ଭଲ ଖବର: ସୁନା ପୁଣି ଶସ୍ତା ହେଲା; ୧୦ ଗ୍ରାମ ପିଛା ୮,୦୦୦ ଟଙ୍କା ପର୍ଯ୍ୟନ୍ତ କମ୍ ହେଲାଣି ଦାମ୍
Gold Price Today: ଏହି ବର୍ଷ ଅଗଷ୍ଟରେ ସୁନାର ଦାମ୍ ଦଶ ଗ୍ରାମ ପିଛା ୫୬,୨୦୦ ଟଙ୍କାର ଉଚ୍ଚତମ ସ୍ତରରେ ପହଞ୍ଚିଥିଲା । ତା’ ପର ଠାରୁ ଦାମ୍ ଲଗାତର କମିଚାଲିଛି ଓ ଏବେ ଦାମ୍ ସବୁ ଠାରୁ କମ୍ ଅଛି ।

କରୋନା ଟିକା ଜଲଦି ଆସିବାର ସମ୍ଭାବନା ବଢ଼ୁଥିବାରୁ ସୁନାର ଦାମ୍ ହ୍ରାସ ପାଇବାରେ ଲାଗିଛି । ୧୦ ଗ୍ରାମ ସୁନାର ଦାମ୍ କମି ଏବେ ୪୮,୧୮୫ ଟଙ୍କାରେ ପହଞ୍ଚିଛି । ଏଥି ସହିତ ଏକ କିଲୋଗ୍ରାମ ରୂପାର ଦାମ୍ ୬୦,୦୦୦ ଟଙ୍କାରୁ ତଳକୁ ଖସି ଆସିଛି । ବ୍ୟବସାୟୀମାନେ କହିଛନ୍ତି ଯେ ଅଗଷ୍ଟ ମାସର ରେକର୍ଡ଼ ଉଚ୍ଚ ସ୍ତର ଠାରୁ ସୁନାର ଦାମ୍ ବହୁତ ହ୍ରାସ ପାଇଛି ।

MCXରେ ସୁନାର ଦାମ୍ ଗୁରୁବାର ଦିନ ପ୍ରତି ଦଶ ଗ୍ରାମ ପିଛା ୪୮,୬୦୦ ଟଙ୍କାରେ ଆସି ପହଞ୍ଚିଥିଲା । ଅଗଷ୍ଟ ୭ରେ ସୁନାର ଦାମ୍ ୫୬,୨୦୦ ଟଙ୍କାରେ ପହଞ୍ଚି ରେକର୍ଡ଼ କରିଥିଲା । ପ୍ରାୟ ଚାରି ମାସର ଦ୍ରୁତ ବୃଦ୍ଧି ପରେ ଏହାର ମୂଲ୍ୟ ଏବେ ହ୍ରାସ ପାଇବାରେ ଲାଗିଛି ।

ସୁନାର ଦାମ୍ ହ୍ରାସ ପାଇବା ଯୋଗୁଁ ଉଭୟ ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ସୁନାର ଚାହିଦା ବୃଦ୍ଧି ପାଇଛି । ବିବାହ ପାଇଁ ସୁନା କିଣାଯାଉଛି । ଗ୍ରାହକଙ୍କ ସଂଖ୍ୟା ଯଥେଷ୍ଟ ବୃଦ୍ଧି ପାଇଛି । ଯଦି ସୁନା ଦର ଆହୁରି ହ୍ରାସ ପାଏ, ତେବେ ଉଭୟ ଅନଲାଇନ୍ ଓ ଅଫଲାଇନ୍ ପ୍ଲାଟଫର୍ମରେ ସୁନା ବିକ୍ରି ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି ।

ଇଣ୍ଡିଆ ବୁଲିଅନ୍ ଓ ଜୁଏଲର୍ସ ଆସୋସିଏସନ୍ ଅନୁଯାୟୀ ଚାହିଦା ବଢ଼ୁଛି । ଦର ହ୍ରାସ ହେବା ଯୋଗୁଁ ଗ୍ରାହକଙ୍କ ସପିଙ୍ଗ୍ ପ୍ରତି ଆଗ୍ରହ ବଢ଼ିଛି । ଅର୍ଥନୀତି ମଧ୍ୟ ଖୋଲୁଛି, ଯେଉଁ କାରଣରୁ ଲୋକେ ସୁନାକୁ ଏକ ଦୀର୍ଘକାଳୀନ ସମ୍ପତ୍ତି ଶ୍ରେଣୀ ଭାବରେ ଦେଖୁଛନ୍ତି ।

ସୁନାର ନୂଆ ଦାମ୍ (Gold Price, 27 November 2020): ଶୁକ୍ରବାର ଦିନ ରାଜଧାନୀ ଦିଲ୍ଲୀରେ ୧୦ ଗ୍ରାମ ସୁନାର ଦାମ୍ ୪୩ ଟଙ୍କା ହ୍ରାସ ପାଇ ୪୮,୧୪୨ ହୋଇଛି । ଏହା ପୂର୍ବରୁ ଗୁରୁବାର ଦିନ ଏହା ଗୋଟିଏ ଦିନର ବ୍ୟବସାୟ ପରେ ୪୮,୧୮୫ ଟଙ୍କାରେ ବନ୍ଦ ହୋଇଥିଲା । ଶୁକ୍ରବାର ଦିନ ଆନ୍ତର୍ଜାତୀୟ ବଜାରରେ ସୁନାର ଦାମ୍ ୧,୮୧୦ ଡଲାରରେ ପହଞ୍ଚିଛି ।

