ଆପଣଙ୍କ WhatsApp ଚାଟ୍ କେତେ ସୁରକ୍ଷିତ? ନିଜକୁ କେମିତି ସୁରକ୍ଷିତ ରଖିବେ? ଜାଣନ୍ତୁ
ହ୍ୱାଟସ୍ ଆପ୍ (WhatsApp) କହୁଛି ଯେ ଆପଣଙ୍କର ସବୁ ମେସେଜ୍ ଏଣ୍ଡ୍-ଟୁ-ଏଣ୍ଡ୍ ଏନକ୍ରିପ୍ଟେଡ୍ । କିନ୍ତୁ ଡିଲିଟ୍ ହୋଇଥିବା ପୁରୁଣା ଚାଟ୍ ପୁଣି କେମିତି ବାହାରକୁ ଆସୁଛି, ଯେମିତି କେତେକ ବଲିଉଡ୍ ତାରକାମାନଙ୍କର ଆସିଲା?

ଆଜିକାଲି ବଲିଉଡରେ (Bollywood) ବହୁତ ଆଲୋଡ଼ନ ଚାଲିଛି । ପ୍ରତି ଦିନ ନୂଆ ତଥ୍ୟ ପ୍ରକାଶ ଘଟୁଛି, ବର୍ଷ ବର୍ଷ ତଳର ପୁରୁଣା କଥା ବାହାରକୁ ଆସୁଛି । ଏଥି ପାଇଁ ମାଧ୍ୟମ ସାଜିଛି ହ୍ୱାଟସ୍ ଆପ୍ (WhatsApp) । କିନ୍ତୁ ହ୍ୱାଟସ୍ ଆପ୍ କହିଛି ଯେ ସବୁ ଲୋକଙ୍କ ମେସେଜ୍ ଏଣ୍ଡ୍-ଟୁ-ଏଣ୍ଡ୍ ଏନକ୍ରିପ୍ଟେଡ୍ (end-to-end encrypted) । ତେବେ ସେଥିରୁ ଡିଲିଟ୍ ହୋଇଥିବା ପୁରୁଣା ଚାଟ୍ କେମିତି ବାହାରକୁ ଆସୁଛି? ଏହି ଘଟଣା ଆପଣଙ୍କ ଓ ଆମ ମନରେ ଅନେକ ପ୍ରଶ୍ନ ସୃଷ୍ଟି କରୁଛି କାରଣ ଆମେ ସମସ୍ତେ ହ୍ୱାଟସ୍ ଆପ୍ (WhatsApp) ବ୍ୟବହାର କରୁଛୁ ।

ଆମର ଜାଣିବା ଜରୁରୀ ଯେ ହ୍ୱାଟସ୍ ଆପ୍ ପରି ଚାଟ୍ ପ୍ଲାଟଫର୍ମ, ଯାହା ସମ୍ପୂର୍ଣ୍ଣ ମାଗଣା, ସେଥିରେ ଆମ ଚାଟ୍ ବା ବାର୍ତ୍ତାଳାପ କେତେ ସୁରକ୍ଷିତ । ଗତ ବର୍ଷ ପେଗାସସ୍ ସ୍ପାଏୱେର୍ କାଣ୍ଡ ବି ସାମ୍ନାକୁ ଆସିଥିଲା ଯେଉଁଥିରେ ସାରା ବିଶ୍ୱରେ ସେଲିବ୍ରିଟିମାନଙ୍କ ଉପରେ ଗୁପ୍ତଚର ତଥ୍ୟ ପାଇବା ଲାଗି ହ୍ୱାଟସ୍ ଆପ୍ ବ୍ୟବହାର କରାଯାଇଥିଲା ।

କେମିତି ବାହାରକୁ ଆସିଲା ଚାଟ୍? ପୋଲିସ ଓ ଅନ୍ୟ ତଦନ୍ତକାରୀ ସଂସ୍ଥାମାନେ ଏକ ନିର୍ଦ୍ଦିଷ୍ଟ ପ୍ରକ୍ରିୟାରେ ଏହି ତଥ୍ୟ ନେଇ ପାରିବେ ଓ କୋର୍ଟରେ ଅଭିଯୁକ୍ତମାନଙ୍କ ବିରୋଧରେ ଏହାର ବ୍ୟବହାର କରିପାରିବେ । କିନ୍ତୁ ବାସ୍ତବରେ ଉପଭୋକ୍ତା ଯଦି ନିଜ ମେସେଜ୍ ଆର୍କାଇଭ୍ (archive) କରିଥିବେ ତେବେ ତାଙ୍କ ଫୋନର ଚାଟ୍ ବ୍ୟାକଅପରୁ ସେହି ସୂଚନା ପୁଣି ବାହାର କରାଯାଇପାରିବ ।

