ମହାପ୍ରଭୁ ଶ୍ରୀଜଗନ୍ନାଥ ଅଣସର ଘରେ ଥାଇ ସୁସ୍ଥ ହୋଇଆସୁଛନ୍ତି । ସ୍ନାନ ପୂର୍ଣ୍ଣିମାରେ ୧୦୮ ଗରା ସୁବାସିତ ଜଳରେ ସ୍ନାନ କରିବା ପରେ ମହା ଜ୍ୱରରେ ଆକ୍ରାନ୍ତ ହୋଇଛନ୍ତି ମହାପ୍ରଭୁ ଜଗନ୍ନାଥ । ସେହି ଦିନରୁ ଅଣସର ଘରେ ରହି ମହାପ୍ରଭୁ ଚିକିତ୍ସାଧୀନ ଅଛନ୍ତି । ତାଙ୍କ ଶ୍ରୀଅଙ୍ଗରେ ଫୁଲୁରୀ ତେଲ ଲାଗିବା ପରେ ଧୀରେ ଧୀରେ ସୁସ୍ଥ ହେଉଛନ୍ତି ଶ୍ରୀଜିଉ । ଦିନକୁ ଦିନ ଜ୍ୱରର ଉତ୍ତାପ ବଢି଼ବାରୁ ଅଣସର ପିଣ୍ଡିରେ ପଞ୍ଚମୀ ତିଥିରୁ ଦଇତାପତି ସେବକମାନେ ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ବିଭିନ୍ନ ସୁବାସିତ ଫୁଲ ଓ ଔଷଧୀୟ ସାମଗ୍ରୀରେ ପ୍ରସ୍ତୁତ ଫୁଲୁରୀ ତେଲକୁ ମାଲିସ କରିଛନ୍ତି । ଅନବସର ଷଷ୍ଠୀଠୁ (ଜୁନ୍ ୩୦) ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଆୟୁର୍ବେଦ ପଦ୍ଧତିରେ ବିଭିନ୍ନ ଔଷଧୀୟ ସାମଗ୍ରୀରେ ପ୍ରସ୍ତୁତ ଓସ୍ୱ ଲାଗି ହେବାରୁ ମହାପ୍ରଭୁଙ୍କ ଜ୍ୱର ପୀଡ଼ା ଉପଶମ ହେଉଛି । ଅଣସର ଶୁଦ୍ଧସୁଆର ସେବକମାନେ ଝୁଣାକୁ ବାଟି ସେଥିରେ ତେଲ ଓ କର୍ପୁର ଆଦି ମିଶାଇ ଏକ ଔଷଧୀୟ ଓସ୍ୱ ପ୍ରସ୍ତୁତ କରିଥାନ୍ତି । ସେହି ଓସ୍ୱକୁ ମଧ୍ଯାନ୍ନ ଧୂପ ପରେ ଦଇତାପତି ସେବକମାନେ ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଲେପନ କରିଥାନ୍ତି । ଏହା ଦ୍ୱାରା ମହାପ୍ରଭୁ ସୁସ୍ଥ ଅନୁଭବ କରିଥାନ୍ତି ବୋଲି ବିଶ୍ୱାସ ରହିଛି । ମହାପ୍ରଭୁଙ୍କର ଏହି ‘ଓସ୍ୱ ଲାଗି’ ସେବା ଷଷ୍ଠିଠାରୁ ଆରମ୍ଭ ହୋଇ ନବମୀ ତିଥି ପର୍ଯ୍ୟନ୍ତ ଚାରି ଦିନ ଧରି ଚାଲିବ ବୋଲି ଦଇତାପତି ସେବକ କହିଛନ୍ତି ।