କି ବର୍ବରତା! ଅନୁଗୁଳରେ ଗାଁ ଦାଣ୍ଡରେ ପେଟ୍ରୋଲ୍ ଢାଳି ଜିଅନ୍ତା ଜାଳି ମାରିଦେଲେ ଯୁବକଙ୍କୁ
ମୃତ ରାଜୁ ପ୍ରଧାନଙ୍କ ବୟସ ୨୩ରୁ ୨୫ ମଧ୍ୟରେ ହେବ ବୋଲି ପୋଲିସ କହିଛି । ଅଭିଯୁକ୍ତମାନଙ୍କୁ ଚିହ୍ନଟ କରିବାକୁ ପୋଲିସ୍ ପ୍ରୟାସ କରୁଥିବା ବେଳେ ସ୍ଥାନୀୟ ଲୋକେ, ଏପରିକି ମୃତକଙ୍କ ପରିବାର, ମୁହଁ ଖୋଲୁନାହାନ୍ତି ।

ଅନୁଗୁଳରେ ଘଟିଯାଇଛି ଏକ ବର୍ବର କାଣ୍ଡ । ଗାଁ ଦାଣ୍ଡରେ ଜଣେ ଯୁବକଙ୍କୁ ଜିଅନ୍ତା ଜାଳି ମାରିଦେଇଛନ୍ତି ଦୁର୍ବୃତ୍ତମାନେ ।

ରାଜୁ ପ୍ରଧାନ ନାମକ ଯୁବକଙ୍କୁ ପେଟ୍ରୋଲ ଢାଳି ଜିଅନ୍ତା ଜାଳି ଦିଆଯାଇଥିବା ସୂଚନା ମିଳିଛି । ରାଜୁ ପ୍ରଧାନଙ୍କ ବୟସ ୨୩ରୁ ୨୫ ମଧ୍ୟରେ ହେବ ବୋଲି ପୋଲିସ ସୂତ୍ରରୁ ପ୍ରକାଶ । ଏହି ଲୋମଟାଙ୍କୁରା ଘଟଣା ଘଟିଛି ଅନୁଗୁଳ ଜିଲ୍ଲା ହଣ୍ଡପା ଥାନା ଅନ୍ତର୍ଗତ କଦଳୀମୁଣ୍ଡା ଗାଁରେ ।

ଘଟଣାର ସୂଚନା ପାଇବା ପରେ ହଣ୍ଡପା ଥାନାଧିକାରୀଙ୍କ ନେତୃତ୍ୱରେ ଏକ ପୋଲିସ ଟିମ୍ ସେହି ଗାଁରେ ପହଞ୍ଚିଥିଲା । ମୃତ ଯୁବକଙ୍କ ଶବକୁ ଜବତ କରି ପୋଲିସ ଆଠମଲ୍ଲିକ ଡାକ୍ତରଖାନା ପଠାଇଛି । ସେଠାରେ ଶବଗୃହରେ ଏହା ରଖାଯାଇଛି । ଆସନ୍ତାକାଲି ବ୍ୟବଚ୍ଛେଦ ହେବ ।

ଘଟଣା ପରେ ଗ୍ରାମବାସୀମାନେ, ଏପରିକି ମୃତକ ରାଜୁ ପ୍ରଧାନଙ୍କ ପରିବାର ଲୋକେ, ମୁହଁ ଖୋଲୁ ନ ଥିବା ଜଣାପଡ଼ିଛି । ପୋଲିସ ସେମାନଙ୍କୁ ଏକ ଏତାଲା ଲେଖି ଦେବା ପାଇଁ କହିବା ସତ୍ତ୍ୱେ ସେମାନେ ତାହା କରିବାକୁ ରାଜି ହୋଇ ନ ଥିବା ଜଣାପଡ଼ିଛି । ଏଥିରୁ ସନ୍ଦେହ ବଢ଼ୁଛି ଯେ ଯୁବକର ହତ୍ୟାକାରୀଙ୍କ ମଧ୍ୟରେ ତା’ ପରିବାର ସଦସ୍ୟ ଓ ସମ୍ପର୍କୀୟମାନେ ଥାଇ ପାରନ୍ତି ।

ପୋଲିସର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ ମୃତ ରାଜୁ ପ୍ରଧାନ ଅଧିକାଂଶ ଦିନ ମଦ ପିଇ ସେହି ଗାଁରେ ପାଟିତୁଣ୍ଡ ଓ ଗାଳିଗୁଲଜ କରୁଥିବାରୁ ସ୍ଥାନୀୟ ଲୋକେ ଅତିଷ୍ଠ ହୋଇପଡ଼ିଥିଲେ ।