ଏକ କାର୍ଯ୍ୟକ୍ରମକୁ ଯାଉଥିବାବେଳେ ଗତ ରବିବାର ୨୯ ତାରିଖ ଦିନ ମନ୍ତ୍ରୀ ନବ ଦାସଙ୍କୁ ହତ୍ୟା କରାଯାଇଥିଲା। ପୁଲିସ ଏଏସଆଇ ଗୋପାଳ ଦାସ ତାଙ୍କୁ ଗୁଳି ମାରି ହତ୍ୟା କରିଥିଲେ । କାର୍ ଡୋର୍ ପାଖକୁ ଯାଇ ଗୁଳିମାଡ କରିଥିଲା ଅଭିଯୁକ୍ତ ଗୋପାଳ । ଅତି ନିକଟକୁ ଯାଇ ଏମିତି ମାରିଥିଲା ଗୁଳି । ତା ପରେ ତାକୁ କାବୁ କରିଥିଲେ ଜଣେ ପୋଲିସ୍ ଅଧିକାରୀ । କିଭଳି ନବ ଦାସଙ୍କୁ ଗୁଳି ମାରିଥିଲା, ଖେଳନା ବନ୍ଧୁକ ଧରି ଦେଖାଇଲା ଅଭିଯୁକ୍ତ ଗୋପାଳ। ନବ ଦାସ ବସିଥିବା ଗାଡି ସହ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଗାଡିକୁ ମଧ୍ୟ ଅଣାଯାଇଥିଲା । ନବ ଦାସ ବସିଥିବା ସ୍ଥାନରେ ଜଣେ ବ୍ୟକ୍ତିଙ୍କୁ ବସାଯାଇଥିଲା । ନବ ଦାସ ହତ୍ୟା ମାମଲାରେ ଆଜି ଅଭିଯୁକ୍ତ ଗୋପାଳ ଦାସଙ୍କର ସିନ୍ ରିକ୍ରିଏସନ ହୋଇଛି । ବ୍ରଜରାଜନଗରର ଗାନ୍ଧି ଛକକୁ ଗୋପାଳକୁ ନେଇ ଯାଇଥିଲା କ୍ରାଇମବ୍ରାଞ୍ଚ । ସେଠାରେ ସେ କେମିତି ମନ୍ତ୍ରୀଙ୍କୁ ହତ୍ୟା କରିଥିଲା ତାହା ଦେଖାଇଛି । ପୂର୍ବରୁ ଯେଉଁଭଳି ଭାବେ ମନ୍ତ୍ରୀଙ୍କ ଗାଡି ଥିଲା ସେହିପରି ଏକ ଭାବେ ଗାଡ଼ି ସେଠାରେ ରଖାଯାଇଥିଲା । ରାତି ୧୨ଟାରେ ପୋଲିସ ଫୋର୍ସ ସହିତ ଗୋପାଳକୁ ଓଏସ୍ଏପି ଦ୍ୱିତୀୟ ବାଟାଲିୟନ ପରିସରରୁ ବାହାର କରି ନିକଟସ୍ଥ ତାଲପଟିଆ ଗାଁ ଭିତରେ ଥିବା ଏକ କ୍ଲବ୍ ଘରେ ରଖାଯାଇଥିବାର ଜଣାପଡିଛି। ସକାଳ ହେବା ପୂର୍ବରୁ ପୁଣି କଡ଼ା ସୁରକ୍ଷାରେ ତାକୁ ନେଇ ଓଏସ୍ଏପି ଦ୍ୱିତୀୟ ବାଟାଲିୟନରେ ଦିନ ତମାମ ରଖାଯାଇଥିଲା। ଏ ନେଇ ଅଧିକାରୀମାନେ କୌଣସି ଉତ୍ତର ଦେଇନଥିଲେ । ଅନ୍ଯପଟେ ହାଇକୋର୍ଟ ଅବସରପ୍ରାପ୍ତ ବିଚାରପତି କଟକରୁ ଝାରସୁଗୁଡ଼ା ଅଭିମୁଖେ କରିଛନ୍ତି। ତଦନ୍ତର ତଦାରଖ କରିବାକୁ ଜଷ୍ଟିସ ଜେପି ଦାସ ଘଟଣାସ୍ଥଳକୁ ଯିବେ। ତେବେ ଆସନ୍ତାକାଲି ସେ ଘଟଣାସ୍ଥଳ ପରିଦର୍ଶନ କରିପାରନ୍ତି ।