ଖଣି ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକଙ୍କ ବୋହୂ ଲିପ୍ସା ପ୍ରଧାନ ସରକାରୀ ଅର୍ଥ ହଡ଼ପ କରିଛନ୍ତି: ବିଜେପି
ମନ୍ତ୍ରୀଙ୍କ ଅଧ୍ୟାପିକା ବୋହୂ କାମାକ୍ଷାନଗର ମହାବିଦ୍ୟାଳୟରୁ ୨୦୧୬ରୁ ୨୦୧୮ ପର୍ଯ୍ୟନ୍ତ PhD ପାଇଁ ଷ୍ଟଡି ଲିଭରେ ଥିବା ବିଷୟରେ ମିଥ୍ୟା ତଥ୍ୟ ଦେଇ ଦରମା ଟଙ୍କା ହଡ଼ପ କରିଛନ୍ତି ବୋଲି ଅଭିଯୋଗ କରିଛି ଢେଙ୍କାନାଳ ଜିଲ୍ଲା ବିଜେପି ।

ଖଣି ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକଙ୍କ ବୋହୂ ଲିପ୍ସା ପ୍ରଧାନ ସରକାରଙ୍କ ଟଙ୍କା ହଡ଼ପ କରିଥିବା ଅଭିଯୋଗ କରି ସରକାରଙ୍କୁ ଘେରିଛି ବିରୋଧୀ ଦଳ ବିଜେପି । (ଫଟୋରେ ପ୍ରଫୁଲ୍ଲ ମଲ୍ଲିକ ଓ ତାଙ୍କ ବୋହୂ ଲିପ୍ସା ପ୍ରଧାନ)

ମନ୍ତ୍ରୀଙ୍କ ବୋହୂ ଲିପ୍ସା ପ୍ରଧାନ କାମାକ୍ଷାନଗର ମହାବିଦ୍ୟାଳୟରେ ପ୍ରାଣୀ ବିଜ୍ଞାନ ବିଭାଗର ଅଧ୍ୟାପିକା ଥିବା ବେଳେ ୨୦୧୬ରୁ ୨୦୧୮ ପର୍ଯ୍ୟନ୍ତ PhD ପାଇଁ ଷ୍ଟଡି ଲିଭରେ ଥିଲେ ବୋଲି ମହାବିଦ୍ଯାଳୟ ତରଫରୁ ଏକ RTI ପ୍ରଶ୍ନର ଉତ୍ତରରେ କୁହାଯାଇଥିଲା ।

ହେଲେ ପରବର୍ତ୍ତୀ ସମୟରେ ଉତ୍କଳ ବିଶ୍ଵବିଦ୍ୟାଳୟରୁ ମିଳିଥିବା RTI ତଥ୍ୟ ମୁତାବକ ଲିପ୍ସା ପ୍ରଧାନଙ୍କ ନାଁରେ PhD ପାଇଁ କୌଣସି ରେଜିଷ୍ଟ୍ରେସନ୍ ହୋଇ ନ ଥିବା ସାମ୍ନାକୁ ଆସିଥିଲା ।

ଷ୍ଟଡି ଲିଭ୍ ସମୟରେ ଲିପ୍ସା ପ୍ରଧାନ ବେଆଇନ୍ ଭାବେ କଲେଜରୁ ଦରମା ଉଠାଇଥିଲେ ବୋଲି ସୂଚନା ଦେଇଛନ୍ତି RTI କର୍ମୀ ଜୟକୃଷ୍ଣ ବେହେରା ।

୨୦୧୬ରୁ ୨୦୧୮ ପର୍ଯ୍ୟନ୍ତ ନିଜ ଅନୁପସ୍ଥିତି ବିଷୟରେ ମିଥ୍ୟା ତଥ୍ୟ ଦେଇ ଲିପ୍ସା ପ୍ରଧାନ ସରକାରୀ ଟଙ୍କା ହଡ଼ପ କରିଛନ୍ତି ବୋଲି ଅଭିଯୋଗ କରିଛି ଢେଙ୍କାନାଳ ଜିଲ୍ଲା ବିଜେପି ।

କାମାକ୍ଷାନଗର କଲେଜ ଗଭର୍ଣ୍ଣିଂ ବଡିର ଅଧ୍ୟକ୍ଷ ଅଛନ୍ତି ଲିପ୍ସାଙ୍କ ଶ୍ୱଶୁର ତଥା ସ୍ଥାନୀୟ ବିଧାୟକ ଏବଂ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ।

ଏକ ସାମ୍ବାଦିକ ସମ୍ମିଳନୀରେ ଢେଙ୍କାନାଳ ଜିଲ୍ଲା ବିଜେପି ଅଭିଯୋଗ କରିଛି ଯେ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକଙ୍କ ଇସାରାରେ କଲେଜର ସମସ୍ତ ଦୁର୍ନୀତି ହୋଇଛି ।

ଢେଙ୍କାନାଳ ଜିଲ୍ଲା ବିଜେପି ସଭାପତି ନରେଶ ମହାପାତ୍ର ଏହି ମାମଲାକୁ ନେଇ ମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛନ୍ତି ।

ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ କହିଛନ୍ତି, ‘‘ତାଙ୍କର (ଲିପ୍ସାଙ୍କର) ଏହା ରେଗୁଲାର ନୁହେଁ କି ବ୍ଲକ୍ ଗ୍ରାଣ୍ଟ ଚାକିରୀ ନୁହେଁ, ଏହା କଣ୍ଟ୍ରାକ୍ଚୁଆଲ୍ ଚାକିରି । ତାଙ୍କର ପିଏଚଡି ପଢ଼ିବା ପାଇଁ ଆଡମିସନ ହୋଇଥିଲା । ପୁଅ ଦେହ ଖରାପ ହେବାରୁ ପାଠ ନ ପଢି କଲେଜରେ ଯେମିତି କ୍ଲାସ କରି ପିଲାଙ୍କୁ ପଢ଼ାଇବା କଥା ପଢାଉଥିଲେ । ଆରଟିଆଇ ଦ୍ୱାରା ଆସୁଥିବା ତଥ୍ୟ ଭିର୍ତ୍ତିହୀନ ।’’