ମୂକ-ବଧିର ଯୁବକଙ୍କ ମୃତ୍ୟୁକୁ ନେଇ ଭଦ୍ରକରେ ଲଙ୍କାକାଣ୍ଡ; ପୋଲିସକୁ ଗୋଡ଼ାଇ ଗୋଡ଼ାଇ ପିଟିଲେ ଲୋକେ
ଭଦ୍ରକ ଜିଲ୍ଲାର ତିହିଡ଼ି ଅଞ୍ଚଳରେ ଜଣେ ମୂକ-ବଧିର ଯୁବକଙ୍କ ମୃତ୍ୟୁ ପାଇଁ ପୋଲିସକୁ ଦାୟୀ କରି ସ୍ଥାନୀୟ ଲୋକେ ଏକ ପୋଲିସ ଟିମ୍ ଉପରେ ଆକ୍ରମଣ କରିଛନ୍ତି । ଏକ ପୋଲିସ ଜିପରେ ବି ନିଆଁ ଲଗାଇ ଜାଳିଦେଇଛନ୍ତି ଉତ୍ତ୍ୟକ୍ତ ଲୋକେ ।

ଜଣେ ମୂକ-ବଧିର ଯୁବକଙ୍କ ମୃତ୍ୟୁ ପାଇଁ ପୋଲିସକୁ ଦାୟୀ କରି ଉଗ୍ର ହୋଇ ଉଠିଥିଲେ ସ୍ଥାନୀୟ ଲୋକେ । ପୋଲିସ ଉପରେ ସେମାନେ ସଙ୍ଘବଦ୍ଧ ଆକ୍ରମଣ କରିଥିଲେ । ଗାଡ଼ିରୁ ଓହ୍ଲାଉଥିବା ବେଳେ ଜଣେ ପୋଲିସ କର୍ମଚାରୀଙ୍କୁ ଘେରି ଯାଇ ଆକ୍ରମଣ କରିଥିଲେ ।

ଉତ୍ତ୍ୟକ୍ତ ଲୋକଙ୍କ ଆକ୍ରୋଶରୁ ବର୍ତ୍ତିବା ପାଇଁ ଦୌଡ଼ି ପଳାଉଥିବା ଜଣେ ପୋଲିସ କର୍ମଚାରୀଙ୍କୁ ବି ପିଟିଥିଲେ ଲୋକେ ।

ଲୋକଙ୍କ ରାଗ ଚରମ ସୀମାରେ ପହଞ୍ଚିଥିଲା ଓ ସେମାନେ ପୋଲିସ ଜିପରେ ନିଆଁ ଲଗାଇ ଜାଳି ଦେଇଥିଲେ । ହୁତୁ ହୁତୁ ହୋଇ ଜଳି ଯାଇଥିଲା ପୋଲିସ ଗାଡ଼ି ।

ମୃତ ଯୁବକ ବାପି ମହାଳିକଙ୍କ ଘର ନୟାନନ୍ଦ ପଞ୍ଚାୟତ ହାତୁଆରି ଗାଁରେ । ଏକ ମାମଲାରେ ବୁଧବାର ସକାଳେ ବାପିଙ୍କ ଘରକୁ ଯାଇଥିଲା ତିହିଡ଼ି ପୋଲିସ । ତାଙ୍କୁ ଧରିବା ପାଇଁ ଯିବା ବେଳେ ସେ ଦୌଡ଼ି ପଳାଇଥିଲେ । ପୋଲିସ ପିଛା କରିବାରୁ ଅସାବଧାନ ହୋଇ ସେ ଏକ ପୋଖରୀ ଭିତରେ ଖସି ପଡ଼ିଥିଲେ ଓ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା ।

ଏହା ପରେ ତାତିଥିଲେ ଗାଁ ଲୋକେ । ବାପିଙ୍କ ମୃତ ଦେହ ରଖି ଭଦ୍ରକ-ଚାନ୍ଦବାଲି ରାସ୍ତାର ଅଲ୍ଲୀନଗରଠାରେ ରାସ୍ତାରୋକ କରିଥିଲେ ।

ସ୍ଥିତି ଉତ୍ତେଜନାପୂର୍ଣ୍ଣ ହେବାରୁ ପହଞ୍ଚିଥିଲା ପିରହାଟ ଥାନା ପୋଲିସର ଏକ ଟିମ୍ । ଧାରଣା ସ୍ଥଳରେ ପୋଲିସ ପହଞ୍ଚିବା ବେଳେ ଲୋକେ ପୋଲିସ ଟିମ୍ ଉପରେ ଆକ୍ରମଣ କରିଥିଲେ ଓ ପିରହାଟ ଥାନାର ଜିପରେ ନିଆଁ ଲଗାଇ ଜାଳି ଦେଇଥିଲେ ।