ସବୁ ଆପ୍ ମେସେଜଗୁଡ଼ିକର ଗୋପନୀୟତାକୁ ନେଇ ଦାବି କରୁଛନ୍ତି । କିନ୍ତୁ ଏଥିରେ କେତେକ ବ୍ୟତିକ୍ରମ ଦେଖିବାକୁ ମିଳୁଛି । ଆଇନଗତ ପ୍ରକ୍ରିୟା ଓ ସରକାରଙ୍କ ଆବେଦନ ଅନୁସାରେ ଏହି ଆପ୍ କମ୍ପାନୀଗୁଡ଼ିକୁ ସୂଚନା ଦେବାକୁ ପଡ଼ିବ । ସାଇବର ନିୟମର ଉଲ୍ଲଙ୍ଘନ ମାମଲାର ତଦନ୍ତରେ ବି ସେମାନଙ୍କୁ ସୂଚନା ଦେବା ଜରୁରୀ । ଏହା ବ୍ୟତୀତ ଠକେଇ, ବେଆଇନ କାର୍ଯ୍ୟ, ପ୍ରତିରକ୍ଷା, ସୁରକ୍ଷା, ଉପଭୋକ୍ତା ବା କମ୍ପାନୀର ଅଧିକାରର ରକ୍ଷା ଆଦି ମାମଲାରେ ଏହି ସୂଚନା ନିଆଯାଇପାରେ ।

ଚାଟ୍ ଏକ ଆଇନଗତ ପ୍ରମାଣ କି? ଏହା ଏକ ବଡ଼ ପ୍ରଶ୍ନ । ପ୍ରଚଳିତ ପ୍ରମାଣ ଆଇନ (Evidence Act) ଅନୁସାରେ ଏହା ଆଇନଗତ ପ୍ରମାଣ ହୋଇପାରେ, କିନ୍ତୁ ଏହାର ବିଶ୍ୱସନୀୟତା ପାଇଁ ଆଫିଡେଭିଟ୍ ଆବଶ୍ୟକ । ଚାଟର ସତ୍ୟତାର ସମର୍ଥନରେ ଅନ୍ୟ ପ୍ରମାଣ ଦେବା ଭଲ । ଆଇନଗତ ପ୍ରକ୍ରିୟା ମାଧ୍ୟମରେ ଏହା ପାଇବା ଆବଶ୍ୟକ ହୋଇଥାଏ ।

ଚାଟିଂରେ ବିପଦ (risk) ଅଛି କି? ଗୋପନୀୟତା ନୀତି ଚାଟ୍ କମ୍ପାନୀଗୁଡିକ ସପକ୍ଷରେ ଅଛି । ଏହି ନୀତି ଉପଭୋକ୍ତାମାନଙ୍କର ଗୋପନୀୟତା ଅଧିକାର ଉପରେ ଭାରି ପଡ଼ୁଛି । ଚାଟିଂକୁ ହ୍ୟାକ୍ କରିବା ବି ଟେକ୍ନିକାଲ୍ ରୂପରେ କଷ୍ଟସାଧ୍ୟ ନୁହେଁ । ସରକାରୀ ଏଜେନ୍ସିଗୁଡ଼ିକ ଚ୍ୟାଟିଂ ଉପରେ ନଜର ରଖିପାରନ୍ତି । ଏହି ନଜରର ସୂଚନା ଉପଭୋକ୍ତାଙ୍କ ପାଖରେ ନ ଥାଏ । ବ୍ୟବହାରକାରୀଙ୍କ ଆପରେ ସ୍ପାଏୱେର୍ ଥିବା ବି ସମ୍ଭବ । ଚାଟିଂ ପ୍ଲାଟଫର୍ମଗୁଡ଼ିକ ଆପଣଙ୍କ ମେଟାଡାଟା ନେଇଥାନ୍ତି । ଏହି କମ୍ପାନୀଗୁଡ଼ିକ ଉପଭୋକ୍ତାମାନଙ୍କ ପ୍ରୋଫାଇଲ୍ ବି କରନ୍ତି । ଅଧିକାଂଶ ଚାଟିଂ ପ୍ଲାଟଫର୍ମ ବିଦେଶରୁ କାର୍ଯ୍ୟ କରନ୍ତି । ମାଗଣା ଚାଟିଂ ପ୍ଲାଟଫର୍ମଗୁଡ଼ିକ ପାଇଁ ଡାଟା ହେଉଛି ଅର୍ଥ ଉପାର୍ଜନର ମାଧ୍ୟମ ।

ହ୍ୱାଟସ୍ ଆପ୍ କହିଛି ଯେ ଏଥିରେ ଆଦାନ ପ୍ରଦାନ ହେଉଥିବା ସବୁ ମେସେଜ୍ ଏଣ୍ଡ-ଟୁ-ଏଣ୍ଡ ଏନକ୍ରିପସନ୍ (end-to-end encryption) ହୋଇଥାଏ । କେବଳ ଯେଉଁମାନଙ୍କ ମଧ୍ୟରେ ମେସେଜ ଦିଆନିଆ ହୋଇଛି ସେମାନେ ଏହା ଜାଣିବେ । ନିଜେ ହ୍ୱାଟସ୍ ଆପ୍ ବି ଏହି ମେସେଜ୍ ପଢ଼ିପାରିବ ନାହିଁ ବୋଲି କହିଛି । ହ୍ୱାଟସ୍ ଆପ୍ କହିଛି ଯେ ଏହା କେବଳ ଆପଣଙ୍କ ଫୋନ୍ ନମ୍ବର ନେଇଥାଏ ଓ ଅପରେଟିଂ ସିଷ୍ଟମ ଅନୁସାରେ ଆମଣଙ୍କ ଡାଟାର ସୁରକ୍ଷା ସୁନିଶ୍ଚିତ ଥାଏ ।