ଢେଙ୍କାନାଳରେ ଐତିହାସିକ ବଳଦ ଯାତ୍ରା ଆୟୋଜିତ ହେଲା; ଏ ଥର ୫୦ ବଦଳରେ ୨ଟି ବଳଦ ରହିଲେ
ଶହ ଶହ ବର୍ଷ ଧରି ଢେଙ୍କାନାଳ ଜିଲ୍ଲାର ଭୁବନରେ ମହା ଆଡ଼ମ୍ବରରେ ଅନୁଷ୍ଠିତ ହୋଇଆସୁଛି ପାରମ୍ପରିକ ବଳଦ ଯାତ୍ରା । ଏ ଥର କରୋନା କଟକଣା ଯୋଗୁଁ ଏହା ଫିକା ପଡ଼ିଥିଲେ ବି ଆୟୋଜନରେ ଲୋକଙ୍କ ଉତ୍ସାହ ଦେଖିବାକୁ ମିଳିଥିଲା ।

କରୋନା କଟକଣା ମଧ୍ୟରେ ଢେଙ୍କାନାଳ ଜିଲ୍ଲାର ଭୁବନରେ ନିରାଡ଼ମ୍ବରରେ ପାଳିତ ହୋଇଛି ଐତିହାସିକ ବଳଦ ଯାତ୍ରା । ଶହେରୁ ଉର୍ଦ୍ଧ୍ବ ବର୍ଷ ତଳର ଏହି ପାରମ୍ପରିକ ବଳଦ ଯାତ୍ରାରେ ୫୦ଟି ବଳଦ ପରିବର୍ତ୍ତେ ମାତ୍ର ଦୁଇଟି ବଳଦକୁ ସରକାର ଅନୁମତି ଦେଇଥିଲେ ।

ଶହ ଶହ ବର୍ଷ ଧରି ଢେଙ୍କାନାଳ ଜିଲ୍ଲାର ଭୁବନରେ ପ୍ରତି ବର୍ଷ ବିଜୟା ଦଶମୀ ଓ ଏକାଦଶୀ ତିଥିରେ ଅନୁଷ୍ଠିତ ହୁଏ ଏହି ପାରମ୍ପରିକ ବିଶ୍ୱପ୍ରସିଦ୍ଧ ବଳଦ ଯାତ୍ରା । ପ୍ରାୟ ୫୦ଟି ବଳଦକୁ ସୁସଜ୍ଜିତ କରି ପାରମ୍ପରିକ ଓ ଆଧୁନିକ ବାଦ୍ୟ ସହ ରୋଷଣିରେ ଏହି ଶୋଭାଯାତ୍ରା କରାଯାଇଥାଏ ।

ସବୁ ବଳଦ ବିଚଳିତ ନ ହୋଇ ଏହି ରାତ୍ରିକାଳୀନ ଶୋଭାଯାତ୍ରାରେ ସହର ପରିକ୍ରମା କରିଥାନ୍ତି । ଏହାକୁ ଦେଖିବାକୁ ହଜାର ହଜାର ଲୋକଙ୍କ ସମାଗମ ହୋଇଥାଏ । ମାତ୍ର ଏଥର କରୋନା କଟକଣା ଯୋଗୁଁ ଜିଲ୍ଲା ପ୍ରଶାସନର ନିୟମ ଅନୁଯାୟୀ ଏହି ଯାତ୍ରା ଆୟୋଜିତ ହୋଇଥିବାରୁ ନା ଲୋକଙ୍କ ଗହଳି ଥିଲା ନା ପୂର୍ବ ବର୍ଷମାନଙ୍କ ଭଳି ଲୋକଙ୍କ ମୁହଁରେ ଖୁସି ଥିଲା ।

ଭୁବନରେ ଶତାଧିକ ଥୋରିଆ ସମ୍ପ୍ରଦାୟର ପରିବାର ବାସ କରନ୍ତି। ପୂର୍ବରୁ କୌଣସି ଯାନବାହନ ପ୍ରଚଳନ ନ ଥିବା ସମୟରେ ଏହି ସମ୍ପ୍ରଦାୟର ଲୋକେ ବଳଦ ପିଠିରେ ଜିନିଷ ନେଇ ବାହାର ରାଜ୍ୟରେ ବେପାର ବାଣିଜ୍ୟ କରୁଥିଲେ ଓ ଦଶହରା ସମୟରେ ବର୍ଷକେ ଥରେ ଗାଁକୁ ଫେରୁଥିଲେ । ସେହି ସମୟରେ ବଳଦକୁ ପୂଜାର୍ଚ୍ଚନା କରି ଶୋଭାଯାତ୍ରା ମାଧ୍ୟମରେ ସମଗ୍ର ଅଞ୍ଚଳକୁ ବେଶ ଯାକଜମକରେ ଭ୍ରମଣ କରି ଯାତ୍ରା ପାଳନ କରୁଥିଲେ ।

ଏହି ଶୋଭାଯାତ୍ରା ସମୟରେ ଭୁବନର ଆରାଧ୍ୟ ଦେବୀ ମାଆ ବଣିଜାରୀଙ୍କ ବେଢ଼ା ବି ପରିକ୍ରମା କରାଯାଏ । ମାଆଙ୍କୁ ସ୍ବତନ୍ତ୍ର ପଣା ଓ ଭୋଗ ଦେବା ପରେ ବଣିକ ଥୋରିଆ ସମ୍ପ୍ରଦାୟର ଲୋକେ ବଣିଜ କରିବାକୁ ବିଦେଶକୁ ଯାଉଥିଲେ । ଆଜି ବି ଭୁବନବାସୀ ସେହି ପରମ୍ପରାକୁ ବଜାୟ ରଖିଛନ୍ତି ।