କଟକର ଏସ୍.ସି.ବି. ହସପ୍ଟିଲର ସର୍ଜରୀ ୱାର୍ଡ଼ରେ ଚିକିତ୍ସାଧୀନ ଅବସ୍ଥାରୁ ପୋଲିସ୍ ଆଖିରେ ଧୂଳି ଦେଇ ଫେରାର୍ ହୋଇଯାଇଥିବା ଓ ପାଞ୍ଚ ଦିନ ପରେ ହାଇଦ୍ରାବାଦ ନିକଟରୁ ଗିରଫ ହୋଇଥିବା ଗ୍ୟାଙ୍ଗଷ୍ଟର୍ ଶେଖ୍ ହାଇଦରକୁ ନେଇ ସାରା ଓଡ଼ିଶାରେ ଚର୍ଚ୍ଚା ଚାଲିଥିଲା । ରାଜ୍ୟର ବଡ଼ ଓ ଧନୀ ଗ୍ୟାଙ୍ଗଷ୍ଟରମାନଙ୍କ ମଧ୍ୟରେ ଗଣାଯାଉଥିବା ହାଇଦରର ଜୀବନ କାହାଣୀ ଖୁବ୍ ଚିତ୍ତାକର୍ଷକ ।
୨୦୦୫ରେ ସେଖ୍ ସୁଲେମାନର ସାନ ଭାଇ ସେଖ୍ ଚୁନାକୁ ଭୁବନେଶ୍ୱର ଷ୍ଟିୱାର୍ଟ୍ ସ୍କୁଲ୍ ନିକଟରେ ହାଇଦରର ସହଯୋଗୀମାନେ ହତ୍ୟା କରିଥିଲେ । ସେହି ହତ୍ୟାକାଣ୍ଡ ଘଟଣାରେ ହାଇଦର୍ ଓ ତା’ର ସହଯୋଗୀମାନେ ଚର୍ଚ୍ଚାକୁ ଆସିଥିଲେ। ଏହି ମାମଲାରେ ଭୁବନେଶ୍ୱର ଦୌରା ଜଜ୍ କୋର୍ଟ ହାଇଦରକୁ ଦୋଷୀ ସାବ୍ୟସ୍ତ କରି ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଥିଲେ । (ଫଟୋରେ ଗ୍ୟାଙ୍ଗଷ୍ଟର୍ ସୁଲେମାନ୍)
୨୦୦୭ରେ କେନ୍ଦୁଝରର ଖଣି ଓ କ୍ରସର୍ ବ୍ୟବସାୟୀ ରଶ୍ମି ରଞ୍ଜନ ମହାପାତ୍ରଙ୍କୁ ଭୁବନେଶ୍ୱରରୁ ଅପହରଣ କରାଯାଇଥିଲା । ରଶ୍ମି ଓ ତାଙ୍କ ଗାଡି଼ ଡ୍ରାଇଭରକୁ ଅପହରଣ କରି ମୁଣ୍ଡ ଜାମିନ୍ ରଖି ତାଙ୍କ ପରିବାରକୁ ଟଙ୍କା ମାଗିଥିଲେ ମଧ୍ୟ ପରେ ତାଙ୍କୁ ହତ୍ୟା କରାଯାଇଥିଲା। ଏହି ମାମଲାରେ ହାଇଦର୍ ସମେତ ଦୁଇ ସହଯୋଗୀଙ୍କୁ ଭୁବନେଶ୍ୱର ଅତିରିକ୍ତ ଜିଲ୍ଲା ଜଜ କୋର୍ଟ ୨୦୧୫ରେ ଆଜୀବନ କାରଦଣ୍ଡ ଶୁଣାଇଥିଲେ ।