ମାହାଙ୍ଗା BJP ନେତା ହତ୍ୟା: ଏତାଲାରେ ଆଇନ୍ ମନ୍ତ୍ରୀଙ୍କ ନାଁ; ୨ ପ୍ଲାଟୁନ ପୋଲିସ୍ ଫୋର୍ସ ମୁତୟନ
ପ୍ରଧାନ ମନ୍ତ୍ରୀ ଆବାସ ଯୋଜନାରେ ହେଉଥିବା ଦୁର୍ନୀତି ବିରୋଧରେ BJP ନେତା କୁଳମଣି ବରାଳ ସ୍ୱର ଉଠାଇଥିବାରୁ ତାଙ୍କ ହତ୍ୟା କରାଯାଇଛି ବୋଲି ତାଙ୍କ ପୁଅ ଓ BJP ନେତାମାନେ କହିଛନ୍ତି । ସ୍ଥାନୀୟ MLA ତଥା ଆଇନ ମନ୍ତ୍ରୀ ପ୍ରତାପ ଜେନା ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି ।

ବିଜେପି ନେତା ତଥା କଟକ ମାହାଙ୍ଗା ବ୍ଲକର ପୂର୍ବତନ ଅଧ୍ୟକ୍ଷ କୁଳମଣି ବରାଳ ଓ ତାଙ୍କ ସହଯୋଗୀ ଦିବ୍ୟସିଂହ ବରାଳଙ୍କ ହତ୍ୟା ଘଟଣାରେ ଥାନାରେ ଏତଲା ଦେଇଛନ୍ତି କୁଳମଣିଙ୍କ ପୁଅ । ନିଜ ବାପା ଓ ତାଙ୍କ ସହଯୋଗୀଙ୍କୁ ୧୨ ଜଣ ହତ୍ୟା କରିଛନ୍ତି ବୋଲି ସେ ଏତଲାରେ ଅଭିଯୋଗ କରିଛନ୍ତି । ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କ ସମ୍ପର୍କରେ ମଧ୍ୟ ଏହି ଏତାଲାରେ ସେ ଅଭିଯୋଗ କରିଛନ୍ତି ।

ଏତାଲାରେ ଯେଉଁମାନଙ୍କ ନାମ କୁଳମଣିଙ୍କ ପୁଅ ରମାକାନ୍ତ ବରାଳ ଉଲ୍ଲେଖ କରିଛନ୍ତି ସେମାନଙ୍କ ମଧ୍ୟରେ ଅଛନ୍ତି ମାହାଙ୍ଗାର ପୂର୍ବତନ ବ୍ଲକ୍ ଅଧ୍ୟକ୍ଷ ଭିକାରୀ ଚରଣ ସ୍ବାଇଁ ଓ ନୃତାଙ୍ଗ ସରପଞ୍ଚଙ୍କ ସ୍ବାମୀ ପ୍ରଫୁଲ୍ଲ ବିଶ୍ବାଳ । ରମାକାନ୍ତ ଅଭିଯୋଗ କରିଛନ୍ତି ଯେ ପୂର୍ବରୁ ଅନୁସୂଚିତ ଜାତିର ଜଣେ ବ୍ୟକ୍ତିଙ୍କୁ (ବିକାଶ ଜେନା) ହତ୍ୟା ମାମଲାର ଅଭିଯୁକ୍ତମାନଙ୍କୁ ମନ୍ତ୍ରୀ ତଥା ସ୍ଥାନୀୟ ବିଧାୟକ ପ୍ରତାପ ଜେନା ସୁରକ୍ଷା ଦେଇଥିଲେ । ତାଙ୍କ ବାପା ତଥା ସେ ବାରମ୍ବାର ସେହି ଦଳିତ ମୃତକଙ୍କ ପରିବାରକୁ ନ୍ୟାୟ ଦେବା ଲାଗି ଦାବି କରିଆସୁଥିଲେ ବୋଲି ସେ ଲେଖିଛନ୍ତି । (ଫଟୋରେ କୁଳମଣି ବରାଳ)

ନୃତାଙ୍ଗ ଗ୍ରାମ ପଞ୍ଚାୟତରେ ପ୍ରଧାନ ମନ୍ତ୍ରୀ ଆବାସ ଯୋଜନାରେ ହେଉଥିବା ଦୁର୍ନୀତି ବିରୋଧରେ କୁଳମଣି ଓ ପୁଅ ରମାକାନ୍ତ ସ୍ବର ଉଠାଉଥିଲେ ବୋଲି ସେ ଏତାଲାରେ ଲେଖିଛନ୍ତି । ଏଥିଲାଗି ତାଙ୍କ ବାପାଙ୍କୁ ମନ୍ତ୍ରୀ ପ୍ରତାପ ଜେନା ହତ୍ୟା ଧମକ ଦେଇଥିବା କଥା ସେ ଲେଖିଛନ୍ତି । ଏ ସବୁ କାରଣରୁ ତାଙ୍କ ବାପାଙ୍କୁ ହତ୍ୟା କରାଯାଇଛି ବୋଲି ସେ ଏତାଲାରେ ଅଭିଯୋଗ କରିଛନ୍ତି ।

