ନୟାଗଡ଼: ମଣିଷ ହେଲା ପଥର; ମଶାଣି ବିବାଦ ଯୋଗୁଁ ଗାଁ ମୁଣ୍ଡରେ ଦୁଇ ଦିନ ପଡ଼ିରହିଲା ଶବ
ଘଣ୍ଟେ ନୁହେଁ କି ଦୁଇ-ତିନି ଘଣ୍ଟା ନୁହେଁ । ପାଖାପାଖି ଦୁଇ ଦିନ ହେଲା ଗାଁ ମୁଣ୍ଡରେ ପଡ଼ିରହିଥିଲା ଜଣେ ଗ୍ରାମବାସୀଙ୍କ ଶବ । ଏହି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ନୟାଗଡ଼ ଜିଲ୍ଲାର ଶରଣକୁଳ ଥାନା ଅନ୍ତର୍ଗତ ଭାଳିଆଡ଼ିହି ଗାଁରେ ।

ମଶାଣିକୁ ନେଇ ଲାଗି ରହିଥିବା ବିବାଦ ହିଁ ଏମିତି ଅସ୍ୱାଭାବିକ ସ୍ଥିତିର କାରଣ । ଦୁଇ ସାହି ମଧ୍ୟରେ ମଶାଣି ବିବାଦ ଲାଗି ରହିଥିବାରୁ ନାଥ ପ୍ରଧାନଙ୍କ ଶବ ସଂକାର ହୋଇପାରି ନ ଥିଲା ।

ଗାଁରେ ଥିବା ଶ୍ମଶାନକୁ ନେଇ ଗାଁର କାଳନ୍ଦୀସାହି ଓ ଉପରସାହି ମଧ୍ୟରେ ବିବାଦ ଯୋଗୁଁ ଗାଁରେ ନାଥ ପ୍ରଧାନଙ୍କ ଶବ ପଡ଼ି ରହିବା ଘଟଣା ପୋଲିସକୁ ନାକେଦମ କରିଥିଲା ।

ପୂର୍ବରୁ ରହିଥିବା ଗାଁ ମଶାଣି ଆଗରେ ସ୍କୁଲ ରହିଥିବାରୁ ଶବ ପୋଡ଼ିବାକୁ ବିରୋଧ କରିଥିଲେ କାଳନ୍ଦୀସାହି ବାସିନ୍ଦାମାନେ । ଏହାକୁ କେନ୍ଦ୍ର କରି ଦୁଇ ସାହି ମଧ୍ୟରେ ବିବାଦ ଦେଖା ଦେଇଥିଲା ।

କାଳନ୍ଦୀସାହି ଲୋକଙ୍କ ବିରୋଧ ଯୋଗୁଁ ମୃତ ନାଥ ପ୍ରଧାନଙ୍କ ଶବ ସଂସ୍କାର ହୋଇ ନ ପାରି ଶୁକ୍ରବାର ଠାରୁ ଗାଁ ମୁଣ୍ଡରେ ପଡ଼ିରହିଥିଲା ।

ଶେଷରେ କାଳନ୍ଦୀସାହି ଲୋକଙ୍କ ବିରୋଧ ମଧ୍ୟରେ ପୋଲିସ ଦୁଇ ସାହିର ଲୋକଙ୍କ ଉପସ୍ଥିତିରେ ସ୍ଥାନୀୟ ତହସିଲଦାରଙ୍କ ଅନୁମତି ନେଇ ପୂର୍ବରୁ ରହିଥିବା ମଶାଣିରେ ନାଥଙ୍କ ଶବ ସଂସ୍କାର କରିଥିଲା ।

ସାତ ଦିନ ପରେ ଉଭୟ ପକ୍ଷକୁ ନେଇ ଗାଁରେ ଏକ ସ୍ଥାୟୀ ମଶାଣି ପାଇଁ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ସ୍ଥାନୀୟ ତହସିଲଦାର ।