ସାମ୍ନାକୁ ଆସିଛି ଭୁବନେଶ୍ୱରରେ ଥିବା ଏକ ନିଶାମୁକ୍ତି କେନ୍ଦ୍ରର ବର୍ବରତା । କରୋଡକଣ୍ଟାରେ ଥିବା କୃପା ଫାଉଣ୍ଡେସନ ନିଶାମୁକ୍ତି କେନ୍ଦ୍ରରେ ତ୍ରିନାଥ ସେଠୀ ନାମକ ଜଣେ ଅନ୍ତେବାସୀଙ୍କ ହତ୍ୟା ଘଟଣାର ପର୍ଦ୍ଦାଫାସ ହୋଇଛି । ଅଗଷ୍ଟ ୫ ତାରିଖରେ କୃପା ଫାଉଣ୍ଡେସନ୍ ନିଶାମୁକ୍ତି କେନ୍ଦ୍ରରୁ ତ୍ରିନାଥ ସେଠୀ ପଳେଇ ଯାଉଥିବାରୁ କିଛି ସହଯୋଗୀଙ୍କ ସହ ମିଶି ତାକୁ ପିଟି ପିଟି ହତ୍ୟା କରାଯାଇଥିଲା । ତ୍ରିନାଥ ସେଠୀକୁ ହତ୍ୟା କରିଥିଲା ନିଶାମୁକ୍ତି କେନ୍ଦ୍ରର ମୁଖ୍ୟ କୀର୍ତ୍ତୀ ତ୍ରିପାଠୀ । ନିଶାମୁକ୍ତି କେନ୍ଦ୍ରରେ ଏଭଳି ଘଟଣା ସାମ୍ନାକୁ ଆସିବା ପରେ ଅନ୍ତେବାସୀମାନଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନ ଉଠିଥିଲା । ହତ୍ୟାର ୩୮ ଦିନ ପରେ ନିଶାମୁକ୍ତି କେନ୍ଦ୍ରର ମୁଖ୍ୟ କୀର୍ତ୍ତୀ ତ୍ରିପାଠୀକୁ ଗିରଫ କରିଛି ସହିଦ ନଗର ଥାନା ପୋଲିସ । ତ୍ରିନାଥ ସେଠୀର ନିଶା ଅଭ୍ୟାସ ଛଡ଼େଇବା ପାଇଁ ତାକୁ ନିଶାମୁକ୍ତି କେନ୍ଦ୍ରରେ ଭର୍ତି କରିଥିଲେ ପରିବାର ଲୋକେ । ମାସକୁ ୫,୫୦୦ ଟଙ୍କା ବି ଦେଉଥିଲେ ସେହି କେନ୍ଦ୍ରକୁ। ପରିବାରର ଏକ ମାତ୍ର ପୁଅକୁ ବାଟକୁ ଆଣିବାକୁ ନିଶାମୁକ୍ତି କେନ୍ଦ୍ରରେ ଭର୍ତ୍ତି କରିଥିଲେ ସେମାନେ । ଏବେ ପୁଅକୁ ହରାଇ ପାଗଳପ୍ରାୟ ପରିବାର ଲୋକେ । ଅଭିଯୁକ୍ତ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି ତ୍ରିନାଥଙ୍କ ପରିବାର । (ଫଟୋରେ ତ୍ରିନାଥର ବାପା ଓ ମାଉସୀ) ତ୍ରିନାଥଙ୍କ ମାଉସୀ କହିଛନ୍ତି ଯେ ନିଶାମୁକ୍ତି କେନ୍ଦ୍ରର କର୍ମକର୍ତ୍ତାମାନେ କହିଥିଲେ ଯେ କ୍ରିନାଥ ଛାତରୁ ପଡ଼ି ମୃତ୍ୟୁ ବରଣ କରିଥିଲା । ତ୍ରିନାଥଙ୍କ ମୃତ ଦେହ ସାରା ଆଘାତର ଚିହ୍ନ କେମିତି ଆସିଲା ବୋଲି ପ୍ରଶ୍ନ କରିଛନ୍ତି ତାଙ୍କ ମାଉସୀ । ଏସିପି ସଞ୍ଜୀବ ଶତପଥୀ କହିଛନ୍ତି ଯେ ତଦନ୍ତରୁ ଜଣାପଡ଼ିଥିଲା ନିଶାମୁକ୍ତି କେନ୍ଦ୍ରରେ ଚିକିତ୍ସିତ ହେଉଥିବା ତ୍ରିନାଥ ସେଠୀଙ୍କୁ ପିଟି ପିଟି ହତ୍ୟାକରିବା ପରେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରି ଛୁ ମାରିଥିଲେ କେନ୍ଦ୍ରର ମୁଖ୍ୟ କୀର୍ତ୍ତି ତ୍ରିପାଠୀ ଓ ତାଙ୍କର କିଛି ସହଯୋଗୀ । ପରିବାର ଲୋକ ସହିଦନଗର ଥାନାରେ ଅଭିଯୋଗ କରିବା ପରେ ହତ୍ୟା ମାମଲା ରୁଜୁ କରି ତଦନ୍ତ କରିଥିଲା ପୋଲିସ । ସେପ୍ଟେମ୍ବର ୧୩ ତାରିଖ ଦିନ ନିଶାମୁକ୍ତି କେନ୍ଦ୍ରର ମୁଖ୍ୟ କୀର୍ତ୍ତୀ ତ୍ରିପାଠୀକୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ । ନିଶାରୁ ମୁକ୍ତି ପାଇବାକୁ ଭୁବନେଶ୍ୱରରେ ଅନେକ ନିଶା ନିବାରଣ କେନ୍ଦ୍ର ରହିଛି । ଏବେ ପ୍ରଶ୍ନ ଉଠୁଛି ଯେ ସେ ସବୁ କେନ୍ଦ୍ରଗୁଡି଼କ ପଞ୍ଜିକୃତ ହୋଇଛି ତ? ସରକାରଙ୍କ ଗାଇଡଲାଇନ୍ ସେମାନେ ସଠିକ ଭାବେ ପାଳନ କରୁଛନ୍ତି ତ?