କୁଳମଣି ବରାଳଙ୍କ ହତ୍ୟା ପଛରେ ରାଜନୈତିକ ଶତ୍ରୁତା ଥିବା ଅଭିଯୋଗ କରିଛନ୍ତି ତାଙ୍କ ସମର୍ଥକ ଓ ବିଜେପି ନେତାମାନେ । କଟକ ଜିଲ୍ଲା ବିଜେପି ସଭାପତି ତଥା ପୂର୍ବତନ ବିଧାୟକ ପ୍ରକାଶ ବେହେରା କହିଛନ୍ତି ଏହି ହତ୍ୟାକାଣ୍ଡ ପଛରେ ରାଜନୈତିକ ଶତୃତା ରହିଛି ।

କେନ୍ଦ୍ରୀୟ ଯୋଜନା ହଡ଼ପକୁ ନେଇ କୁଳମଣି ବରାଳ ସ୍ବର ଉତ୍ତୋଳନ କରିଥିବାରୁ ତାଙ୍କୁ ହତ୍ୟା କରାଯାଇଛି ବୋଲି କହିଛନ୍ତି ବିଜେପି ରାଜ୍ୟ ଉପସଭାପତି ଭୃଗୁ ବକ୍ସିପାତ୍ର । ସ୍ଥାନୀୟ ବିଧାୟକଙ୍କ ଛତ୍ରଛାୟା ତଳେ ହତ୍ୟାକାରୀମାନେ ରହିଛନ୍ତି ବୋଲି ସେ କହିଛନ୍ତି ।

ଏହି ସବୁ ଅଭିଯୋଗକୁ ଖଣ୍ଡନ କରିଛନ୍ତି ସ୍ଥାନୀୟ ବିଧାୟକ ତଥା ଆଇନ ମନ୍ତ୍ରୀ ପ୍ରତାପ ଜେନା (ଫଟୋରେ)। ଏହି ହତ୍ୟାକୁ ଘୋର୍ ନିନ୍ଦା କରି ସେ କହିଛନ୍ତି, ‘‘ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଆବଶ୍ୟକ । ଦୋଷୀ କିପରି ଗିରଫ ହେବେ ମୁଁ ନିଜେ ସେଥି ପ୍ରତି ଦୃଷ୍ଟି ଦେବି । ବିଜେପି ବିରୋଧୀ ଦଳ ଭାବେ ଆମକୁ କହିବା ସ୍ବାଭାବିକ । ଜଗନ୍ନାଥଙ୍କ ରାଜ୍ୟରେ ହିଂସାର ସ୍ଥାନ ନାହିଁ ।’’

କଟକ ଜିଲ୍ଲା ମାହାଙ୍ଗା ବ୍ଲକର ପୂର୍ବତନ ଅଧ୍ୟକ୍ଷ ତଥା ବିଜେପି ନେତା କୁଳମଣି ବରାଳ ଓରଫ ପାଗଳ ବରାଳ ଓ ତାଙ୍କ ସହଯୋଗୀ ଦିବ୍ୟସିଂହ ବରାଳଙ୍କୁ ଶନିବାର (ଜାନୁଆରୀ ୨) ସନ୍ଧ୍ୟାରେ ଧାରୁଆ ଅସ୍ତ୍ରରେ ହାଣି ନିର୍ମମ ହତ୍ୟା କରାଯାଇଥିଲା ।

ଗୁରୁତର ଅବସ୍ଥାରେ ଉଭୟଙ୍କୁ ସ୍ଥାନୀୟ ମାହାଙ୍ଗା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଡାକ୍ତର ସେଠାରେ କୁଳମଣିଙ୍କୁ ମୃତ ବୋଲି ଘୋଷଣା କରିଥିଲେ । ତାଙ୍କ ସହଯୋଗୀଙ୍କୁ କଟକ ଏସ୍.ସି.ବି. ହସପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ସେ ପ୍ରାଣ ହରାଇଥିଲେ ।

ଉଭୟଙ୍କ ମୃତ୍ୟୁରେ ସାରା ମାହାଙ୍ଗା ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ଓ ଜନ ଉତ୍ତେଜନା ଦେଖାଦେଇଛି । ମୃତକ କୁଳମଣିଙ୍କ ଗାଁ ନୃତାଙ୍ଗରେ ଦୁଇ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି ।

ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଉଭୟ ମୃତ ଦେହ ବ୍ୟବଚ୍ଛେଦ ହେବା ପରେ ଏକ ରାଲିରେ ଗାଁକୁ ନିଆଯାଇଛି । ରାଲିରେ ରାଜ୍ୟ ବିଜେପିର ଅନେକ ନେତା ଓ କର୍ମୀ ସାମିଲ ହୋଇଥିଲେ ।

ଏହି ଦୁଇଟି ହତ୍ୟା ମାମଲାରେ ଦୁଃଖ ପ୍ରକାଶ କରିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସେ କହିଛନ୍ତି ଯେ କୁଳମଣି ବରାଳ ଜଣେ ସରଳ ଓ ନିଷ୍ଠାପର ସାମାଜିକ କାର୍ଯ୍ୟକର୍ତ୍ତା ଭାବେ ପରିଚିତ ଥିଲେ । ‘‘ସାମାଜିକ ଜୀବନରେ ମତ ପାର୍ଥକ୍ୟ ଓ ବାଦବିବାଦ ରହିବ । କିନ୍ତୁ ହିଂସା ଓ ହତ୍ୟା କରିବା ଠାରୁ ଦୁଃଖଦ ଘଟଣା କିଛି ନ ଥାଇପାରେ । ଘଟଣାରେ ପ୍ରଶାସନ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି ଆଶା,’’ କହିଛନ୍ତି ପ୍ରଧାନ ।