ଭୁବନେଶ୍ୱର Blast: ନିଖୋଜ ଇଞ୍ଜିନିୟରଙ୍କ ‘ପ୍ରତୀକ ଶବ ସଂସ୍କାର’ ହେଲା; ଫେରିବାକୁ ଅନେଇଛି ପତ୍ନୀ
ରାଜ୍ୟପାଳଙ୍କ ଆବାସ ନିକଟରେ ଥିବା ଏକ ପେଟ୍ରୋଲ ପମ୍ପରେ ଘଟିଥିବା ବିସ୍ଫୋରଣ ପର ଠାରୁ ସେଠାରେ କାର୍ଯ୍ୟରତ ଇଞ୍ଜିନିୟର ସୀମାଞ୍ଚଳ ପରିଡ଼ା ନିଖୋଜ ଅଛନ୍ତି । ବିନା ଶବରେ ତାଙ୍କ ଗାଁରେ ତାଙ୍କର ଶେଷ କୃତ୍ୟ କରାଯାଇଛି ।

ରାଜଧାନୀ ଭୁବନେଶ୍ୱରର ରାଜ୍ୟପାଳଙ୍କ ଆବାସ ନିକଟରେ ଥିବା ଏକ ପେଟ୍ରୋଲ ପମ୍ପରେ ଘଟିଥିବା ବିସ୍ଫୋରଣ ଓ ଅଗ୍ନିକାଣ୍ଡ ଘଟଣା ପର ଠାରୁ ସେଠାରେ କାର୍ଯ୍ୟରତ ଇଞ୍ଜିନିୟର ସୀମାଞ୍ଚଳ ପରିଡ଼ା ନିଖୋଜ ଅଛନ୍ତି । ବିସ୍ଫୋରଣ ଅକଟୋବର ୭ ତାରିଖ ଦିନ ଘଟିଥିଲା ଓ ସେଥିରେ ଗୁରୁତର ଆହତ ହୋଇ ଚିକିତ୍ସାଧୀନ ହେଉଥିବା ତିନି ଜଣ ଲୋକଙ୍କ ମଧ୍ୟରୁ ଜଣକର (ଆସିକା ରଘୁନାଥ ନଗରର ସତ୍ୟ ନାୟକ) ମୃତ୍ୟୁ ଘଟିଥିଲା । ହେଲେ ଇଞ୍ଜିନିୟର ସୀମାଞ୍ଚଳ ପରିଡ଼ାଙ୍କର ଏ ପର୍ଯ୍ୟନ୍ତ କୌଣସି ଖୋଜ ଖବର ନାହିଁ ।

ବିସ୍ଫୋରଣ ଘଟଣାର ତିନି ଦିନ ପରେ ବି ସୀମାଞ୍ଚଳ ପରିଡ଼ାଙ୍କର ପତ୍ତା ନ ମିଳିବାରୁ ଗଞ୍ଜାମ ଜିଲ୍ଲାରେ ତାଙ୍କ ଗାଁରେ ଆଜି (ଅକ୍ଟୋବର ୧୦) ତାଙ୍କ ‘‘ପ୍ରତୀକ ଶବ ସତ୍କାର’’ କରାଯାଇଛି ।

ଏହି ଶବ ଯାତ୍ରା ଓ ଶବ ସଂସ୍କାରରେ ଶବ ନ ଥିଲା । ଆସିକା ବ୍ଳକ ଓ ବୁଗୁଡା ଥାନା ଅନ୍ତର୍ଗତ ଗହଙ୍ଗୁ ଗାଁରେ ଶୋକାକୁଳ ପରିବେଶ ମଧ୍ୟରେ ଆୟୋଜିତ ହୋଇଥିଲା ଇଞ୍ଜିନିୟର ସୀମାଞ୍ଚଳ ପରିଡ଼ାଙ୍କ ପ୍ରତୀକ ଶବ ଯାତ୍ରା ଓ ଶବ ସଂସ୍କାର ।

କୁଟାରେ (ପାଳ ବା ନଡ଼ାରେ) ଏକ ମାନବ ଶରୀରର ଆକୃତି (କୁଶ ପୁତ୍ତଳିକା) ତିଆରି କରି ତାକୁ କୋକେଇରେ ରଖିଥିଲେ ସୀମାଞ୍ଚଳଙ୍କ ପରିଜନ ଓ ଗ୍ରାମବାସୀମାନେ ।

ସେହି କୁଟା ତିଆରି ପୁତ୍ତଳାକୁ ସୀମାଞ୍ଚଳଙ୍କ ଶବ ବୋଲି ମନେ କରି ତାକୁ କୋକେଇରେ ରଖି କାନ୍ଧରେ ବୋହି ଶ୍ମଶାନକୁ ନେଇଥିଲେ ପରିଜନମାନେ ଓ ସେଠାରେ ବୈଦିକ ରୀତିରେ ତାକୁ ଦାହ କରିଥିଲେ ।

