ବାଇକ୍ ଆରୋହୀ ଜାଣି ରଖନ୍ତୁ: ବାଇକ୍ ପଛରେ ବସିଥିବା ଲୋକ ପାଇଁ ବି ହେଲମେଟ୍ ବାଧ୍ୟତାମୂଳକ ହେଲା
ନୂଆ ବର୍ଷ ଦିନ ଠାରୁ ରାଜ୍ୟରେ ନୂଆ ଟ୍ରାଫିକ୍ ନିୟମର ଅନୁପାଳନ କଡ଼ାକଡ଼ି କରାଯାଉଛି । ଉଭୟ ବାଇକ୍ ଚାଳକ ଓ ପଛରେ ବସିଥିବା ବ୍ୟକ୍ତି ଯଦି ହେଲମେଟ୍ ନ ପିନ୍ଧିଥା’ନ୍ତି ତାହେଲେ ସେମାନଙ୍କ ଡ୍ରାଇଭିଂ ଲାଇସେନ୍ସ ବାତିଲ୍ ହେବ ।

ରାଜ୍ୟରେ କାଲି ଠାରୁ (ଜାନୁଆରୀ ୧ ତାରିଖ ଠାରୁ) କଡ଼ାକଡ଼ି ହେବେ ଡବଲ୍ ହେଲମେଟ୍ ନିୟମ । ବାଇକ ପଛରେ ବସିଥିବା ଲୋକଙ୍କ ପାଇଁ ହେଲମେଟ୍ ପିନ୍ଧିବା ବାଧ୍ୟତାମୂଳକ ହେବ ।

ପୂର୍ବରୁ ଜାରି ହୋଇଥିବା ଏହି ନିୟମ ନୂଆ ବର୍ଷ ଦିନ ଠାରୁ କଡ଼ାକଡ଼ି କରାଯିବ ବୋଲି କହିଛନ୍ତି ବାଣଜ୍ୟ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ।

ଡବଲ ହେଲମେଟ୍ ନ ଥିଲେ ବାଇକ୍ ଆରୋହୀଙ୍କ ବିରୋଧରେ ନିଆଯିବ କାର୍ଯ୍ୟାନୁଷ୍ଠାନ । ଗାଡ଼ିର ସମସ୍ତ କାଗଜପତ୍ର ଯାଞ୍ଚ କରାଯିବ ।

ଦୁର୍ଘଟଣା କମାଇବା ପାଇଁ ଏହି ଡବଲ୍ ହେଲମେଟ୍ ନିୟମ ଲାଗୁ କରାଯାଉଛି ବୋଲି କହିଛନ୍ତି ମନ୍ତ୍ରୀ ପଦ୍ମନାଭ ବେହେରା ।

ଓଡ଼ିଶା ରାଜ୍ୟ ପରିବହନ ପ୍ରାଧିକରଣ (STA) ମୋଟର ଚାଳକମାନଙ୍କୁ ସଂଶୋଧିତ ମୋଟର ଯାନ ଅଧିନିୟମ ୨୦୧୯ ଅନୁଯାୟୀ ନୂଆ ହେଲମେଟ ନିୟମକୁ କଡ଼ାକଡ଼ି ପାଳନ କରିବାକୁ ଚେତାବନୀ ଦେଇଛି ।

STA କହିଛି ଯେ ଯଦି ମୋଟରସାଇକେଲ ଚଲାଇବା ସମୟରେ ଉଭୟ ଡ୍ରାଇଭର ଓ ପିଲିୟନ୍ ଆରୋହୀ ହେଲମେଟ ନ ପିନ୍ଧନ୍ତି ତେବେ ଚାଳକଙ୍କ ଡ୍ରାଇଭିଂ ଲାଇସେନ୍ସ ବାତିଲ୍ ହେବ ।

ମାର୍ଚ୍ଚ ୨୦୨୦ରୁ ତିନି ମାସର ଆରାମ ଅବଧି ସମାପ୍ତ ହେବା ପରେ ଏହି କଠୋର କାର୍ଯ୍ୟାନୁଷ୍ଠାନ କାର୍ଯ୍ୟକାରୀ କରାଯିବାର ଥିଲା । ହେଲେ ସାରା ଦେଶରେ କରୋନା ସଂକ୍ରମଣ ଯୋଗୁଁ ଲାଗିଥିବା ଲକଡାଉନ୍ କାରଣରୁ କୋହଳତା ମିଳିଥିଲା ।

ନୂଆ ବ୍ୟବସ୍ଥା ଅନୁଯାୟୀ ଦୁଇଚକିଆ ଯାନରେ ବସିଥିବା ଲୋକମାନଙ୍କ ପାଇଁ ହେଲମେଟ ଓ କାରରେ ବସିଥିବା ଲୋକଙ୍କ ପାଇଁ ସିଟ୍ ବେଲ୍ଟ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି ।