହିଛନ୍ତି ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରା ।

ଏହି ମାମଲାରେ SITର ତଦନ୍ତ ଯେତିକି ଆଗଉଛି ଦିନକୁ ଦିନ ହେଉଛି ବଡ଼ ଖୁଲାସା । SIT ମୁଖ୍ୟ ଅରୁଣ ବୋଥ୍ରା କହିଛନ୍ତି ଯେ ଏହି ହତ୍ୟାକାଣ୍ଡ ସମ୍ପର୍କରେ ସରୋଜ ସେଠୀର ପରିବାର ଜାଣିଥିଲେ । ଯଦିଓ ହତ୍ୟା ଓ ଦୁଷ୍କର୍ମରେ ସରୋଜ ଏକା କରିଥିଲା, ମୃତ ଦେହ ଲୁଚାଇବାରେ ତାକୁ କିଏ ସାହାଯ୍ୟ କରି ଥାଇପାରେ ତାହା ଏବେ ବି ତଦନ୍ତର ବିଷୟ ।

ସରୋଜ ଘରୁ ଜବତ ଗାମୁଛାରେ ଲାଗିଥିଲା ରକ୍ତର ଦାଗ । ସର୍ଫ ଓ ସାବୁନରେ ସେ ଗାମୁଛାକୁ ସଫା କରିଥିଲେ ବି ପରୀକ୍ଷାରୁ ସେଥିରେ ରକ୍ତର ଚିହ୍ମ ମିଳିଥିବା କହିଛନ୍ତି ବୋଥ୍ରା । ଗାମୁଛାକୁ ଲାବରୋଟାରୀରେ ପୁଣି ପରୀକ୍ଷା କରାଯିବ ବୋଲି ସେ କହିଛନ୍ତି ।

ବୋଥ୍ରା କହିଛନ୍ତି ଯେ ସରୋଜ ଗିରଫ ହେବା ପୂର୍ବରୁ ଏହି ମାମଲାରେ ଚାଲିଥିବା SIT ତଦନ୍ତକୁ ଟିଭି ନ୍ୟୁଜରୁ ଟିକିନିକି ଦେଖୁଥିଲା । ଏମିତିକି ବୋଥ୍ରାଙ୍କ ସମ୍ପର୍କରେ ସେ ଅନେକ କଥା ଇଣ୍ଟରନେଟରୁ ପଢ଼ି ଜାଣିସାରିଥିଲା । (ପ୍ରତୀକାତ୍ମକ ଛବି)