ଦାରିଦ୍ର ଓ ଅନେକ ଅସୁବିଧା ସତ୍ତ୍ୱେ ୨୦୧୩ ଏସିଆନ୍ ଆଥଲେଟିକ୍ସ ଚାମ୍ପିଅନସିପରେ ବ୍ରୋଞ୍ଜ୍ ମେଡାଲ୍ ଜିତି ଦୂତୀ ଇତିହାସ ରଚନା କରିଥିଲେ । ସେହି ବର୍ଷ ବିଶ୍ୱ ଯୁବ ଚାମ୍ପିଅନସିପର ୧୦୦ ମିଟର ଦୌଡ଼ ପ୍ରତିଯୋଗିତାର ଫାଇନାଲରେ ପ୍ରବେଶ କରି ସେ କୌଣସି ଅନ୍ତରାଷ୍ଟ୍ରୀୟ ଆଥଲେଟିକ୍ ଚ୍ୟାମ୍ପିଅନଶିପର ଫାଇନାଲରେ ପହଞ୍ଚିଥିବା ପ୍ରଥମ ଭାରତୀୟ ହୋଇଥିଲେ । ସେହି ବର୍ଷ ଉଭୟ ୧୦୦ ମିଟର୍ ଓ ୨୦୦ ମିଡର୍ ଦୌଡ଼ରେ ସେ ଜାତୀୟ ଚ୍ୟାମ୍ପିଅନ୍ ହୋଇଥିଲେ ।
ଟୋକିଓ ଅଲିମ୍ପିକ୍ସ ପାଇଁ ପ୍ରସ୍ତୁତ ହେବାକୁ ନିଜ ଦାମୀ ବି.ଏମ୍.ଡବ୍ଲ୍ୟୁ. କାରକୁ ବିକିବେ ବୋଲି ଜୁଲାଇ ୨୦୨୦ରେ କହିଥିଲେ ଦୂତୀ । ଏ ନେଇ ସୋସିଆଲ ମିଡିଆରେ ସେ ନିଜ କାରର ଏକ ଫଟୋ ପୋଷ୍ଟ କରିଥିଲେ । ‘‘ଅଲିମ୍ପିକ୍ସ ପ୍ରସ୍ତୁତି ପାଇଁ ଅର୍ଥର ଆବଶ୍ୟକତା ରହିଛି। ତେଣୁ ନିଜ କାର୍ ବିକିବାକୁ ଚାହୁଁଛି । ଇଛୁକ ବ୍ୟକ୍ତି ମତେ ମେସେଞ୍ଜରରେ ଯୋଗାଯୋଗ କରିବେ,’’ ଲେଖିଥିଲେ ଦୂତୀ ।
ଦୂତୀ ୨୦୧୮ରେ ଏସିଆନ ଗେମ୍ସ ପଦକ ଜିତିବା ପରେ ରାଜ୍ୟ ସରକାରଙ୍କ ଠାରୁ ତାଙ୍କୁ ୩ କୋଟି ଟଙ୍କାର ପୁରସ୍କାର ରାଶି ମିଳିଥିଲା। ‘‘ସେଥିରୁ ୧ କୋଟି ଟଙ୍କା ଭଉଣୀମାନଙ୍କ ବାହାଘର ପାଇଁ ଫିକ୍ସ କରିଦେଇଛି। ୮୦ ଲକ୍ଷ ଟଙ୍କା ଘର ତିଆରି ପାଇଁ ଖର୍ଚ୍ଚ ହୋଇଛି । ୫୦ ଲକ୍ଷ ଟଙ୍କା ମ୍ୟୁଚୁଆଲ ଫଣ୍ଡରେ ଲାଗିଥିଲା । ସେଥିରେ ବର୍ତ୍ତମାନ ୧୫ ଲକ୍ଷ ଟଙ୍କା ଅଛି। ବିଏମଡବ୍ଲୁ କାର କିଣିଥିଲି। ଏବେ ଆଉ ମୋ’ ପାଖରେ ପଇସା ନାହିଁ। ବର୍ତ୍ତମାନର କରୋନା ମହାମାରୀ ସମୟରେ ସରକାରଙ୍କୁ ସହଯୋଗ ମାଗିବା ଠିକ୍ ହେବନି। ତେଣୁ ନିଜ ବଳରେ ନିଜ ଅଭ୍ୟାସ କରିବି,’’ କହିଥିଲେ ଦୂତୀ ଚାନ୍ଦ।
ଜୁଲାଇ ୨୦୨୦ରେ ଦୂତୀ ନିଜ ଭଉଣୀଙ୍କ ସମଲିଙ୍ଗୀ ସମ୍ପର୍କର ବି ଖୁଲାସା କରିଥିଲେ । ବଡ଼ ଭଉଣୀ ସରସ୍ୱତୀ ଚାନ୍ଦଙ୍କର ଜଣେ ଝିଅ ସହ ସମ୍ପର୍କ ରହିଛି ବୋଲି ସେ କହିଥିଲେ । ‘‘ଆମ ଘରେ ସେ ଝିଅ ରହିବାର ମୁଁ ଦେଖିଛି । ଗାଁ ପଡ଼ୋଶୀଙ୍କ ଠାରୁ ମଧ୍ୟ ଭଉଣୀଙ୍କ ସମ୍ପର୍କ ବିଷୟରେ ଶୁଣିଛି । ସୋସିଆଲ ମିଡିଆରେ ଉଭୟଙ୍କ ଫୋଟୋ ବି ରହିଛି। ଯଦି ନିଜେ ସମଲିଙ୍ଗୀ ସମ୍ପର୍କରେ ରହୁଛନ୍ତି ତେବେ ମତେ କଣ ପାଇଁ କହୁଛନ୍ତି?’’ ଦୂତୀ ପ୍ରଶ୍ନ କରିଥିଲେ ।
ଦୂତୀଙ୍କ ପରି ଜଣେ ଅନ୍ତର୍ଜାତୀୟ କ୍ରୀଡ଼ାବିତଙ୍କ ପ୍ରଶିକ୍ଷଣ ବାବଦରେ ମାସକୁ ସାଢ଼େ ୩ ରୁ ୪ ଲକ୍ଷ ଟଙ୍କା ଖର୍ଚ୍ଚ ହୁଏ । ମସାଜ୍ ପାଇଁ ୩୦,୦୦୦ ଟଙ୍କା ଓ ଫିଜିଓ ପାଇଁ ୪୦,୦୦୦ ଟଙ୍କା ଖର୍ଚ୍ଚ ହୁଏ । ପୁଣି ରନିଂ ପାର୍ଟନରଙ୍କ ରହିବା ଓ ଖାଇବା ଖର୍ଚ୍ଚ ସହ ନିଜ ପାଇଁ ଡାଏଟ୍ ଓ ସପ୍ଲିମେଣ୍ଟ୍ ଖର୍ଚ୍ଚ ଅଲଗା ଅଛି । (ଫଟୋରେ ୬୭ତମ ରାଜ୍ୟସ୍ତରୀୟ ଦୌଡ଼କୁଦ ପ୍ରତିଯୋଗିତାରେ ୨୦୦ ମିଟରରେ କିଟ୍ ଓ କିସ୍ ତରଫରୁ ଭାଗ ନେଇ ସ୍ୱର୍ଣ୍ଣ ପଦକ ଜିତିବା ପରେ ଦୂତୀ ।)