ଗଞ୍ଜାମ ଜିଲ୍ଲାରେ ଘଟିଯାଇଛି ଗୋଟିଏ ଅତି ହୃଦୟବିଦାରକ ବର୍ବର କାଣ୍ଡ । ନିଜକୁ ପ୍ରେମିକ ବୋଲି କହୁଥିବା ଯୁବକ ନିଜ ପ୍ରେମିକା ଦେହରେ ନିଆଁ ଲଗାଇ ତାକୁ ମାରଦେଇଛି । ଗଞ୍ଜାମରେ ନିଜେ ପ୍ରେମିକ ହିଁ ପ୍ରେମିକାଙ୍କୁ ନିଆଁ ଲଗାଇ ଦେଇଛି । ନିଆଁରେ ଜଳି ଯୁବତୀଙ୍କ ମୃତ୍ୟୁ ଘଟିଛି । ମୃତ୍ୟୁ ପୂର୍ବରୁ ଯୁବତୀ ପୋଲିସକୁ ନିଜ ବୟାନରେ କହିଛନ୍ତି ଯେ କୃଷ୍ଣଚନ୍ଦ୍ର ସାହୁ ନାମକ ତାଙ୍କ ପ୍ରେମିକ ହିଁ ତାଙ୍କ ଦେହରେ ନିଆଁ ଲଗେଇଦେଇଥିଲା । ଏହି ମୃତ୍ୟୁକାଳୀନ ଜମାନବନ୍ଦୀର ଭିଡିଓ ରେକର୍ଡ଼ ହୋଇ ରହିଛି । ଏହି ଘଟଣା ଘଟିଥିଲା ଜୁଲାଇ ୨୭ ତାରିଖ ମଙ୍ଗଳବାର ଅପରାହ୍ଣରେ। ବର୍ଷେ ଧରି ନିଜକୁ ତାଙ୍କ ପ୍ରେମିକ ବୋଲି କହୁଥିବା ଯୁବକ କୃଷ୍ଣଚନ୍ଦ୍ର ସାହୁ ତାଙ୍କ ଦେହରେ ସ୍ପିରିଟ୍ ଢାଳିବା ପରେ ନିଆଁ ଲଗାଇଦେଇଥିଲା ବୋଲି ମୃତ୍ୟୁ ପୂର୍ବରୁ କହିଛନ୍ତି ଯୁବତୀ । ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ପ୍ରତାପପୁରରେ ଏକ ପରିତ୍ୟକ୍ତ ଘର ଭିତରୁ ଜଣେ ଯୁବତୀଙ୍କ ବିକଳ ଚିତ୍କାର ଶୁଣି ସ୍ଥାନୀୟ ଲୋକେ ଯାଇ ଦେଖିଥିଲେ ଯୁବତୀ ଅର୍ଦ୍ଧଦଗ୍ଧ ଅବସ୍ଥାରେ ଯନ୍ତ୍ରଣାରେ ଛଟପଟ ହେଉଛନ୍ତି । ତାଙ୍କ ଦେହ ସାରା ନିଆଁ ଲାଗି ଜଳିଯାଇଥିଲା । ସ୍ଥାନୀୟ ଲୋକେ ପୋଲିସକୁ ସୂଚନା ଦେଇଥିଲେ । ପୋଲିସ ଆସିବା ପରେ ଗାଡ଼ିରେ ଶୁଆଇ ଗୁରୁତର ଅବସ୍ଥାରେ ଥିବା ଯୁବତୀଙ୍କୁ ପ୍ରଥମେ ପୁରୁଷୋତ୍ତମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଇଥିଲେ । ସେଠାରୁ ତାଙ୍କୁ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଥିଲା । ବ୍ରହ୍ମପୁରରେ ଚିକିତ୍ସାଧୀନ ଅବସ୍ଥାରେ ଯୁବତୀ ପ୍ରାଣ ହରେଇଥିଲେ । ତାଙ୍କ ଦେହ ଏତେ ମାତ୍ରାରେ ଜଳିଯାଇଥିଲା ଯେ ଡାକ୍ତରମାନଙ୍କ ସବୁ ଚେଷ୍ଟା ସତ୍ତ୍ୱେ ସେ ମୃତ୍ୟୁ ବରଣ କରିଥିଲେ । ‘‘ସେ ମୋତେ ଭଲ ପାଉଥିଲା । କୃଷ୍ଣଚନ୍ଦ୍ର ସାହୁ, ପ୍ରତାପପୁର, ଗଉଡ଼ାସାହି… କହିଲା ମୋତେ ବାହା ହେବନି । ତା’ ପରେ ସ୍ପିରିଟ ଢାଳି ନିଆଁ ଲଗେଇଦେଲା,’’ ପୋଲିସକୁ ନିଜ ବୟାନରେ କହିଥିଲେ ଯୁବତୀ, ପୋଲସରା ବ୍ଲକର କଳମ୍ବ ଗ୍ରାମର ଶୁଭସ୍ମିତା ଖାଡ଼ଙ୍ଗା । ପୋଲିସ ପ୍ରେମ ନାଁରେ କଳଙ୍କ ସେହି ଅଭିଯୁକ୍ତ ଯୁବକ କୃଷ୍ଣଚନ୍ଦ୍ର ସାହୁକୁ ଗିରଫ କରିଛି । ହେଲେ ସେ କହିଛି ଯେ ସେ ଏହି କାର୍ଯ୍ୟ କରିନାହିଁ ଓ ଘଟଣା ସମୟରେ ସେ ପ୍ରତାପପୁରରେ ନ ଥିଲା । ମୃତା ଯୁବତୀ ଶୁଭସ୍ମିତା ଖାଡ଼ଙ୍ଗା । ଅଭିଯୁକ୍ତ ଯୁବକ କୃଷ୍ଣଚନ୍ଦ୍ର ସାହୁ