ହୋଲିରେ ରାଜଧାନୀ ଭୁବନେଶ୍ୱରର ଏକ ରାସ୍ତାରେ ଗୋଟିଏ ଅଭାବନୀୟ ଘଟଣା ଘଟିଥିଲା । ଜଣେ ମହିଳା ରାସ୍ତା କଡ଼ରେ ରକ୍ତ ଜୁଡ଼ୁବୁଡ଼ୁ ହୋଇ ଠିଆ ହୋଇ ବଡ଼ ପାଟିରେ କିଛି କହିଚାଲିଥିଲେ । ଏହି ଘଟଣା ଘଟିଥିଲା ମାଷ୍ଟରକ୍ୟାଣ୍ଟିନ ଛକ ନିକଟରେ । ସମୟ ଥିଲା ମଧ୍ୟାନ୍ନ ପ୍ରାୟ ସାଢ଼େ ଗୋଟାଏ । ମହିଳାଙ୍କୁ ଏମିତି ଅବସ୍ଥାରେ ଦେଖି କେହି ପୋଲିସକୁ ଫୋନ୍ କରିବାରୁ ଏକ ପୋଲିସ ପିସିଆର୍ ଗାଡ଼ି ସେଠାରେ ପହଞ୍ଚିଥିଲା । ପୋଲିସ ମହିଳାଙ୍କ ସହ କଥା ହୋଇ ଜାଣିବାକୁ ପାଇଥିଲା ଯେ ସେ ବ୍ଲେଡରେ ନିଜ ହାତ କାଟିଛନ୍ତି । ଏହାର କାରଣ ସମ୍ପର୍କରେ ସେ କହୁଥିବା କଥା ସ୍ପଷ୍ଟ ବୁଝି ହେଉ ନ ଥିବା କହିଛନ୍ତି ପୋଲିସ ଅଧିକାରୀମାନେ । ମହିଳାଙ୍କୁ ବୁଝାଇ ସେଠାରୁ ନେଇ କ୍ୟାପିଟାଲ୍ ହସ୍ପିଟାଲରେ ଭର୍ତ୍ତି କରିଥିଲା ପୋଲିସ । ସେ ଏବେ ଚିକିତ୍ସାଧୀନ ଅଛନ୍ତି । ମହିଳାଙ୍କ ଘର ଢେଙ୍କାନାଳ ଜିଲ୍ଲାରେ ବୋଲି ପୋଲିସ ଜାଣିବାକୁ ପାଇଛି । ତାଙ୍କ ମାନସିକ ଅବସ୍ଥା ଭଲ ନ ଥିବା କହିଛନ୍ତି ଖାରବେଳନଗର ଥାନା ଅଧିକାରୀ । ଚିକିତ୍ସା ସରିବା ପରେ ଏଭଳି କାଣ୍ଡ ଭିଆଇବା ପଛର କାରଣ ଖୋଜିବ ବୋଲି କହିଛି ପୋଲିସ । ମହିଳା ଯେଉଁଠି ରକର୍ତ ଜୁଡ଼ୁବୁଡ଼ୁ ହୋଇ ଠିଆ ହୋଇଥିଲେ ସେଠାରୁ ଏହି ବ୍ଲେଡ୍ ପାଇଛି ପୋଲିସ । ଏଥିରେ ମହିଳା ନିଜ ହାତ କାଟିଥିଲେ । ସେହି ସ୍ଥାନରେ ରକ୍ତ ବି ପଡ଼ିଥିବା ଦେଖିବାକୁ ପାଇଛି ପୋଲିସ ।