ଗଞ୍ଜାମ: ହିନ୍ଦୀ ଶିକ୍ଷକଙ୍କ ଦରମା ₹୨୫,୦୦୦, ହେଲେ ସମ୍ପତ୍ତି ମିଳିଲା ₹୫ କୋଟିର; ଗିରଫ ହେଲେ
୧୯୯୨ ମସିହାରୁ ଶିକ୍ଷକତା ଆରମ୍ଭ କରିଥିବା ହିନ୍ଦୀ ଶିକ୍ଷକ ଭୁବନାନନ୍ଦ ସାହୁ ଦୀର୍ଘ ବର୍ଷ ଧରି ଠିକା ଶିକ୍ଷକ ଭାବେ ଚାକିରି କରୁଥିଲେ ଓ ସେତେବେଳେ ମାସିକ ମାତ୍ର ୧୦ରୁ ୧୫ ହଜାର ଟଙ୍କା ପାଉଥିଲେ । ୨୦୧୪ରେ ତାଙ୍କ ଚାକିରି ସ୍ଥାୟୀ ହୋଇଥିଲା ।

ଜଣେ କୋଟିପତି ହିନ୍ଦୀ ଶିକ୍ଷକ ଆୟ-ବର୍ହିଭୂତ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗରେ ଗିରଫ ହୋଇଛନ୍ତି । ସେ ହେଉଛନ୍ତି ଭୁବନାନନ୍ଦ ସାହୁ, ଯିଏ ଗଞ୍ଜାମ ଜିଲ୍ଲା ରଙ୍ଗେଇଲୁଣ୍ଡା ବ୍ଳକ ଝାଡ଼ାଙ୍କୁଲି ଯଶୋଦା ଉଚ୍ଚ ବିଦ୍ୟାଳୟରେ ହିନ୍ଦୀ ଶିକ୍ଷକ ଭାବେ କାର୍ଯ୍ୟରତ । ତାଙ୍କ ବୈକୁଣ୍ଠ ନଗର ସ୍ଥିତ ବାସଭବନ ସମେତ ମୋଟ ୧୦ଟି ଜାଗାରେ ଚଢ଼ାଉ କରି ପ୍ରାୟ ୫ କୋଟି ଟଙ୍କାର ସ୍ଥାବର ଅସ୍ଥାବର ସମ୍ପତ୍ତି ଠାବ କରିବା ପରେ ତାଙ୍କୁ ଗିରଫ କରିଛି ବ୍ରହ୍ମପୁର ଭିଜିଲାନ୍ସ ବିଭାଗ ।

ହିନ୍ଦୀ ଶିକ୍ଷକ ଭୁବନାନନ୍ଦ ସାହୁଙ୍କ ମାସିକ ଦରମା ମାତ୍ର ୨୫ ହଜାର ୬୫ ଟଙ୍କା । କିନ୍ତୁ ସେ ପାଖାପାଖି ୫ କୋଟି ଟଙ୍କାର ମାଲିକ ହୋଇଥିବା କହିଛି ବ୍ରହ୍ମପୁର ଭିଜିଲାନ୍ସ ବିଭାଗ ।

ଭିଜିଲାନ୍ସ ବିଭାଗର ପ୍ରାୟ ୫୦ ଜଣ କର୍ମଚାରୀଙ୍କୁ ନେଇ ଗଠିତ ୧୦ଟି ଟିମ୍ ଏକକାଳୀନ ଭାବେ ଭୁବନାନନ୍ଦଙ୍କ ବିଭିନ୍ନ ସ୍ଥାନରେ ଥିବା ଘର ଉପରେ ଚଢ଼ାଉ କରିଥିଲେ ।

ଚଢ଼ାଉ ସମୟରେ ଭୁବନାନନ୍ଦଙ୍କ ବ୍ରହ୍ମାନଗର ସ୍ଥିତ ୧ କୋଟି ୮୬ ଲକ୍ଷ ୬୩ ହଜାର ୧୬୫ ଟଙ୍କାର ପାଞ୍ଚ-ମହଲା କୋଠା, ବୈକୁଣ୍ଠନଗର ଦ୍ବିତୀୟ ଲାଇନ୍ ସ୍ଥିତ ୧ କୋଟି ୧୨ ଲକ୍ଷ ଟଙ୍କାର ୩ ମହଲା କୋଠା, ଗୋପାଳପୁରରେରେ ତାଙ୍କର ୬ ଲକ୍ଷ ୧୧ ହଜାର ଟଙ୍କାର କୋଠା, ବ୍ରହ୍ମପୁର ସହରର ବିଭିନ୍ନ ସ୍ଥାନରେ ୧୦ଟି ପ୍ଳଟ, ଯାହାର ମୂଲ୍ୟ ୩୪ ଲକ୍ଷ ୪୮ ହଜାର ୪୪୬ ଟଙ୍କାର ସମ୍ପତ୍ତି ଠାବ ହୋଇଛି ।