ବିସ୍ଫୋରଣ ସମୟରେ ସୀମାଞ୍ଚଳ ରାଜଭବନ ନିକଟରେ ଥିବା ସେହି ପେଟ୍ରୋଲ ପମ୍ପରେ କାମ କରୁଥିଲେ । ଘଟଣା ସ୍ଥଳରୁ ତାଙ୍କର ଆଇକାର୍ଡ ଓ ପର୍ସ ମିଳିଥିଲା । ପର୍ସରେ ତାଙ୍କ ସ୍ତ୍ରୀ ଓ ପିଲାଙ୍କ ଫଟୋ ଓ ତାଙ୍କ ATM କାର୍ଡ଼ ବି ଥିଲା ।

ସୀମାଞ୍ଚଳ ପରିଡ଼ା LPG ଗ୍ୟାସ୍ ଲାଇନରେ ଦଶ-ବାର ବର୍ଷ ହେବ କାମ କରୁଥିଲେ । ସେ କୋଲକାତା (Kolkata) ଅଫିସରେ ରହି କାମ କରୁଥିଲେ । ତାଙ୍କର ଭୁବନେଶ୍ୱରରେ ପ୍ରୋଜେକ୍ଟ ଥିବାରୁ ସେ ସେଠାକୁ ଆସି କାମ କରୁଥିଲେ ।

ନିଖୋଜ ସୀମାଞ୍ଚଳଙ୍କ ବୃଦ୍ଧ ବାପା ତ୍ରିନାଥ ପରିଡ଼ା ପୁଅ ନିଖୋଜ ହେବା ପର ଠାରୁ ଭାଙ୍ଗି ପଡ଼ିଛନ୍ତି । ଛଅ ଝିଅ ଓ ଗୋଟିଏ ପୁଅର ବାପା ତ୍ରିନାଥ ପରିଜନଙ୍କ କଥା ମାନି ପ୍ରତୀକ ଶେଷ କୃତ୍ୟ ସମ୍ପନ୍ନ କରିବା ପାଇଁ ଅନୁମତି ଦେଇଥିବା କହିଛନ୍ତି ।

‘‘ମୋ’ର ଗୋଟିଏ ବୋଲି ପୁଅ ସେ… ବହୁତ କଷ୍ଟରେ ତାକୁ ବଡ଼ କରିଥିଲି… ଭାବିଥିଲି ଆମକୁ ପୋଷିବ, ସମ୍ଭାଳିବ । ଆମର ପିଣ୍ଡ ଦାନ କରିବ… ହେଲେ ଆଜି ମୁଁ ବୁଝିପାରୁନି କ’ଣ ହେଉଛି,’’ କହିଛନ୍ତି ୭୦ ବର୍ଷୀୟ ବାପା ତ୍ରିନାଥ ପରିଡ଼ା ।

ଯଦିଓ ପ୍ରେମଲତା ନିଜ ସ୍ୱାମୀଙ୍କ ଶବ ବିନା ତାଙ୍କ ଶେଷ କୃତ୍ୟରେ ଭାଗ ନେଇଛନ୍ତି, ସେ କିନ୍ତୁ ମନେ ମନେ ସୀମାଞ୍ଚଳଙ୍କ ଘରକୁ ଫେରିବା ରାସ୍ତାକୁ ଅନେଇ ରହିଛନ୍ତି । ସ୍ୱାମୀଙ୍କ ବିନା କେମିତି ଜୀବନ କାଟିବେ ତାହା ସେ ବୁଝି ପାରୁ ନାହାନ୍ତି ।

ପ୍ରେମଲତା କାନ୍ଦି କାନ୍ଦି କହିଛନ୍ତି: ‘‘ତାଙ୍କ ପତ୍ତା ତ ଏ ପର୍ଯ୍ୟନ୍ତ ମିଳୁନି… ହେଲେ ଲୋକେ ପାଳ ସଂଗ୍ରହ କରି, ତାକୁ ଧୋତି ପିନ୍ଧାଇ ଡିଟ୍ଟୋ ମଣିଷ ଭଳି କରି ଗିନି ମୃଦଙ୍ଗ କରି ଯେମିତି ଏକ ମଣିଷ ମଲେ କରାଯାଏ ସେମିତି କରି ଶ୍ମଶାନକୁ ନିଆଗଲା…’’

‘‘ମୁଁ ତ ପ୍ଲସ୍ ଟୁ ପଢ଼ିଛି । ସରକାର ମୋତେ ଖଣ୍ଡେ ଚାକିରି ଦେଲେ ମୁଁ ସେ ଚାକିରି କରି ପିଲାମାନଙ୍କୁ ଖୁଆଇ ପିଆଇ ବଞ୍ଚାଇ ରଖନ୍ତି…,’’ କାନ୍ଦି କାନ୍ଦି କହିଛନ୍ତି ପ୍ରେମଲତା ।

ପରିଜନମାନଙ୍କ ଆଖିରୁ ଲୁହ ଶୁଖିପାରୁନି । ଏବେ ବି ସେମାନେ ବୁଝିପାରୁ ନାହାନ୍ତି କେଉଁଠି ଅଛନ୍ତି ସୀମାଞ୍ଚଳ – ଏ ପାରିରେ ନା ସେ ପାରିରେ ।