ସୁରକ୍ଷାକର୍ମୀଙ୍କ ଠାରୁ AK 47 ବନ୍ଧୁକ ଛଡ଼ାଇ ନେଇ କିଛି ବାଟ ଦୌଡିଲା ପରେ ବନ୍ଧୁକକୁ କକ୍ କରି ହାଇଦର୍ ଧମକ ଦେଇଥିଲା ବୋଲି ଏତାଲାରେ କୁହାଯାଇଛି । ‘‘ତୁମ୍ ଲୋଗ୍ ମୁଝେ ହାଇଦ୍ରାବାଦ୍ ସେ ପକଡ୍ କେ ଲାୟେ ଥେ । ଇସ୍ ବାର୍ ଫରାର୍ ହୁଙ୍ଗା ତୋ ମୁଝେ ପକଡ୍ ନେହିଁ ପାଓଗେ । ପାସ୍ ଆଓଗେ ତୋ ମେଁ ଗୋଲି ମାର୍ ଦୁଙ୍ଗା,’’ ଗ୍ୟାଙ୍ଗଷ୍ଟର ହାଇଦର୍ କହିଥିଲା ବୋଲି କହିଛି ପୋଲିସ । (ଫଟୋରେ ଏପ୍ରିଲ୍ ୨୦୨୧ରେ ତେଲେଙ୍ଗାନାରେ ଗିରଫ ହେବା ପରେ ଶେଖ୍ ହାଇଦର୍)
ଏହି ଏନ୍କାଉଣ୍ଟର ଘଟଣାକୁ ନେଇ ଏସ୍କର୍ଟ ପାର୍ଟିର ଇନ୍ସପେକ୍ଟର ଗଙ୍ଗାଧର ଶାସେନି (ଫଟୋରେ) ସିମୁଳିଆ ଥାନାରେ ଦେଇଥିବା FIRରେ ପୂରା ଘଟଣାକ୍ରମ ଦର୍ଶାଇଛନ୍ତି । ଏ ନେଇ ସେଠାରେ ଏକ ମାମଲା ରୁଜୁ ହୋଇଛି । ତାହାରି ଆଧାରରେ ହାଇଦର୍ ଉପରେ ଲାଗିଛି କେତେକ ଦଫା । ଆଇ.ପି.ସି.ର ଦଫା ୨୨୪ (ଖସି ପଳେଇବା), ୩୯୨ ( ଲୁଟ୍), ୩୦୭ (ହତ୍ୟା ଉଦ୍ୟମ), ୩୫୩ (ସରକାରୀ କର୍ମଚାରୀଙ୍କୁ ଆକ୍ରମଣ), ୫୦୬ (ଧମକ ଚମକ), ୨୯୪ (ଗାଳିଗୁଳଜ କରିବା) ଓ ଆର୍ମସ ଆକ୍ଟର ଦଫା ୨୭ ଭଳି ସଙ୍ଗୀନ ଦଫା ଲାଗିଛି ହାଇଦର୍ ବିରୁଦ୍ଧରେ ।
ଏନକାଉଣ୍ଟର୍ ଘଟଣାର ତଦନ୍ତ ବେଳେ ହାଇଦରର ସୁରକ୍ଷା ଦାୟିତ୍ବରେ ଥିବା ୧୦-ଜଣିଆ ପୋଲିସ ଟିମରେ ଥିବା ସମସ୍ତଙ୍କୁ ଅଲଗା ଅଲଗା କରି ଜେରା କରାଯିବ । କେଉଁ ପରିସ୍ଥିତିରେ ହାଇଦର ପୋଲିସ ଭ୍ୟାନରୁ ଓହ୍ଲାଇଲା, କେଉଁ ପରିସ୍ଥିତିରେ ସୁରକ୍ଷାକର୍ମୀଙ୍କ ବନ୍ଧୁକ ଛଡ଼ାଇଲା, ସେ ଛଡ଼ାଇଥିବା ଏକେ-୪୭ ବନ୍ଧୁକ ସହ ଏନକାଉଣ୍ଟର୍ କରିଥିବା ସବ୍-ଇନସ୍ପେକ୍ଟର ଅସିତ ରଞ୍ଜନ ଜେନାଙ୍କ ସର୍ଭିସ ବନ୍ଧୁକକୁ ମଧ୍ୟ ନିୟମ ଅନୁସାରେ ଜବତ କରାଯିବ ।
‘‘ଉଭୟ ପୋଲିସ କର୍ମୀଙ୍କ ବନ୍ଧୁକକୁ ପରୀକ୍ଷା ପାଇଁ ନିୟମାନୁସାରେ ବାଲିଷ୍ଟିକ୍ ଏକ୍ସପଟଙ୍କ ପାଖକୁ ପଠାଯିବ । ପୋଷ୍ଟ୍ ମର୍ଟମ୍ ରିପୋର୍ଟରୁ ମୃତ୍ୟୁର କାରଣ ଓ କେତେ ଦୂରତା ବା ରେଞ୍ଜରୁ ହାଇଦର ଉପରକୁ ଗୁଳି ଚାଳନା ହୋଇଛି ତାହା ଜଣାପଡ଼ିବ । ଘଟଣାରେ ଅନ୍ୟ କେହି ପ୍ରତ୍ୟକ୍ଷଦର୍ଶୀ ନ ଥିବାରୁ କେବଳ ଘଟଣା ସ୍ଥଳରେ ଉପସ୍ଥିତ ଥିବା ପୋଲିସ କର୍ମଚାରୀଙ୍କୁ ସାକ୍ଷୀ ଭାବେ ଗ୍ରହଣ କରାଯିବ,’’ କହିଛନ୍ତି ବରିଷ୍ଠ ଆଇନଜୀବୀ ଅରୁଣ ବୁଦ୍ଧିଆ (ଫଟୋରେ) ।