ବଲାଙ୍ଗିର ସହର ଏକ ଅଭାବନୀୟ ଘଟଣାର ସାକ୍ଷୀ ହେଲା । ବଲାଙ୍ଗିର ସହରର ଶାନ୍ତିପଡ଼ାରେ ଥିବା ଏହି ଘର ଭିତରକୁ ଅଚାନକ ବନ୍ଧୁକଟିଏ ଧରି ଏକ ଯୁବକ ପଶିଥିଲା । ଅବସରପ୍ରାପ୍ତ ଶିକ୍ଷକ ମଦନ ମୋହନ ହୋତା, ତାଙ୍କ ସ୍ତ୍ରୀ ଓ ନାବାଳକ ପୁଅକୁ ବନ୍ଧୁକ ମୁନରେ ଭୟଭୀତ କରି ବନ୍ଧକ ରଖିଥିଲା ସେହି ଯୁବକ । ପୋଲିସକୁ ସେହି ପରିବାରକୁ ନିରାପଦ ରଖି ଉଦ୍ଧାର କରିବା ଓ ଆତତାୟୀ ଯୁବକକୁ କାବୁ କରିବା ପାଇଁ ନାକେଦମ୍ ହେବାକୁ ପଡ଼ିଥିଲା । ପାଞ୍ଚ ଘଣ୍ଟାର ଯୋଜନାବଦ୍ଧ ଓ ଅତି ସମ୍ବେଦନଶୀଳ ଅପରେସନ୍ ପରେ ପୋଲିସ ସଫଳ ହୋଇଥିଲା ।ଏହି ଘଟଣା ଜୁନ୍ ୧୫ ତାରିଖରେ ଘଟିଥିଲା । ସେହି ଘର ଭିତରେ ପିସ୍ତଲ ଧରି ପଶିଥିବା ଯୁବକ ପରିବାରକୁ ଧମକ ଦେଇ ହାୱାରେ ଦୁଇ ରାଉଣ୍ଡ୍ ଗୁଳି ବି ଚଳାଇଥିଲା । ପୋଲିସ ସେହି ବିଲଡିଂ ବାହାରେ ଅପରେସନ୍ ପାଇଁ ପ୍ରସ୍ତୁତି ଆରମ୍ଭ କଲା ବେଳକୁ ସ୍ଥାନୀୟ ଲୋକଙ୍କ ପ୍ରବଳ ଭିଡ଼ ଜମିଥିଲା ସେଠି । ସୁରକ୍ଷିତ ଭାବେ ବନ୍ଧକରେ ଥିବା ପରିବାରର ତିନି ଜଣଙ୍କୁ ଉଦ୍ଧାର କରିବା ପାଇଁ ସେହି ବିଲଡିଂର ସଂରଚନା ଦେଖିବା ପରେ ଯୋଜନା କରିଥିଲେ ପୋଲିସ ଅଧିକାରୀମାନେ । ବିଲଡିଂର ବାହାର ପଟୁ ଉପରକୁ ଚଢ଼ି ଝରକା ବାଟେ ଦ୍ୱିତୀୟ ମହଲାକୁ ପଶିଥିଲା ପୋଲିସ । ସେଇଠି ଏହି ଯୁବକ ପରିବାରକୁ ବନ୍ଧକ ରଖିଥିଲା । ପୋଲିସ ଇତି ମଧ୍ୟରେ ଆମ୍ବୁଲାନ୍ସ ଓ ଅଗ୍ନିଶମ ବାହିନୀକୁ ଆଣି ସେହି ବିଲଡିଂ ବାହାରେ ରଖି ସାରିଥିଲା । ପୋଲିସ ଯେକୌଣସି ଅଘଟଣ ପାଇଁ ପ୍ରସ୍ତୁତ ହୋଇ ରହିଥିଲା । ଜଣେ ପରେ ଜଣେ ପୋଲିସ କର୍ମୀ ଉପର ଝରକା ଦେଇ ଦ୍ୱିତୀୟ ମହଲାର ସେହି ଘର ଭିତରକୁ ପଶିଥିଲେ । ତା’ ପରେ କେତେକ ଅଗ୍ନିଶମ ବିଭାଗର କର୍ମୀ ବି ଘର ଭିତରକୁ ପଶିଥିଲେ । ପ୍ରଥମେ ମଦନ ମୋହନ ହୋତାଙ୍କ ନାବାଳକ ପୁଅକୁ ଏକ ଦଉଡ଼ି ଦ୍ୱାରା ସେହି ଝରକା ଦେଇ ବାହାରକୁ କଢ଼ାଯାଇ ତଳକୁ ଅଣାଯାଇଥିଲା । ତା’ ପରେ ମଦନ ମୋହନ ହୋତାଙ୍କ ସ୍ତ୍ରୀଙ୍କୁ ସେହି ଉପାୟରେ ବାହାରକୁ ଅଣାଯାଇଥିଲା । ସେତେବେଳକୁ ପୋଲିସ ଅଧିକାରୀମାନେ ସେହି ଆତତାୟୀ ୟୁବକ ସହ କଥାବାର୍ତ୍ତା ଆରମ୍ଭ କରିଦେଇଥିଲେ । ତା’ପରେ ମଦନ ମୋହନ ହୋତାଙ୍କୁ ଦଉଡ଼ି ମାଧ୍ୟମରେ ଝରକା ଦେଇ ବାହାରକୁ କାଢ଼ି ତଳକୁ ଅଣାଯାଇଥିଲା । ତଳେ ବଲାଙ୍ଗିର ଏସ୍.ପି. କୁଶଲକର ନିତିନ ଦାଗୁଡୁ ପୂରା ଅପରେସନର ନେତୃତ୍ୱ ନେଇଥିଲେ । ଭିତରେ ଆତତୀୟୀ ଯୁବକ ସହ କଥାବାର୍ତ୍ତା ବେଳେ ଡି.ଏସ୍.ପି. ତୋଫାନ ବାଗ୍ ସେହି ନିରିହ ପରିବାରକୁ ଛାଡ଼ିଦେବା ପାଇଁ ତାକୁ ବହୁତ ବୁଝାଇଥିଲେ । ଯୁବକର ଦୁଇ ଜଣ ବନ୍ଧୁଙ୍କ ସହ ଫୋନରେ କଥା କରାଇ ବି ତାକୁ ସେମାନଙ୍କ ଦ୍ୱାରା ବୁଝାଇଥିଲେ । ହେଲେ କିଛି କାମ କରି ନ ଥିଲା । ବନ୍ଧକ ଥିବା ପରିବାର ବାହାରକୁ ସୁରକ୍ଷିତ ଆସିଯିବା ପରେ ଡି.ଏସ୍.ପି. ତୋଫାନ ବାଗ୍ ଓ ତାଙ୍କ ସହକର୍ମୀମାନେ ଆତତାୟୀ ଯୁବକକୁ କାବୁ କରିଥିଲେ । ତାକୁ ଗିରଫ କରିଥିଲା ପୋଲିସ । ଆତତାୟୀ ଯୁବକର ନାମ ବିକ୍ରମ ପଣ୍ଡା ବୋଲି ଜଣାପଡ଼ିଛି । ସେ ବଲାଙ୍ଗିର ତଳପରଲିର ବାସିନ୍ଦା । ସେ ମଦନ ମୋହନ ହୋତାଙ୍କ ଭାଣିଜୀକୁ ଏକ ତରଫା ପ୍ରେମ କରୁଥିବା ଜଣା ପଡ଼ିଛି । ଭାଣିଜୀ ବାହାରେ ରହେ ଓ ଚାକିରି କରେ । ଭାଣିଜୀର ବିବାହ ପାଇଁ ନିର୍ବନ୍ଧ ହୋଇଥିବା ଜାଣି ବିକ୍ରମ ପଣ୍ଡା ଏମିତି କାଣ୍ଡ ଘଟାଇଥିଲା ବୋଲି କହିଛନ୍ତି ମଦନ ମୋହନ ହୋତା । ଅଭିଯୁକ୍ତ ବିକ୍ରମ ପଣ୍ଡା ସେହି ବିଲଡିଂରେ ଦୋକାନ କରିଥିବା ବେଳେ ସେଠାରେ ରହୁଥିବା ହୋତାଙ୍କ ଭାଣିଜୀକୁ ପ୍ରେମ କରିବସିଥିଲା ।