ଆୟକର ବିଭାଗ ଭାବେ ଯେ ଆପଣ ଏକାଧିକ ବ୍ୟାଙ୍କ ଆକାଉଣ୍ଟ ଏଇଥି ପାଇଁ ଖୋଲିଛନ୍ତି ଯେ ଏହା କଳା ଟଙ୍କାକୁ ଧଳା କରିବାର ଏକ ମାଧ୍ୟମ ହେବ । ଭାରତରେ ଏ ପର୍ଯ୍ୟନ୍ତ ଏମିତି କୌଣସି ନିୟମ କରାଯାଇ ନାହିଁ ଯାହା ଜଣେ ବ୍ୟକ୍ତିଙ୍କୁ ଅନେକ ବ୍ୟାଙ୍କରେ ଆକାଉଣ୍ଟ ଖୋଲିବାରୁ ବାରଣ କରିଛି । କିନ୍ତୁ ଯେତେବେଳେ ଆୟକର ବିଭାଗର ସକ୍ରିୟତା କଥା ଆସେ, ସେତେବେଳେ ଏପରି ଲୋକେ ଅସୁବିଧାରେ ପଡ଼ିପାରନ୍ତି ।
ଆୟକର ବିଭାଗର ଚିନ୍ତାଧାରା ଭିନ୍ନ । ଏହି ବିଭାଗ ଭାବେ ଯେ ଯଦି କେହି ବିନା କାରଣରେ ଅନେକ ବ୍ୟାଙ୍କରେ ଆକାଉଣ୍ଟ ଖୋଲି ରଖିଛନ୍ତି, ତେବେ ସେହି ଆକାଉଣ୍ଟଗୁଡ଼ିକ ଡମି ଆକାଉଣ୍ଟ ନୁହଁନ୍ତି ତ? ସେହି ଆକାଉଣ୍ଟଗୁଡ଼ିକ କୌଣସି ସେଲ୍ କିମ୍ବା ଫର୍ଜି କମ୍ପାନୀ ସହିତ ଜଡ଼ିତ ନୁହେଁ ତ? କଳା ଟଙ୍କାକୁ ଧଳା କରିବାରେ ଏହି ଆକାଉଣ୍ଟଗୁଡ଼ିକ ସାହାଯ୍ୟ କରୁଛି ବୋଲି ବି ବିଭାଗ ସନ୍ଦେହ କରେ ।
ଅର୍ଥ ମନ୍ତ୍ରଣାଳୟର ଅଧିକାରୀମାନେ କହିଛନ୍ତି ଯେ ବର୍ତ୍ତମାନ ଆୟକର ବିଭାଗ ନିୟମିତ ଭାବେ ବ୍ୟାଙ୍କମାନଙ୍କରୁ ସୂଚନା ପାଉଛି । ବିପୁଳ ପରିମାଣର ଟଙ୍କା ପ୍ରତ୍ୟାହାର କିମ୍ବା ଜମା କରୁଥିବା ବ୍ୟକ୍ତିଙ୍କ ବିଷୟରେ ବ୍ୟାଙ୍କ ତୁରନ୍ତ ଆୟକର ବିଭାଗକୁ ସୂଚନା ଦେଉଛି । କେବଳ ଏତିକି ନୁହେଁ, ଗୋଟିଏ ପ୍ୟାନ ନମ୍ବର ବ୍ୟବହାର କରି କେତୋଟି ବ୍ୟାଙ୍କ ଆକାଉଣ୍ଟ ଖୋଲାଯାଇଛି ସେ ସମ୍ବନ୍ଧରେ ସୂଚନା ଗୋଟିଏ କ୍ଲିକରେ ମିଳିପାରୁଛି ।
