ନିଆରା ବିବାହର ଚର୍ଚ୍ଚା: ଅନୁଗୁଳରେ ୫ ବର୍ଷର ପ୍ରେମ ପରେ କିନ୍ନରଙ୍କ ହାତ ଧରିଲେ ସାଧାରଣ ଯୁବକ
ପ୍ରେମ କୌଣସି ବନ୍ଧନ ଆଗରେ ନଇଁଯାଏ ନାହିଁ । ଜଣେ କିନ୍ନରଙ୍କୁ ପ୍ରେମ କରୁଥିବା ଜଣେ ସାଧାରଣ ପୁରୁଷ ନିଜ ପ୍ରେମ ସମ୍ପର୍କକୁ ସାମାଜିକ ମାନ୍ୟତା ଦେବାକୁ ପ୍ରଥମେ କୋର୍ଟରେ ଓ ତା’ ପରେ ମନ୍ଦିରରେ ଅଗ୍ନିକୁ ସାକ୍ଷୀ ରଖି ବିବାହର ପବିତ୍ର ବନ୍ଧନରେ ବାନ୍ଧି ହୋଇଛନ୍ତି ।

ଇଏ ଏକ ନିଆରା ବିବାହ । ଏମିତି ଉଦାହରଣ ଖୁବ୍ କମ୍ ଦେଖିବାକୁ ମିଳେ । ହେଲେ ଏବେ ଅନୁଗୁଳ ଜିଲ୍ଲାର ବଅଁରପାଳରେ ଏମିତି ଏକ ବିବାହ ହୋଇଛି ।

ଅନୁଗୁଳର ଜଣେ ଯୁବକ ମହନୀୟତା ଦେଖାଇ ସେ ନିଜେ ଜଣେ ସାଧାରଣ ପୁରୁଷ ହୋଇଥିଲେ ମଧ୍ୟ ଜଣେ କିନ୍ନରଙ୍କ ହାତ ଧରିଛନ୍ତି ।

ବୁଢ଼ୀ ଠାକୁରାଣୀଙ୍କ ମନ୍ଦିରରେ ଦୁହେଁ ପରସ୍ପରକୁ ଫୁଲ ମାଳ ପିନ୍ଧାଇ ସାରା ଜୀବନ ସାଥୀ ହୋଇ ରହିବାକୁ ସଂକଳ୍ପ କରିଛନ୍ତି ।

ଅନୁଗୁଳ ବଅଁରପାଳ ବୁଢ଼ାପଙ୍କ ଗାଁର ଚିନୁ କିନ୍ନରଙ୍କୁ ବିବାହ କରିଛନ୍ତି କଣିହାଁ ଥାନା ଅନ୍ତର୍ଗତ ସାନତ୍ରିବିଡା ଗାଁର ବବଲୁ ପ୍ରଧାନ ।

ସେହି ପ୍ରେମ ସମ୍ପର୍କକୁ ସାମାଜିକ ମାନ୍ୟତା ଦେବାକୁ ଦୁହେଁ ପ୍ରଥମେ କୋର୍ଟରେ ଓ ତା’ ପରେ ମନ୍ଦିରରେ ଅଗ୍ନିକୁ ସାକ୍ଷୀ ରଖି ବିବାହ ପରି ପବିତ୍ର ବନ୍ଧନରେ ବାନ୍ଧି ହୋଇଛନ୍ତି ।

ଚିନୁ କିନ୍ନର ଓ ବବଲୁ ପ୍ରଧାନ ଏଣିକି ସ୍ବାମୀ-ସ୍ତ୍ରୀ ଭାବେ ରହିବେ । ଏହି ବିରଳ ବିବାହ ଅନୁଗୁଳରେ ଚର୍ଚ୍ଚାର ବିଷୟ ହୋଇଛି ।

ପ୍ରଥମେ ସେମାନେ ଜଣେ ଓକିଲଙ୍କ ପାଖକୁ ଯାଇ ସତ୍ୟପାଠ କରିଥିଲେ । ତା’ପରେ ଅନୁଗୁଳସ୍ଥିତ ବୁଢ଼ୀ ଠାକୁରାଣୀଙ୍କ ମନ୍ଦିରକୁ ଯାଇ ପୂଜକଙ୍କ ଉପସ୍ଥିତିରେ ପରସ୍ପରକୁ ଫୁଲମାଳ ପିନ୍ଧାଇ ବିବାହ କରିଥିଲେ ।

‘‘ମୁଁ ପାଞ୍ଚ ବର୍ଷ ଧରି ତାଙ୍କ ସହିତ ରହୁଥିଲି । ସେ ଆଜି ହଠାତ୍ ପ୍ରପୋଜାଲ ଦେଇ କହିଲେ ଆଗକୁ ଯେମିତି ଜୀବନ ସାରା ରହିବା, ତେଣୁ ଦୁହେଁ ବିବାହ କଲୁ । ଆଗ କୋର୍ଟକୁ ଯାଇ କୋର୍ଟ ମ୍ୟାରେଜ୍ କଲୁ । ଆଉ ତା’ପରେ ବୁଢ଼ୀ ଠାକୁରାଣୀ ମନ୍ଦିରକୁ ଆସି ମା’ଙ୍କ ସାମନାରେ ଓ ନନାଙ୍କ ସାମନାରେ ବିବାହ କଲୁ,’’ କହିଛନ୍ତି ପତ୍ନୀ ଚିନୁ କିନ୍ନର ।

ପତି ବବଲୁ ପ୍ରଧାନ କହିଛନ୍ତି, ‘‘ଆମେ ଗଲା ପାଞ୍ଚ ବର୍ଷ ହେଲା ସାଙ୍ଗରେ ରହୁଥିଲୁ । ଆଗକୁ ଜୀବନ ସାରା ସାଙ୍ଗରେ ରହିବୁ । ସେଇଥି ପାଇଁ ବିବାହ କଲୁ ।’’

‘‘ସୁପ୍ରୀମ କୋର୍ଟ ତୃତୀୟଲିଙ୍ଗୀମାନଙ୍କୁ (Third Gender) ସାମାଜିକ ମାନ୍ୟତା ଦେଇଛି । ତେଣୁ ଯେମିତି ଜଣଏ ପୁରୁଷ ଜଣଏ ନାରୀକୁ ବିବାହ କରୁଛି, ସେମିତି ଯଦି ଜଣେ କିନ୍ନର ଓ ଜଣଏ ସାଧାରଣ ପୁରୁଷ ରାଜି ଥାଆନ୍ତି ତାହେଲେ ସେମାନେ ବିବାହ କରିପାରିବେ,’’ କହିଛନ୍ତି ଏହି ବିବାହରେ ସହଯୋଗ କରିଥିବା ଭାନୁ କିନ୍ନର ।

’’ଏହି ବିବାହରେ କୌଣସି ଅସୁବିଧା ନାହିଁ । ଏହାକୁ ସମଲିଙ୍ଗୀ ସମ୍ପର୍କ ଓ ସମଲିଙ୍ଗୀ ବିବାହ କୁହାଯାଇପାରେ । ଆମେ ଚାହୁଁଛୁ ଏହି ଦମ୍ପତି ସଦା ସୁଖୀ ରୁହନ୍ତୁ,’’ କହିଛନ୍ତି ଭାନୁ ।