ଚିକିତ୍ସା ଇତିହାସରେ ଗୋଟିଏ ବିରଳ ଘଟଣା ଘଟିଛି । କଟକର ଏସ୍.ସି.ବି. ହସପିଟାଲରେ (ବଡ଼ ମେଡିକାଲରେ) ଜଣେ ମହିଳା ଏକା ସାଙ୍ଗରେ ଚାରିଟି ଶିଶୁ ଜନ୍ମ ଦେଇଛନ୍ତି । ଏହି ଚାରି ଶିଶୁଙ୍କ ମା’ ଗଞ୍ଜାମ ଜିଲ୍ଲା ଭଞ୍ଜନଗରର ଡିହପଡ଼ା ଗ୍ରାମର ଛବିତା ନାୟକ ଗର୍ଭବତୀ ଥିବା ବେଳେ ପ୍ରଥମେ ଭଞ୍ଜନଗର ହସପିଟାଲରେ ଭର୍ତ୍ତି ହୋଇଥିଲେ । ପ୍ରସବ ପୂର୍ବରୁ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକର ଏସ୍.ସି.ବି. ହସପିଟାଲକୁ ସ୍ଥାନାନ୍ତରିତ କରାଯାଇଥିଲା । ଏସ୍.ସି.ବି. ହସପିଟାଲରେ ଅଗଷ୍ଟ ୭ ତାରିଖ ଶନିବାର ଦିନ ସେ ଚାରିଟି ପିଲାଙ୍କୁ ଜନ୍ମ ଦେଇଥିଲେ । ଏସ୍.ସି.ବି. ହସପିଟାଲର ପ୍ରସୂତି ବିଭାଗର ମୁଖ୍ୟ ଡଃ ତୁଷାର କର କହିଛନ୍ତି ଯେ ଗର୍ଭବତୀ ମହିଳା ଛବିତା ନାୟକଙ୍କ ଗର୍ଭରେ ଚାରୋଟି ଛୁଆ ଏକ ସହିତ ଥିଲେ । ଚାରି ଜଣ ଯାକ ଶିଶୁଙ୍କ ଜନ୍ମ ନର୍ମାଲ୍ ଡେଲିଭରି ମାଧ୍ୟମରେ ହୋଇଥିଲା ବୋଲି ସେ କହିଛନ୍ତି । ଚାରିଟି ଯାକ ଶିଶୁ ହେଉଛନ୍ତି କନ୍ୟା ସନ୍ତାନ । ଜନ୍ମ ହେବା ପରେ ନବଜାତକମାନଙ୍କ ସ୍ବାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ହୋଇ ପଡ଼ିବାରୁ ସମସ୍ତଙ୍କୁ ଆଇ.ସି.ୟୁ.ରେ ଭର୍ତ୍ତି କରାଯାଇଥିଲା । ସେମାନଙ୍କ ସ୍ଥିତି ଭଲ ଅଛି । ଶିଶୁ କନ୍ୟାମାନଙ୍କର ଓଜନ ଯଥା କ୍ରମେ ଏକ କିଲୋଗ୍ରାମ୍, ୮୦୦ ଗ୍ରାମ୍, ୬୫୦ ଗ୍ରାମ୍ ଓ ୪୦୦ ଗ୍ରାମ୍ । ଏସ୍.ସି.ବି. ହସପିଟାଲକୁ ଆସିବା ବେଳେ ଶିଶୁମାନଙ୍କ ମା’ ଛବିତା ନାୟକଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ ଥିଲା ବୋଲି କହିଛନ୍ତି ଡଃ ତୁଷାର କର । ‘‘ତାଙ୍କୁ ରକ୍ତହୀନତା ଓ ଜଣ୍ଡିସ୍ ଥିଲା । ସେ ବହୁତ ବିପଦସଙ୍କୁଳ ଅବସ୍ଥାରେ ଆସିଥିଲେ,’’ ସେ କହିଛନ୍ତି । ‘‘ଆମ ସ୍ତ୍ରୀ ରୋଗ ବିଭାଗ, ରକ୍ତ ରୋଗ ବିଭାଗ ଓ ସବୁ ଡାକ୍ତରମାନଙ୍କ ସହଯୋଗ ଓ ପ୍ରୟାସ ଫଳରେ ଚାରୋଟି ଯାକ ଛୁଆ ଜନ୍ମ ହୋଇଛନ୍ତି । ସମସ୍ତଙ୍କର ନର୍ମାଲ୍ ଡେଲିଭରି ହୋଇଛି,’’ କହିଛନ୍ତି ଡଃ ତୁଷାର କର । ପ୍ରସବ ପରେ ଶିଶୁମାନଙ୍କ ମା’ ଛବିତା ନାୟକଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ଅଛି ହସପିଟାଲ ପକ୍ଷରୁ କୁହାଯାଇଛି । ଛବିତାଙ୍କ ସ୍ୱାମୀ ବୀରେନ୍ଦ୍ର ନାୟକ ଓଲିଉଡ୍ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ସାହାଯ୍ୟ ପାଇଁ ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି । ‘‘ସବ୍ୟଭାଇଙ୍କ ସାହାଯ୍ୟ ଯୋଗୁଁ ମୋ’ ସ୍ତ୍ରୀଙ୍କୁ ଭଞ୍ଜନଗର ହସପିଟାଲରୁ କଟକ ଏସ୍.ସି.ବି. ହସପିଟାଲକୁ ଠିକ୍ ସମୟରେ ଅଣାଯାଇପାରିଲା । ତାଙ୍କୁ କୋଟି କୋଟି ଧନ୍ୟବାଦ,’’ କହିଛନ୍ତି ବୀରେନ୍ଦ୍ର । ଏହି ସଫଳ ଓ ନିରାପଦ ପ୍ରସବକୁ ଏକ ‘‘ଚମତ୍କାର’’ ବୋଲି କହିଛନ୍ତି ଅଭିନେତା ସବ୍ୟସାଚୀ ମିଶ୍ର । ଏଥି ପାଇଁ ସେ ଏସ୍.ସି.ବି. ହସପିଟାଲର ଡଃ ତୁଷାର କର, ଡଃ କୀର୍ତ୍ତିରେଖା ମହାପାତ୍ର, ଡଃ ରଞ୍ଜିତା ଘଡ଼େଇ, ଡଃ ସତ୍ୟବାନ ଜେନା ଓ ଅନ୍ୟ ଡାକ୍ତରୀ ଷ୍ଟାଫମାନଙ୍କୁ ଶ୍ରେୟ ଦେଇଛନ୍ତି । ‘ଟିମ୍ ଓଡ଼ିଆ’ର ଡଃ ଦେବାଶିଷ ରାୟଙ୍କୁ ବି ଧନ୍ୟବାଦ ଜଣାଇଛନ୍ତି ସବ୍ୟସାଚୀ । ତା’ ସହ ଡଃ ଚନ୍ଦ୍ରିକା ପ୍ରସାଦ ଦାସ, ଡଃ ଅଜୟ କୁମାର ତ୍ରିପାଠୀ ଓ କଟକର ଦୁଇଟି ବ୍ଲଡ୍ ବ୍ୟାଙ୍କ ସହ ସ୍ୱେଚ୍ଛାସେବୀମାନଙ୍କୁ ବି ଧନ୍ୟବାଦ ଜଣାଇଛନ୍ତି । ଚାରିଟି ପିଲାର ବାପା ହୋଇଥିବାରୁ ବୀରେନ୍ଦ୍ର ନାୟକ ଖୁସି ଅଛନ୍ତି ବୋଲି କହିଛନ୍ତି ।