ଯଦି ଜଣେ ବ୍ୟକ୍ତି ବିଭିନ୍ନ ସହରରେ ବ୍ୟାଙ୍କ ଆକାଉଣ୍ଟ ଖୋଲି ରଖିଛନ୍ତି, ତାହେଲେ ବି ସେ ସନ୍ଦେହର ପାତ୍ର ହୋଇଯାଆନ୍ତି । ଆଜିରୁ ବହୁ ବର୍ଷ ପୂର୍ବରୁ, ଯେତେବେଳେ ବ୍ୟାଙ୍କଗୁଡ଼ିକରେ କେନ୍ଦ୍ରୀୟ ବ୍ୟାଙ୍କିଙ୍ଗ୍ ବ୍ୟବସ୍ଥା (centralised banking system) ନ ଥିଲା, ସେତେବେଳେ ଏହା କରାଯାଉଥିଲା । ଅନେକ ସହରରେ କାର୍ଯ୍ୟ କରୁଥିବା ବ୍ୟବସାୟୀମାନେ ଏହା କରୁଥିଲେ, କାରଣ ସେହି ସମୟରେ ଅନ୍ୟ ସହରର ବ୍ୟାଙ୍କର ଚେକ୍ କ୍ଲିଅର୍ କରିବାକୁ ସମୟ ଲାଗିଥିଲା । ଏବେ ତ CBS ବ୍ୟବସ୍ଥାରେ ଆଖି ପିଛୁଳାକେ ଟଙ୍କା ଟ୍ରାନ୍ସଫର ହୋଇଯାଉଛି । ଏପରି ପରିସ୍ଥିତିରେ ଯଦି ଜଣେ ବ୍ୟକ୍ତି ବିଭିନ୍ନ ସହରରେ ବ୍ୟାଙ୍କ ଆକାଉଣ୍ଟ ଖୋଲି ରଖିଛନ୍ତି, ତେବେ ନିଶ୍ଚିତ ଭାବରେ ତାଙ୍କର ଅନ୍ୟ କିଛି ଉଦ୍ଦେଶ୍ୟ ରହିଛି ବୋଲି ସନ୍ଦେହ ହେବ ।
ଆୟକର ବିଭାଗର ଅଧିକାରୀମାନେ କହିଛନ୍ତି ଯେ ଏଭଳି ମାମଲା ଆସୁଛି । କିଛି ସମୟ ପୂର୍ବରୁ ଗାଜିଆବାଦରେ ଜଣେ ବ୍ୟକ୍ତି ଧରାପଡ଼ିଥିଲେ । ସେ ଏକ ଘରୋଇ ବ୍ୟାଙ୍କ ଓ ଏକ ସରକାରୀ ବ୍ୟାଙ୍କରେ ୮୦ରୁ ଅଧିକ ଆକାଉଣ୍ଟ ଖୋଲିଥିଲେ । ଆୟକର ବିଭାଗକୁ ସନ୍ଦେହ ହୋଇଥିଲା ଯେ ସେ ଏହି ଆକାଉଣ୍ଟଗୁଡ଼ିକ ସାହାଯ୍ୟରେ ପ୍ରାୟ ୩୮୦ କୋଟି ଟଙ୍କାର କଳା ଧନକୁ ଧଳାରେ ପରିଣତ କରିଥିଲେ । ନୋଟବନ୍ଦୀ ସମୟରେ ଏଭଳି ଜଣେ ବ୍ୟକ୍ତିଙ୍କ କଥା ଜଣାପଡ଼ିଥିଲା । ସେ ଦିଲ୍ଲୀରେ ମୋଟର ପାର୍ଟସ ବଜାରରେ ବୋଝ ବୋହୁଥିଲେ । ତାଙ୍କର ୨୦ରୁ ଅଧିକ ବ୍ୟାଙ୍କ ଆକାଉଣ୍ଟ ଥିଲା । ସେହି ବ୍ୟକ୍ତିଙ୍କର କୌଣସି ନିର୍ଦ୍ଦିଷ୍ଟ ଠିକଣା ବି ନ ଥିଲା । ରାତିରେ ବଜାର ବନ୍ଦ ହେବା ପରେ ସେ ଏକ ଦୋକାନ ସାମ୍ନାରେ ଖଟ ଉପରେ ଶୋଇଯାଉଥିଲେ । କିନ୍ତୁ ନୋଟବନ୍ଦୀ ସମୟରେ ସେ ତାଙ୍କ ଆକାଉଣ୍ଟରେ ଲକ୍ଷ ଲକ୍ଷ ଟଙ୍କା ଜମା ହୋଇଥିଲା ।