Gold Price Today: ସୁନା ଦର ପୁଣି ବଢ଼ିଲା; ରୂପାର ଦାମ୍ ରକେଟ୍ ପରି ଉପରକୁ ଯାଉଛି
ବିଶେଷଜ୍ଞମାନଙ୍କ କହିବା ଅନୁସାରେ ବର୍ତ୍ତମାନର ଦାମରେ ସୁନାରେ ବିନିଯୋଗ କରିବା ଏକ ଭଲ ବିକଳ୍ପ କାରଣ ୨୦୨୧ ମସିହାରେ ହିଁ ଏହି ମୂଲ୍ୟବାନ ହଳଦିଆ ଧାତୁର ଦାମ୍ ୧୦ ଗ୍ରାମ ପିଛା ୬୩,୦୦୦ ଟଙ୍କାରେ ପହଞ୍ଚିବ ବୋଲି ଆଶା କରାଯାଉଛି ।

ନୂଆ ଦିଲ୍ଲୀ: ଭାରତୀୟ ବଜାରରେ ସୁନାର ଦାମ୍ ପୂରା ସପ୍ତାହ ହ୍ରାସ ପାଇବା ପରେ ଆଜି (Gold Price Today) ବଢ଼ିଛି । HDFC ସିକ୍ୟୁରିଟିଜ୍ ଅନୁଯାୟୀ ଶୁକ୍ରବାର ଦିନ ଦିଲ୍ଲୀର ସର୍ରାଫା ବଜାରରେ ସୁନାର ଦାମ୍ ୧୩୨ ଟଙ୍କା ବୃଦ୍ଧି ହୋଇ ୧୦ ଗ୍ରାମ ପିଛା ୪୮,୩୭୬ ଟଙ୍କା ହୋଇଛି । ପୂର୍ବ ବ୍ୟବସାୟ ଦିନ ଏହି ମୂଲ୍ୟବାନ ଧାତୁର ଦାମ୍ ୧୦ ଗ୍ରାମ ପିଛା ୪୮,୨୪୪ ଟଙ୍କାରେ ବନ୍ଦ ହୋଇଥିଲା ।

ରୂପାର ଦାମ୍ (Silver Price Today) ପ୍ରତି କିଲୋଗ୍ରାମ୍ ୨,୯୧୫ ଟଙ୍କାରୁ ବଢ଼ି ୬୮,୪୧୦ ଟଙ୍କା ହୋଇଛି । ପୂର୍ବ ବାଣିଜ୍ୟ ଦିନରେ ରୂପାର ଦାମ୍ କିଲୋଗ୍ରାମ୍ ପ୍ରତି ୬୫,୪୯୫ ଟଙ୍କାରେ ବନ୍ଦ ହୋଇଥିଲା ।

ଆନ୍ତର୍ଜାତୀୟ ବଜାରରେ ସୁନାର ଦାମ୍ ପ୍ରତି ଆଉନ୍ସ ୧,୮୪୪.୩୫ ଡଲାର୍ ଓ ରୂପାର ଦାମ୍ ପ୍ରତି ଆଉନ୍ସ ୨୬.୩୫ ଡଲାର୍ ଥିଲା ।

HDFC ସିକ୍ୟୁରିଟିଜର (HDFC Securities) ସିନିୟର ଆନାଲିଷ୍ଟ (କମୋଡିଟିଜ୍) ତପନ ପଟେଲ କହିଛନ୍ତି ଯେ ଡଲାରର ମୂଲ୍ୟରେ ଲଗାତର ହ୍ରାସ ଦେଖାଯାଉଛି, ହେଲେ ନ୍ୟୁୟର୍କର କମଡିଟି ଏକ୍ସଚେଞ୍ଜ୍ ଲଗାତର ବଢ଼ି ଚାଲିଛି । ସେହି କରାଣରୁ ଭାରତୀୟ ବଜାରରେ ସୁନା ଓ ରୂପାର ଦାମ୍ ଉପରେ ପ୍ରଭାବ ପଡ଼ୁଛି ।

ଭାରତୀୟ ସରାଫା ବଜାରରେ ଆଜି ସ୍ପଟ୍ ସୁନା ଦାମ୍ ବୃଦ୍ଧି ପାଇଛି । ଗୁରୁବାର ଦିନ ଦିଲ୍ଲୀ ସରାଫା ବଜାରରେ ସୁନାର ଦାମ୍ ୧୦ ଗ୍ରାମ ପିଛା ୧୦୯ ଟଙ୍କା ହ୍ରାସ ପାଇ ୪୮,୧୮୩ ଟଙ୍କା ହୋଇଛି ।

ରୂପାର ଦାମରେ ଗୁରୁବାର ଦିନ ସାମାନ୍ୟ ହ୍ରାସ ଘଟିଥିଲା । ଆଜି ଦିଲ୍ଲୀର ବୁଲିଅନ୍ ବଜାରରେ ରୂପାର ଦାମ୍ ମାତ୍ର ୧୪୬ ଟଙ୍କା ହ୍ରାସ ପାଇଛି ଓ ଏହା ପରେ ପ୍ରତି କିଲୋଗ୍ରାମ ରୂପାର ଦାମ୍ ୬୫,୦୩୧ ଟଙ୍କା ହୋଇଛି ।

ଡଲାରର ମୂଲ୍ୟ ସ୍ଥିର ରହିଥିବା କାରଣରୁ କ୍ରମାଗତ ପାଞ୍ଚ ଦିନ ଧରି ହ୍ରାସ ପାଇବା ପରେ ଆଜି ଭାରତୀୟ ବଜାରରେ ସୁନାର ଦାମ୍ (Gold Price) ବଢ଼ିଛି । ରୂପାର ଦାମ୍ (Silver Price) ମାତ୍ର ଦୁଇ ଦିନ ମଧ୍ୟରେ ୨,୦୦୦ ଟଙ୍କାରୁ ଅଧିକ ବୃଦ୍ଧି ପାଇଛି । ଆଜି ବିଶ୍ୱ ବଜାରରେ ରୂପାର ଦାମ୍ ହ୍ରାସ ପାଇଛି ଓ 0.୭% କମି ପ୍ରତି ଆଉନ୍ସ ୨୬.୧୮ ଡଲାର ଦରରେ କିଣାବିକା ଚାଲିଛି ।

ବ୍ୟବସାୟୀମାନେ ଆମେରିକାର ରିଲିଫ୍ ପ୍ୟାକେଜ୍ ଆଡ଼େ ଅନାଇ ରହିଛନ୍ତି । ଭାରତରେ ବି ବ୍ୟବସାୟୀମାନେ ବଜେଟକୁ ଅପେକ୍ଷା କରିଛନ୍ତି ।

ବର୍ତ୍ତମାନ କରୋନା ଟିକା ବଣ୍ଟନ ଓ ଟିକାକରଣ ଅଭିଯାନରେ ଘଟୁଥିବା ପ୍ରଗତି ବି ସୁନା ଓ ରୂପା ପରି ବହୁମୂଲ୍ୟ ଧାତୁର ଦାମ୍ ଉପରେ ପ୍ରଭାବ ପକାଉଛି ।