ଗୋଟିଏ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଚାଲିଯାଇଛି ଚାରିଟି ଜୀବନ । ରାଉରକେଲା ନିବାସୀ ଗୋଟିଏ ପରିବାରର ଚାରି ଜଣଙ୍କର ଝାଡ଼ଖଣ୍ଡରେ ଏକ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ଘଟିଛି । ଝାଡ଼ଖଣ୍ଡ ରାଜଧାନୀ ରାଞ୍ଚି ନିକଟସ୍ଥ ତୋରପାରେ ବୁଧବାର ଅପରାହ୍ଣରେ (ଅଗଷ୍ଟ ୨୫) ଘଟିଥିଲା ଏହି ଦୁର୍ଘଟଣା । ଇନୋଭା କାରରେ ଏହି ପରିବାର ଅନ୍ୟ ଦୁଇ ଜଣଙ୍କ ସହ ପଶ୍ଚିମ ବଙ୍ଗରୁ ରାଉରକେଲା ଫେରୁଥିବା ବେଳେ କାରଟି ଅସନ୍ତୁଳିତ ହୋଇ ଗଛରେ ପିଟି ହୋଇଯିବାରୁ ଏହି ଦୁର୍ଘଟଣା ଘଟିଥିଲା । ଚୁର୍ଗି ନଦୀ ନିକଟରେ ଘଟିଥିବା ଏହି ଦୁର୍ଘଟଣା ଖବର ପାଇ ସଙ୍ଗେ ସଙ୍ଗେ ସ୍ଥାନୀୟ ଲୋକେ ଦୁର୍ଘଟଣା ସ୍ଥଳରେ ଏକତ୍ରିତ ହୋଇଥିଲେ ଓ ଆହତମାନଙ୍କୁ ରାଞ୍ଚିର ଆର୍.ଏମ୍.ଏସ୍.କୁ ପଠାଇଥିଲେ । କାରରେ ଥିବା ଅନ୍ୟ ଦୁଇଜଣ ଗୁରୁତର ଆହତ ହୋଇଛନ୍ତି। ମୃତକମାନଙ୍କ ନାମ କହ୍ନୈୟା ଜୈନ, ତାଙ୍କ ପତ୍ନୀ ରାମା ଜୈନ, ସେମାନଙ୍କ ପୁଅ ଆଶିଷ ଜୈନ ଓ ଝିଅ ନିଶିକା ଜୈନ । ଗୁରୁତର ଆହତ ହୋଇଥିବା ଦୁଇ ଜଣ ବ୍ୟକ୍ତି ହେଉଛନ୍ତି ଜ୍ୱାଇଁ ବଶିଷ୍ଟ ଜୈନ ଓ ଭଣଜା ବଂଶିକା ଜୈନ । ସୂଚନା ଅନୁଯାୟୀ ସମସ୍ତେ ରାଉରକେଲା ବାସିନ୍ଦା । ଇନୋଭା କାରରେ ସେମାନେ ପଶ୍ଚିମ ବଙ୍ଗର ରାନିଗଞ୍ଜରୁ ରାଉରକେଲାରେ ଥିବା ନିଜ ଘରକୁ ଫେରୁଥିଲେ । ପୋଲିସ ଘଟଣା ଦୁର୍ଘଟଣା ସ୍ଥଳରେ ପହଞ୍ଚି ଦୁର୍ଘଟଣା ଘଟିବାର କାରଣ ସମ୍ପର୍କରେ ଅନୁସନ୍ଧାନ ଆରମ୍ଭ କରିଛି । ଏହି ଦୁର୍ଘଟଣା ଓ ମୃତ୍ୟୁ ଖବର ରାଉରକେଲାରେ ଦୁଃଖର ଛାୟା ଖେଳାଇଦେଇଛି ।