ଗଞ୍ଜାମ ଜିଲ୍ଲାରେ ବର୍ବରତାର ସୀମା ଟପିଥିବା ଘଟଣାଟିଏ ଘଟିଛି । ଗୁଣିଗାରେଡ଼ି ସନ୍ଦେହରେ ତିନି ଜଣ ଯୁବକଙ୍କୁ ନିର୍ମମ ଭାବେ ପିଟିବା ସହ ନାନା ପ୍ରକାର ନିର୍ଯାତନା ଦେଇଛନ୍ତି ଗ୍ରାମବାସୀମାନେ । ସେମାନଙ୍କ ଉପରେ ସଙ୍ଘବଦ୍ଧ ଆକ୍ରମଣ କରି ଜଣେ ଯୁବକଙ୍କ ଦାନ୍ତ ଭାଙ୍ଗିଛନ୍ତି ଓ ତାଙ୍କୁ ବିଷ୍ଠା ଖୁଆଇଛନ୍ତି । ତିନି ଜଣ ଯୁବକଙ୍କ ମଧ୍ୟରୁ ଜଣଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି । ଅନ୍ୟ ଦୁଇ ଜଣ ଗୁରୁତର ଆହତ ହୋଇ ଏବେ ଚିକିତ୍ସାଧୀନ ଅବସ୍ଥାରେ ଅଛନ୍ତି । ଏହି ଘଟଣା ଜୁନ୍ ୧୯ ତାରିଖରେ ଚମାଖଣ୍ଡି ଥାନା ଅନ୍ତର୍ଗତ ଶ୍ରୀରାମଚନ୍ଦ୍ରପୁର ପଞ୍ଚାୟତର ରାମେୟାପଲ୍ଲୀ ଗାଁରେ ଘଟିଥିଲା । ଗୁଣିଆ ହୋଇଥିବା ସନ୍ଦେହରେ କିଛି ଲୋକ ଏନ୍. ଭେଙ୍କଟରମଣ ନାମକ ଜଣେ ଯୁବକଙ୍କୁ ପିଟି ପିଟି ମାରି ଦେଇଥିବା ଅଭିଯୋଗ ହୋଇଥିଲା । ଗ୍ରାମବାସୀମାନଙ୍କ ଆକ୍ରମଣରେ ପି. ଭୀମରାଜୁ ରେଡ୍ଡୀ ଓ ବ୍ରହ୍ମପୁରର ପି.ଧବଳେଶ୍ୱର ରେଡ୍ଡୀ ଗୁରୁତର ଆହତ ହୋଇଥିଲେ । ଭୀମରାଜୁ କୌଣସି କାରଣରୁ ପୂଜାପାଠ କରିବା ଲାଗି ଏନ୍.ଭେଙ୍କଟ ରମଣ ଓ ପି.ଧବଳେଶ୍ୱରଙ୍କୁ ଗାଁକୁ ଡାକିଥିଲେ । ଦୁହେଁ ଗାଁରେ ଆସି ପୂଜାପାଠ କରୁଥିବା ବେଳେ ଏହାକୁ ତନ୍ତ୍ରମନ୍ତ୍ର ବୋଲି ସନ୍ଦେହ କରି ଆକ୍ରମଣ କରିଥିଲେ ଗ୍ରାମବାସୀମାନେ । ତିନି ଜଣଙ୍କ ଉପରେ ମହିଳା ଓ ପୁରୁଷ ମିଶି ସଙ୍ଘବଦ୍ଧ ଆକ୍ରମଣ କରିଥିଲେ । ଏନ୍. ଭେଙ୍କଟରମଣଙ୍କୁ ବିଷ୍ଠା ଖୁଆଇବାକୁ ଉଦ୍ୟମ କରିଥିଲେ । ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା । ସୋସିଆଲ୍ ମିଡି଼ଆରେ ଏହି ନିର୍ଯାତନାର କେତେକ ଭିଡିଓ କ୍ଲିପ୍ ଭାଇରାଲ୍ ହେବା ପରେ ଆକ୍ସନ୍ ନେବା ଆରମ୍ଭ କରିଛି ପୋଲିସ । ଗାଁର ୧୪ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ଚମାଖଣ୍ଡି ପୋଲିସ ।