କୋର୍ଟରୁ ନିଜ କୁନି ଝିଅ ସହ ଘରକୁ ଫେରୁଛନ୍ତି ଦମ୍ପତି । ଏହି ଦମ୍ପତି ନିଜ ବିବାହ ବନ୍ଧନରୁ ଦୂରେଇ ଯିବା ପାଇଁ ନିଷ୍ପତ୍ତି ନେଇଥିଲେ ଓ କଟକରେ କୋର୍ଟରେ ବିବାହ ବିଚ୍ଛେଦ ପାଇଁ ତିନି ବର୍ଷ ଧରି କେସ୍ ଲଢୁଥିଲେ । ହେଲେ କୋର୍ଟଙ୍କ ଉଦ୍ୟମ ଯୋଗୁଁ ପୁଣି ଦୁହେଁ ହାତ ଧରି ଏକାଠି ହୋଇ ଘରକୁ ଫେରିଲେ । ଏହି ମିଳନ କଟକ ଜେ.ଏମ୍.ଏଫ୍.ସି. ରୁରାଲ୍ କୋର୍ଟରେ ଲୋକ ଅଦାଳତର ଶୁଣାଣି ସମୟରେ ଘଟିଥିଲା । ଜଗତସିଂହପୁର ସାଇଲୋ ଅଞ୍ଚଳର ବାସିନ୍ଦା ଶଶିକାନ୍ତ ନାୟକ ଓ ତାଙ୍କ ପତ୍ନୀ ସୁମିତ୍ରା ନାୟକ ପୁଣି ଏକାଠି ହୋଇଥିଲେ । ଦୀର୍ଘ ତିନି ବର୍ଷର ଆଇନଗତ ଲଢ଼େଇକୁ ପଛକୁ ଠେଲି ଦେଇ ଉଭୟ ସ୍ୱାମୀ ଓ ସ୍ତ୍ରୀ ନିଜ କୁନି ଝିଅଟି ପାଇଁ ଆଗାମୀ ଜୀବନ ସାଥି ହୋଇ ଗୋଟିଏ ଘରେ ଖୁସିରେ ରହିବାକୁ ନିଷ୍ପତ୍ତି ନେଇଥିଲେ । ଶଶିକାନ୍ତ ଓ ସୁମିତ୍ରାଙ୍କ ବିବାହ ବିଚ୍ଛେଦ ମାମଲାର ଶୁଣାଣି ବେଳେ ମଧ୍ୟସ୍ଥତା ଲାଗି ପ୍ରୟାସ ଆରମ୍ଭ କରିଥିଲେ ଜେ.ଏମ୍.ଏଫ୍.ସି. ରୁରାଲ୍ କୋର୍ଟର ମାଜିଷ୍ଟ୍ରେଟ । ଉଭୟଙ୍କ ମଧ୍ୟରେ ରହିଥିବା ତିକ୍ତତା ଓ ମନୋମାଳିନ୍ୟକୁ ଦୂରେଇ ଏକାଠି ରହି ସଂସାରକୁ ଆଗକୁ ବଢ଼ାଇବା ପାଇଁ ଏହି ଦମ୍ପତିଙ୍କୁ ଉପଦେଶ ଦେଇ ବୁଝାଇଥିଲେ । କୋର୍ଟ ତରଫରୁ ଆସିଥିବା ଏକ ଫୁଲତୋଡ଼ା ନିଜ ସ୍ତ୍ରୀଙ୍କୁ ଦେଇ ପୁଣି ତାଙ୍କ ହାତ ଧରିଥିଲେ ସ୍ୱାମୀ ନିଶିକାନ୍ତ ନାୟକ । ୨୦୧୭ରେ ଶଶିକାନ୍ତ ନାୟକ ଚୌଦ୍ୱାର ଚଷାପଡ଼ା ଅଞ୍ଚଳର ସୁମିତ୍ରାଙ୍କୁ ବିବାହ କରିଥିଲେ । ବିବାହର ବର୍ଷକ ପରେ ଉଭୟଙ୍କ ମଧ୍ୟରେ ପାରିବାରିକ କାରଣରୁ ଦୂରତା ବଢି଼ଥିଲା ଓ ପରସ୍ପର ବିବାହ ବିଚ୍ଛେଦ ପାଇଁ ମନସ୍ତ କରି କୋର୍ଟର ଦ୍ୱାରସ୍ଥ ହୋଇଥିଲେ । ହେଲେ ଯେଉଁ କୋର୍ଟରେ ଅଲଗା ହେବା ପାଇଁ ଦୁହେଁ ଆବେଦନ କରିଥିଲେ ସେହି କୋର୍ଟରେ ହିଁ ପରସ୍ପର ଏକାଠି ରହିବାକୁ ନିଷ୍ପତ୍ତି ନେଲେ । (ଦେଖନ୍ତୁ କୁନି ଝିଅଟି ଫେରିପାଇଥିବା ନିଜ ବାପାଙ୍କୁ କେମିତି ଅନେଇ ରହିଛି ।) ଦମ୍ପତିଙ୍କ ଏହି ନିଷ୍ପତ୍ତିରେ ଉଭୟଙ୍କ ପରିବାର ଖୁବ୍ ଖୁସି ହୋଇଥିଲେ । ତିନି ବର୍ଷର ନିଷ୍ପାପ କୁନି ଝିଅଟି ସହିତ ଉଭୟ ପରିବାର କୋର୍ଟରୁ ହସଖୁସିରେ ଘରକୁ ଫେରିଥିଲେ । ସବୁ ଭୁଲ୍ ବୁଝାମଣା, ମନାନ୍ତର ଓ ସନ୍ଦେହ ଅନେକ ବିବାହ ବିଚ୍ଛେଦର କାରଣ ହୋଇଥାଏ । ହେଲେ ବିବାହ ବିଚ୍ଛେଦ ଯେ ଏକ ମାତ୍ର ବିକଳ୍ପ ନୁହେଁ ବରଂ ଆପୋଷ ସମାଧାନରେ ବି ସଂସାର ପୁଣି ଆଗକୁ ବଢି଼ପାରେ ତା’ର ଏକ ସୁନ୍ଦର ଉଦାହରଣ ହେଉଛନ୍ତି ଶଶିକାନ୍ତ ଓ ସୁମିତ୍ରା । ଶଶିକାନ୍ତ ଓ ସୁମିତ୍ରାଙ୍କୁ ସାଙ୍ଗ ହୋଇ ଆଗକୁ ଚାଲିବାକୁ ଅଛି ଅନେକ ଦୂର ।