ବାଲେଶ୍ୱର ଜିଲ୍ଲା ଔପଦା ଥାନା ଅଧୀନ ପାଇକିପଡ଼ା ଗ୍ରାମର ଜଣେ ବ୍ୟକ୍ତି ନିଶାସକ୍ତ ଅବସ୍ଥାରେ ଦୁଇ ମାସର ଶିଶୁ କନ୍ୟାର ଡାହାଣ ହାତକୁ ଏକ କଟୁରୀରେ ହାଣି ଦୁଇ ଖଣ୍ଡ କରିଦେଇଛି । ଶିଶୁର ବାପା ପଙ୍କଜ ନାଇକୀଙ୍କ ଡାହାଣ ହାତ ବି କଟିଯାଇଛି । ମଙ୍ଗଳବାର ରାତିରେ ନିଜ ଦୁଇ ମାସର ଶିଶୁ କନ୍ୟାକୁ ହାତରେ ଧରି ସେ ଘରେ ବସି ଟିଭି ଦେଖୁଥିବା ସମୟରେ ତାଙ୍କ ପଡ଼ୋଶୀ ଗଣେଶ ନାଇକୀ ଆସି ଏହି କାଣ୍ଡ କରିଥିଲା । ପଡୋଶୀ ବାଇଧର ନାଇକୀଙ୍କ ପୁଅ ଗଣେଶ ନାଇକୀ ନିଶାସକ୍ତ ଅବସ୍ଥାରେ ନିଜ ସାନ ଭାଇ ସହ ଝଗଡ଼ା କରିବା ପରେ ଏକ ଧାରୁଆ କଟୁରୀ ଧରି ପଙ୍କଜଙ୍କ ଘରକୁ ଆସି ତାଙ୍କ ସହିତ ଝଗଡ଼ା କରିଥିଲେ। ଗଣେଶ ଉତ୍କ୍ଷିପ୍ତ ହୋଇ ହାତରେ ଧରିଥିବା ଧାରୁଆ କଟୁରିରେ ପଙ୍କଜଙ୍କୁ ଆକ୍ରମଣ କରିଥିଲେ । ପଙ୍କଜଙ୍କ ହାତର ପାପୁଲି ଅଧା ହାଣିଯିବା ସହିତ ସେ ଧରିଥିବା ଦୁଇ ମାସର ଶିଶୁ କନ୍ୟାର ଡାହାଣ ହାତଟି କଟି ସମ୍ପୂର୍ଣ୍ଣ ଛିଡ଼ିଯାଇଥିଲା । ଗ୍ରାମବାସୀମାନେ ସଙ୍ଗେ ସଙ୍ଗେ ବାଇକ୍ ଯୋଗେ ଖଇରା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରକୁ ଶିଶୁ କନ୍ୟାକୁ ଓ ପଙ୍କଜକୁ ଆଣିଥିଲେ । ଶିଶୁ କନ୍ୟାଟିର ଅବସ୍ଥା ସଙ୍କଟାପନ୍ନ ହେବାରୁ ତାକୁ ୧୦୮ ଆମ୍ବୁଲାନ୍ସ ଯୋଗେ କଟକ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି ।