କୋଲକାତା ବ୍ୟବସାୟୀ ନିଜ ସ୍ତ୍ରୀଙ୍କର ୧୪ ଜଣ ବୟଫ୍ରେଣ୍ଡ୍ ଥିବା ଜାଣିଲେ, ₹୧୦୦ କୋଟି ଦାବି କଲେ
ଏହି ବ୍ୟବସାୟୀଙ୍କ ମନରେ ନିଜ ପତ୍ନୀଙ୍କ ଅବୈଧ ସମ୍ପର୍କ ବିଷୟରେ ସନ୍ଦେହ ଆସିବା ପରେ ସେ ତାହା ବିଷୟରେ ପୂରା ବିବରଣୀ ସଂଗ୍ରହ କରିଥିଲେ । ନିଜ ଡ୍ରାଇଭରଙ୍କୁ ଗୋଇନ୍ଦା ବନେଇ ସେହି ୧୪ ଜଣ ପୁରୁଷଙ୍କ ବିଷୟରେ ପ୍ରମାଣ ସଂଗ୍ରହ କରିଥିଲେ ।

କୋଲକାତାରୁ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି। ଜଣେ ବ୍ୟକ୍ତି ନିଜ ପତ୍ନୀଙ୍କର ୧୪ ଜଣ ପୁରୁଷଙ୍କ ସହ ଅବୈଧ ସମ୍ପର୍କ (extramarital relation) ଅଛି ବୋଲି ଜାଣିବା ପରେ ସେହି ୧୪ ଜଣଙ୍କ ପାଖକୁ ଆଇନଗତ ନୋଟିସ୍ ପଠାଇ ତାଙ୍କର ମାନହାନି ହୋଇଥିବା କହି ସେମାନଙ୍କ ଠାରୁ ମୋଟ ୧୦୦ କୋଟି ଟଙ୍କା ଦାବି କରିଛନ୍ତି ।

ବୃତ୍ତିରେ ବ୍ୟବସାୟୀ ଏହି ସ୍ୱାମୀ ଜଣଙ୍କ ମନରେ ନିଜ ପତ୍ନୀଙ୍କ ଅବୈଧ ସମ୍ପର୍କ ବିଷୟରେ ସନ୍ଦେହ ଆସିବା ପରେ ସେ ଜଣେ ଡିଟେକ୍ଟିଭଙ୍କୁ ସେ ବିଷୟରେ ସମ୍ପୂର୍ଣ୍ଣ ବିବରଣୀ ଓ ପ୍ରମାଣ ସଂଗ୍ରହ କରିବା ପାଇଁ ନିୟୋଜିତ କରିଥିଲେ । ତା’ ଛଡ଼ା ନିଜ ଡ୍ରାଇଭରଙ୍କୁ ବି ଗୋଇନ୍ଦା ବନେଇ ସେହି ୧୪ ଜଣ ପୁରୁଷଙ୍କ ବିଷୟରେ ତଥ୍ୟ ଓ ପ୍ରମାଣ ସଂଗ୍ରହ କରିଥିଲେ ।

ସେହି ୧୪ ଜଣ ପୁରୁଷ ଲୋକଙ୍କୁ ଅଲଗା ଅଲଗା ଆଇନଗତ ନୋଟିସ୍ ପଠାଇ କହିଛନ୍ତି ଯେ ସେହି ନୋଟିସ୍ ପାଇବାର ଦୁଇ ସପ୍ତାହ ମଧ୍ୟରେ ତାଙ୍କୁ ମାନହାନି କରିଥିବା ଯୋଗୁଁ ସେମାନେ ଯଦି ତାଙ୍କୁ ଟଙ୍କା ନ ଦିଅନ୍ତି ତାହେଲେ ସେ ଆଇନ ଅନୁଯାୟୀ ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଆଡ଼କୁ ଆଗେଇବେ ।

ସେହି ନୋଟିସରେ ବ୍ୟବସାୟୀ ଜଣକ ଲେଖିଛନ୍ତି, ‘‘ନିକଟରେ ମୁଁ ଜାଣିବାକୁ ପାଇଲି ଯେ ଆପଣମାନେ ମୋ’ ସ୍ତ୍ରୀ ସହିତ ଶାରୀରିକ ସମ୍ପର୍କ ରଖିଛନ୍ତି ଓ ମୋ’ ପତ୍ନୀଙ୍କ ସହିତ ଗୁପ୍ତ ଭାବେ ଯୋଗାଯୋଗ କରୁଛନ୍ତି । ଆପଣ ସମସ୍ତେ ଜାଣନ୍ତି ଯେ ସେ ବିବାହିତା । ଆପଣମାନଙ୍କ ମଧ୍ୟରୁ ଅନେକ ମୋତେ ତାଙ୍କ ସ୍ୱାମୀ ଭାବରେ ଜାଣନ୍ତି…’’

‘‘ମୋ’ ବୈବାହିକ ଜୀବନ ଆପଣମାନଙ୍କର ଏହି ବେଆଇନ କାର୍ଯ୍ୟକଳାପ ଦ୍ୱାରା ନଷ୍ଟ ହୋଇଯାଇଛି । ମୁଁ ଯନ୍ତ୍ରଣାରେ ଜୀବନ ବିତାଉଛି ଏବଂ ସମାଜରେ ମୋ’ର ପ୍ରତିଷ୍ଠା ମଧ୍ୟ ନଷ୍ଟ ହୋଇଯାଇଛି । ମୋ’ର ମାନହାନି କରିଥିବା ଯୋଗୁଁ ଆପଣମାନଙ୍କୁ ସମସ୍ତଙ୍କୁ ଆସନ୍ତା ଦୁଇ ସପ୍ତାହ ମଧ୍ୟରେ ମୋତେ ମୋ’ଟ ୧୦୦ କୋଟି ଟଙ୍କ ଦେବାକୁ ପଡ଼ିବ । ଯଦି ଆପଣମାନେ ତାହା ନ କରନ୍ତି, ତେବେ ମୁଁ ଆପଣମାନଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବାଧ୍ୟ ହେବି ।’’