ଗତ ବର୍ଷର ଚାଞ୍ଚଲ୍ୟକର ପରୀ ହତ୍ୟାକାଣ୍ଡ ମାମଲା ଥମିଯିବା ପରେ ନୟାଗଡ଼ରେ ଆଉ ଏକ କୁନି ଝିଅର ମୃତ ଦେହ ମିଳିଛି । ନିଖୋଜ ହୋଇଯିବାର ପାଞ୍ଚ ଦିନ ପରେ ଛଅ ବର୍ଷୀୟା ଝିଅଟିର (ଡାକ ନାମ ବେବି) ଗଳିତ ମୃତ ଦେହ ଜୁନ୍ ୧୬ ତାରିଖରେ ଉଦ୍ଧାର ହୋଇଥିଲା । ନାବାଳିକାର ଖଣ୍ଡବିଖଣ୍ଡିତ ମୃତ ଦେହ ମିଳିଥିବାରୁ ଏହା ଏକ ହତ୍ୟାକାଣ୍ଡ ବୋଲି ସନ୍ଦେହ କରାଯାଇଥିଲା । ଝିଅଟିର ଶବ ମିଳିବା ପରେ ବାଣୀଗୋଚ୍ଛା ଥାନା ଅଞ୍ଚଳର ଧୁନ୍ଦୁଗାଡ଼ିଆ ଗାଁ ଓ ଆଖପାଖ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଥିଲା । ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିଲା ବୋଲି ପୋଲିସ ତଦନ୍ତରୁ ଜଣାପଡ଼ିଥିଲା। ଗାଁ ନିକଟସ୍ଥ ଏକ ପରିତ୍ୟକ୍ତ ସ୍ଥାନରୁ ଉଦ୍ଧାର ହୋଇଥିଲା ଏହି ଛଅ ବର୍ଷୀୟା ଝିଅଟିର ମୃତ ଦେହ l ତା’ ମୁଣ୍ଡ ଶରୀର ଠାରୁ ଅଲଗା ଥିଲା । ନୟାଗଡ଼ ଏସ୍.ପି. ସିଦ୍ଧାର୍ଥ କଟାରିଆଙ୍କ ନେତୃତ୍ୱରେ ଏକ ଟିମ୍ ସର୍ଚ୍ଚ ଅପରେସନ୍ ଚଳାଇ ଝିଅଟିର ଖଣ୍ଡବିଖଣ୍ଡିତ ଗଳିତ ମୃତ ଦେହ ଜବତ କରିଥିଲା । ଏହି ଘଟଣାରେ ସେହି ଗାଁର ଯୁବକ ସାଗର ଦଳେଇକୁ ଗିରଫ କରିଛି ପୋଲିସ । ଅଭିଯୁକ୍ତ ସାଗର ଦଳେଇ ହିଁ ସେହି ଝିଅଟି ସହ ଦୁଷ୍କର୍ମ କରିବା ପରେ ତାକୁ ହତ୍ୟା କରିଛି ବୋଲି ସ୍ୱୀକାର କରିଥିବା ପୋଲିସ କହିଛି । ନାବାଳିକା ଝିଅଟି ଗାଁ ଦlଣ୍ଡରେ ଖେଳୁଥିବା ବେଳେ ତାକୁ ଡାକି ନେଇ ମୋବାଇଲ୍ ଫୋନରେ ଅଶ୍ଳୀଳ ଭିଡିଓ ଦେଖାଇବା ପରେ ରେପ୍ କରିଥିଲା ସାଗର । ଏସ୍.ପି. ସିଦ୍ଧାର୍ଥ କଟାରିଆ କହିଛନ୍ତି ଯେ କୁନି ଝିଅଟିକୁ ରେପ୍ କରିବା ପରେ ତା’ ଗଳା ଦବେଇ ତାକୁ ମାରିଦେଇଥିଲା ସାଗର ଦଳେଇ । ଏହି କଥା ସେ ନିଜେ ସ୍ୱୀକାର କରିଛି ବୋଲି ଏସ୍.ପି. କହିଛନ୍ତି । ଗତ ବର୍ଷ (୨୦୨୦ରେ) ନୟାଗଡ଼ର ଯଦୁପୁର ଗାଁରେ ପାଞ୍ଚ ବର୍ଷର ନିରୀହା ବାଳିକା ପରୀକୁ ହତ୍ୟା କରି ଏକ ପୋଖରୀ ହୁଡ଼ାରେ ଫିଙ୍ଗିଦିଆଯାଇଥିଲା । ସେହି ମାମଲାରେ ଗିରଫ ହୋଇଥିବା ସେହି ଗାଁର ସରୋଜ ସେଠୀ ଏବେ ଜେଲରେ ଅଛି । ପରୀକୁ ହତ୍ୟା କରିବା ପରେ ତା’ ମୃତ ଦେହକୁ ଏକ ଅଖାରେ ପୂରେଇ ପୋଖରୀ ହୁଡ଼ାରେ ସରୋଜ ଫିଙ୍ଗିଦେଇଥିଲା ବୋଲି ବରିଷ୍ଠ ଆଇ.ପି.ଏସ୍. ଅଧିକାରୀ ଅରୁଣ ବୋଥ୍ରାଙ୍କ ନେତୃତ୍ୱରେ ଗଠିତ ଏସ୍.ଆଇ.ଟି. ତଦନ୍ତରୁ ଜଣାପଡ଼ିଥିଲା । ପରୀର ବାପା ଓ ମା’ ଏବେ ବି କହୁଛନ୍ତି ଯେ ସରୋଜ ସେଠୀ ହତ୍ୟାକାରୀ ନୁହେଁ ଓ ତାଙ୍କ ଝିଅକୁ ଆଉ କେହି ହତ୍ୟା କରିଥିଲା ଓ ଏଥିରେ ଅଙ୍ଗ ଚୋରୀ କୋଣ ରହିଥିଲା । ପରୀ ହତ୍ୟା ଘଟଣାରେ ଉଚ୍ଚ ଶିକ୍ଷା ମନ୍ତ୍ରୀ ଅରୁଣ କୁମାର ସାହୁଙ୍କ ନିକଟସ୍ଥ ଲୋକଙ୍କ ସମ୍ପୃକ୍ତି ଥିଲା ବୋଲି ଅଭିଯୋଗ ଉଠିଥିଲା । ମନ୍ତ୍ରୀ ସେହି ଅଭିଯୋଗକୁ ବାରମ୍ବାର ଖଣ୍ଡନ କରିଛନ୍ତି । ପରୀର ବାପା ଓ ମା’ ସେମାନଙ୍କୁ ଧମକ ମିଳୁଛି ବୋଲି ଅଭିଯୋଗ କରି ଓ ତଦନ୍ତରେ ଅଗ୍ରଗତି ଦାବି କରି ବିଧାନ ସଭା ସାମନାରେ ଆତ୍ମଦାହ କରିବାକୁ ଉଦ୍ୟମ କରିଥିଲେ । ପୋଲିସ ସେମାନଙ୍କୁ ଅଟକାଇ ସେମାନଙଅକ ପ୍ରାଣ ବଞ୍ଚାଇଥିଲା ।