ଏହା ସହିତ ବଳିୟାରସିଂ ମୌଜାରେ ଥିବା ୩୮ ଲକ୍ଷ ୩୨ ହଜାର ୪୭୨ ଟଙ୍କାର ଏକ କୋଠା, ଚିକିଟିରେ ସରସ୍ବିତୀ ଶିଶୁ ମନ୍ଦିର ଚାଲୁଥିବା ଏକ ୧୩ ଲକ୍ଷ ୩୩ ହଜାର ୯୪୦ ଟଙ୍କାର କୋଠା, ବ୍ରହ୍ମପୁରରେ ୧୬ ଲକ୍ଷ ଟଙ୍କାର ଏକ ଆଜବେଷ୍ଟସ ଘର, ପୁରୀରେ ୬ ଲକ୍ଷର ଫ୍ଳାଟ ଓ ଭୁବନେଶ୍ବରରେ ୨୮ ଲକ୍ଷ ଟଙ୍କାର ଫ୍ଳାଟ ସହ ୨୦ ଲକ୍ଷ ଟଙ୍କାର ଏଲଆଇସି ପଲିସି ଭଳି ଅନ୍ୟାନ୍ୟ ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ଠାବ କରିଛି ଭିଜିଲାନ୍ସ ବିଭାଗ ।

ହିନ୍ଦୀ ଶିକ୍ଷକ ଭୁବନାନନ୍ଦଙ୍କ ମୋଟ ସମ୍ପତ୍ତିର ମୂଲ୍ୟ ୪ କୋଟି ୯୩ ଲକ୍ଷ ୯୭ ହଜାର ୨୪୪ ଟଙ୍କା ବୋଲି କହିଛନ୍ତି ବ୍ରହ୍ମପୁର ଭିଜିଲାନ୍ସ ଏସପି ଅନୀଲ ପାତ୍ର । ଏତେ ପରିମାଣର ସମ୍ପତ୍ତି ସମ୍ପର୍କରେ ଉଚିତ ତଥ୍ୟ ଦେଇପାରି ନ ଥିବାରୁ ହିନ୍ଦୀ ଶିକ୍ଷକଙ୍କୁ ଗିରଫ କରାଯାଇଛି ବୋଲି ସେ କହିଛନ୍ତି । ଗିରଫ କରିବା ପରେ ତାଙ୍କ ମେଡ଼ିକାଲ ଯାଞ୍ଚ କରି ହିନ୍ଦୀ ଶିକ୍ଷକଙ୍କୁ କୋର୍ଟ ଚାଲାଣ କରାଯାଇଛି ।

ଭୁବନାନନ୍ଦ ସାହୁ ୧୯୯୨ ମସିହା ଠାରୁ ଶିକ୍ଷକତା ଆରମ୍ଭ କରିଥିଲେ । ସେ ଦୀର୍ଘ ବର୍ଷ ଧରି ଠିକା ଶିକ୍ଷକ ଭାବେ ଚାକିରି କରୁଥିଲେ ଓ ସେତେବେଳେ ତାଙ୍କୁ ମାସିକ ମାତ୍ର ୧୦ରୁ ୧୫ ହଜାର ଟଙ୍କା ମିଳୁଥିଲା । ୨୦୧୪ ମସିହାରେ ତାଙ୍କର ଚାକିରି ସ୍ଥାୟୀ ହେବା ପରେ ତାଙ୍କୁ ମାତ୍ର ମାସିକ ୨୫ ହଜାର ୬୫ ଟଙ୍କା ମିଳୁଛି ।

ଏହି ସମସ୍ତ ସମ୍ପତ୍ତି କେବଳ ତାଙ୍କର ନୁହେଁ ବରଂ ତାଙ୍କ ପାଞ୍ଚ ଭାଇଙ୍କର ବୋଲି କହିଛନ୍ତି ଭୁବନାନନ୍ଦ । ‘‘କୌଣସି ପ୍ରକାରର ପ୍ରମାଣ ନ ଥାଇ ଭିଜିଲାନ୍ସ ବିଭାଗ ପକ୍ଷରୁ ଏଭଳି ଚଢ଼ାଉ କରାଯାଇଛି । ଭିଜିଲାନ୍ସ ବିଭାଗକୁ ସହଯୋଗ କରି ସମସ୍ତ ତଥ୍ୟ ପ୍ରଦାନ କରିଛି । ସବୁ ସମ୍ପତ୍ତିର ମୂଲ୍ୟ ସେମାନେ ଖୁବ୍ ବଢ଼ାଇ ଚଢ଼ାଇ ଲେଖିଛନ୍ତି,’’ କହିଛନ୍ତି ଭୁବନାନନ୍ଦ ।

ଶିକ୍ଷକତା ସହିତ ସେ ଗୁମୁସ୍ତା କାମ କରି ଓ ବହୁ କଷ୍ଟ ସହି ନିଜ ସମ୍ପତ୍ତି ଅର୍ଜନ କରିଛନ୍ତି ବୋଲି କହିଛନ୍ତି ହିନ୍ଦୀ ଶିକ୍ଷକ ଭୁବନାନନ୍ଦ ।