
ଯାଜପୁର ଜିଲ୍ଲାରେ ଅପହରଣ କାଣ୍ଡ ବଢ଼ୁଥିବା ପରି ଲାଗୁଛି । ବିଞ୍ଝାରପୁର ଥାନା ଅଞ୍ଚଳର ଜଣେ ଅଷ୍ଟମ ଶ୍ରେଣୀର ଛାତ୍ର ଅପହରଣ ହୋଇଯିବା ପରେ ସୌଭାଗ୍ୟବଶତଃ କୌଣସି ମତେ ଅପହରଣକାରୀଙ୍କ କବଳରୁ ଖସି ଆସିଛି ।

ପ୍ରିୟାଂଶୁ ଜେନା ନାମକ ଏହି ଛାତ୍ର ଅପହରଣକାରୀଙ୍କ କବଳରୁ ଖସିଆସିବା ପରେ ପୋଲିସ ନିକଟରେ ଘଟଣାର ସମ୍ପୂର୍ଣ୍ଣ ବିବରଣୀ ଦେଇଛି ।

ପ୍ରିୟାଂଶୁ ମାର୍କେଟରୁ ନିଜ ଘରକୁ ସାଇକେଲରେ ଫେରୁଥିବା ବେଳେ କିଛି ଦୁର୍ବୃତ୍ତ ତା’ ହାତଗୋଡ଼ ଓ ଆଖି ବାନ୍ଧି ଏକ ଟାଟା ମ୍ୟାଜିକ୍ ଗାଡ଼ିରେ ବସାଇ ଅପହରଣ କରି ନେଇଥିଲେ ବୋଲି ସେ କହିଛି ।

ଅପହରଣକାରୀମାନେ ପ୍ରିୟାଂଶୁକୁ ଅରେଇ ଛକ ନିକଟରେ ଏକ ବିଲରେ ନେଇ ଛାଡ଼ିଥିବା ବେଳେ ସେ ଦାନ୍ତରେ ରସି ଖୋଲି ଖସି ପଳାଇ ଆସିଥିଲା ବୋଲି କହିଛି ।

ଆଖପାଖ ଗାଁରେ ଏମିତି ଅପହରଣ ଘଟଣା ଘଟିଚାଲିଥିବା କହି ପୋଲିସର ତଦନ୍ତ ବେଗ ଓ ସକ୍ରିୟତା ବଢ଼ିବା ଉଚିତ ବୋଲି କହିଛନ୍ତି ପ୍ରିୟାଂଶୁର ମା’ ଗୀତାଞ୍ଜଳୀ ଜେନା ।

ଏହି ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ପୂର୍ବରୁ ନିଖୋଜ ହୋଇଥିବା ଶିଶୁକନ୍ୟା ପିହୁର ଏ ପର୍ଯ୍ୟନ୍ତ କୌଣସି ସୁରାକ ମିଳି ନ ଥିବା ବେଳେ ଏହି ଘଟଣା ପୋଲିସର କାର୍ଯ୍ୟଦକ୍ଷତା ଉପରେ ସୃଷ୍ଟି କରିଛି ପ୍ରଶ୍ନବାଚୀ ।