ଯୁବକ ଜଣକ ହେଉଛନ୍ତି କୁଜଙ୍ଗ ଅଞ୍ଚଳର ଦୁଷ୍ମନ୍ତ ଦାସ । କଟକର ଏସ୍.ସି.ବି. ହସପିଟାଲରେ ଚିକିତ୍ସାଧୀନ ଥିବା ବେଳେ ବୁଧବାର ଦିନ (ସେପ୍ଟେମ୍ବର ୮) ତାଙ୍କର ମୃତ୍ୟୁ ହୋଇଛି । (ଫଟୋରେ ନିଜ ମା’ଙ୍କ ସହ ଦୁଷ୍ମନ୍ତ ଦାସ)
ଦୁଷ୍ମନ୍ତ ଦାସ ପୂର୍ବରୁ ଏସ୍.ସି.ବି. ବଡ଼ ମେଡିକାଲରେ ଡାକ୍ଟରମାନଙ୍କ ଦ୍ୱାରା ଭୁଲ୍ ଅସ୍ତ୍ରୋପଚାର ଅଭିଯୋଗ ଆଣିଥିଲେ ।
ବିଧାନ ସଭା ସାମନାରେ ଆତ୍ମହତ୍ୟା ଉଦ୍ୟମ କରିବା ପରେ ଦୁଷ୍ମନ୍ତ ଦାସଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରୁ ରେଫର୍ କରାଯାଇ ତାଙ୍କୁ କଟକ ଏସ୍.ସି.ବି. ହସପିଟାଲକୁ ଅଣାଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ସନ୍ଧ୍ୟା ୬ଟା ୪୫ରେ ତାଙ୍କର ମୃତ୍ୟୁ ହୋଇଥିଲା ।
ଗତ ବର୍ଷେ ହେଲା ଭୀଷଣ ଯନ୍ତ୍ରଣା ଭୋଗୁଥିବା କଥା କହିଥିଲେ ଦୁଷ୍ମନ୍ତ । ଏକ ସଡକ ଦୁର୍ଘଟଣାରେ ତାଙ୍କ ବାମ ଗୋଡ଼ରେ ଗଭୀର କ୍ଷତ ହୋଇଥିଲା । ସେତେବେଳେ ସେ ଗୁରୁତର ଅବସ୍ଥାରେ କଟକ ଏସ୍.ସି.ବି. ହସପିଟାଲରେ ଭର୍ତ୍ତି ହୋଇଥିଲେ ।
୨୦୨୦ ମସିହା ମାର୍ଚ୍ଚ ୨୨ ତାରିଖରେ ଏସ୍.ସି.ବି. ହସପିଟାଲର ପ୍ଲାଷ୍ଟିକ୍ ସର୍ଜରୀ ବିଭଗରେ ତାଙ୍କର ଅସ୍ତ୍ରୋପଚାର କରାଯାଇଥିଲା ।
୨୦୨୦ ଜୁନ୍ ମାସରେ ପୁଣି ଦ୍ୱିତୀୟ ଥର ତାଙ୍କର ଅସ୍ତ୍ରୋପଚାର ହୋଇଥିଲା । ପରେ ଡାକ୍ଟର ଭଲ ହୋଇଯିବେ କହି ତାଙ୍କୁ ସେଠାରୁ ଡିସଚାର୍ଜ କରାଇଥିଲେ ।
ଘରେ ଦୀର୍ଘ ଦିନ ରହିଥିଲେ ସୁଦ୍ଧା ବାମ ଗୋଡ଼ ଆହୁରି ଯନ୍ତ୍ରଣା ଅନୁଭବ କରିଥିଲେ ଦୁଷ୍ମନ୍ତ । ତାଙ୍କ ବାମ ଗୋଡ଼ ସଠିକ ଭାବେ କାମ କରି ପାରି ନ ଥିବାରୁ ଦୁଷ୍ମନ୍ତଙ୍କ ପାଇଁ ଚାଲିବା ବି କଷ୍ଟକର ହୋଇପଡିଥିଲା ।
ପରେ ଅନ୍ୟ ଡାକ୍ତରଙ୍କ ସହ ଯୋଗାଯୋଗ କରି ସେ ଜାଣି ପାରିଥିଲେ ଯେ ସେ ଭୁଲ୍ ଅସ୍ତ୍ରୋପଚାରର ଶିକାର ହୋଇଛନ୍ତି । ସେ ଏ ବାବଦରେ ଏସ୍.ସି.ବି. ହସପିଟାଲର ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ । ହେଲେ ତା’ ପରେ ବାରମ୍ବାର ଚିକିତ୍ସା ପାଇଁ ସେ ଏସ୍.ସି.ବି. ହସପିଟାଲକୁ ଆସିଥିଲେ ମଧ୍ୟ ସଠିକ୍ ଚିକିତ୍ସାରୁ ବଞ୍ଚିତ ହୋଇଥିଲେ ବୋଲି ସେ ଅଭିଯୋଗ କରିଥିଲେ । ଏ ବିଷୟରେ ସରକାରଙ୍କୁ ଚିଠି ଲେଖି ଜଣାଇଥିଲେ ବୋଲି ସେ କହିଥିଲେ ।
ଏସ୍.ସି.ବି. ହସପିଟାଲର ଜରୁରୀକାଳୀନ ଅଧିକାରୀ ଡଃ ଭୁବନାନନ୍ଦ ମହାରଣା କହିଛନ୍ତି ଯେ ଦୁଷ୍ମନ୍ତ ସେଠାରେ ଚିକିତ୍ସିତ ହେଉଥିବା ବେଳେ ତାଙ୍କୁ ହସପିଟାଲ୍ ତରଫରୁ ଉତ୍ତମ ଚିକିତ୍ସା ଯୋଗାଇ ଦିଆଯାଇଥିଲା ।