ରୂପାର ନୂଆ ଦାମ୍ (Silver Price, 27 November 2020): HDFC ସିକ୍ୟୁରିଟି ଦ୍ୱାରା ଦିଆଯାଇଥିବା ସୂଚନା ଅନୁଯାୟୀ ଦିଲ୍ଲୀ ବୁଲିଅନ୍ ମାର୍କେଟରେ ରୂପା ୩୬ ଟଙ୍କା ଶସ୍ତା ହୋଇଛି । ଏହାର ମୂଲ୍ୟ କିଲୋଗ୍ରାମ ପିଛା ୫୯,୨୫୦ ଟଙ୍କାକୁ ଖସି ଆସିଛି । ଏହା ପୂର୍ବରୁ ସୋମବାରର ବାଣିଜ୍ୟ ଅଧିବେଶନରେ ରୂପା କିଲୋଗ୍ରାମ ପିଛା ୫୯,୨୮୬ ଟଙ୍କାରେ ବନ୍ଦ ହୋଇଥିଲା । ଆନ୍ତର୍ଜାତୀୟ ବଜାରରେ ରୂପାର ଦାମ୍ ପ୍ରତି ଆଉନ୍ସ ୨୩.୨୯ ଡଲାର ଥିଲା ।

HDFC ସିକ୍ୟୁରିଟିଜର ସିନିୟର ଆନାଲିଷ୍ଟ (କମୋଡିଟି) ତପନ ପଟେଲ (HDFC Securities Senior Analyst -Commodities Tapan Patel) ଓ ମୋତିଲାଲ ଓସୱାଲର ଭିପି (ରିସର୍ଚ୍ଚ) ନବନୀତ ଦମାନୀ କହିଛନ୍ତି ଯେ ସୁନାର ଦାମରେ ଆଶା ଠାରୁ ଅଧିକ ହ୍ରାସ ଦେଖାଦେଇଛି । ଏହା ପଛରେ କରୋନା ଟିକା ବିଷୟରେ ଖବର ହିଁ ଅଛି । କାରଣ କରୋନା ଟିକା ଆସିବା ପରେ ବିଶ୍ୱର ଆର୍ଥିକ ପୁନରୁଦ୍ଧାର ତ୍ୱରାନ୍ୱିତ ହେବ । ତେଣୁ ସୁନା ସମ୍ବନ୍ଧୀୟ ସୁରକ୍ଷିତ ବିନିଯୋଗର ଚାହିଦା ହ୍ରାସ ପାଇବ ।

ଆଷ୍ଟ୍ରା ଜେନେକା ( AstraZeneca) ସୋମବାର ନିଜ କରୋନା ଟିକା (Corona Vaccine) ବିଷୟରେ କହିଛି ଯେ ଏହା ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟ ସହ ସହଭାଗିତାରେ ବିକଶିତ ହୋଇଛି । ଏହି ଟିକା ଅନ୍ୟ କମ୍ପାନୀର କରୋନା ଟିକା ଅପେକ୍ଷା ବହୁତ ଶସ୍ତା ଏବଂ ଏହା ୯୦% ପର୍ଯ୍ୟନ୍ତ ପ୍ରଭାବଶାଳୀ ହୋଇପାରେ ।

ଏହି ଖବର ଆସିବା ପରେ ସୁନାର ସୁରକ୍ଷିତ ବିନିଯୋଗର ଚାହିଦା ହ୍ରାସ ପାଇଛି । ଅନ୍ୟ ପକ୍ଷରେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଆମେରିକାର ଫେଡେରାଲ ରିଜର୍ଭର ପୂର୍ବତନ ଅଧ୍ୟକ୍ଷା ଜେନେଟ ୟେଲେନଙ୍କୁ ଦେଶର ପରବର୍ତ୍ତୀ ଟ୍ରେଜେରୀ ସଚିବ କରିବାକୁ ଯୋଜନା କରୁଥିବା ଖବର ଆସିଛି । ବ୍ୟବସାୟୀମାନେ ଏହି ଖବରକୁ ବି ସ୍ୱାଗତ କରିଛନ୍ତି ।

ବ୍ରୋକରେଜ୍ ସଂସ୍ଥା ଆଞ୍ଜେଲ ବ୍ରୋକିଂର ଡେପୁଟି ଭାଇସ-ପ୍ରେସିଡେଣ୍ଟ୍ (ଦ୍ରବ୍ୟ ଓ ମୁଦ୍ରା) ଅନୁଜ ଗୁପ୍ତାଙ୍କ ଅନୁଯାୟୀ କରୋନା ଟିକା (Corona Vaccine) ଆସିବାର ସମ୍ଭାବନା ସୁନାର ଦାମ୍ ଉପରେ ଚାପ ସୃଷ୍ଟି କରିଛି । ଏହା ବ୍ୟତୀତ ଗୋଲ୍ଡ ଇଟିଏଫ୍ (Gold ETF) ହୋଲ୍ଡିଂରେ ଚଳିତ ମାସରେ ୧୦ ଲକ୍ଷ ଆଉନ୍ସ ହ୍ରାସ ଦେଖାଯାଇଛି । ଏସବୁ ସୂଚିତ କରୁଛି ଯେ ନିବେଶକମାନେ ଧୀରେ ଧୀରେ ସୁନାରୁ ହୋଲ୍ଡିଂ ହ୍ରାସ କରୁଛନ୍ତି । ବୈଦେଶିକ ବଜାରରେ ସୁନା ଦର ଚାରି ମାସର ତଳକୁ ଖସି ଆସିଛି ।