କରୋନାର ପ୍ରକୋପ କାରଣରୁ ଏକ ନିଆରା ବାହାଘର ଅନୁଷ୍ଠିତ ହୋଇଯାଇଛି । ଅନ୍ଲାଇନରେ ସମ୍ପନ୍ନ ହୋଇଥିବା ଏହି ବିବାହ ସମାରୋହରେ ମୁମ୍ବାଇର ଯୁବକ ବାହା ହୋଇଛନ୍ତି ବଲାଙ୍ଗିରର ଯୁବତୀଙ୍କୁ । ଦୁହେଁ ରହୁଛନ୍ତି ଆମେରିକାରେ । ଆମେରିକାରେ ରହି ଚାକିରି କରିବା ପରେ ପରସ୍ପରକୁ ପ୍ରେମ କରିବସିଥିଲେ ବଲାଙ୍ଗିର ଟିକ୍ରାପଡ଼ାର କୋମଲ ନନ୍ଦ ଓ ମୁମ୍ବାଇର ଅକ୍ଷୟ ଅରୋଡ଼ା । ହେଲେ କରୋନା ସଂକ୍ରମଣ କାଣରୁ ସେମାନଙ୍କ ବିବାହ ହୋଇପାରୁ ନ ଥିଲା । ଭିସା ମିଳିବାରେ ଅସୁବିଧା ଯୋଗୁଁ ଦୁହେଁ ଘରକୁ ଆସି ପାରୁ ନ ଥିଲେ । ତେଣୁ ଭାରତରେ ଥିବା ଉଭୟଙ୍କ ପରିବାର ମିଶି ଅନଲାଇନ୍ ବାହାଘରର ନିଷ୍ପତ୍ତି ନେଇଥିଲେ । କୋମଲ ନନ୍ଦ ଓ ଅକ୍ଷୟ ଅରୋଡ଼ାଙ୍କ ଲଗ୍ନ ଧାର୍ଯ୍ୟ ହୋଇଥିଲା ନଭେମ୍ବର ୨୮ ତାରିଖ ଦିନ । ସେତେବେଳେ ଆମେରିକାର ଡଲାସ୍ ସହରର ଦିନ ଗୋଟାଏ ଓ ବଲାଙ୍ଗିରରେ ରାତି ଗୋଟାଏ ବାଜିଥିଲା । ଏହି ଅନଲାଇନ ବାହାଘରରେ ବର-କନ୍ୟା ଆମେରିକାରେ ଥିବା ବେଳେ ମୁମ୍ବାଇ ଓ ବଲାଙ୍ଗିରରୁ ଯୋଡ଼ି ହୋଇଥିଲେ ସେମାନଙ୍କ ପରିବାର ଲୋକେ । ବଲାଙ୍ଗିରରେ କନ୍ୟା କୋମଲ ନନ୍ଦଙ୍କ ଘରେ ମନ୍ତ୍ର ପାଠ ଚାଲିଥିବା ବେଳେ ଆମେରିକାରେ ଅଗ୍ନିକୁ ସାକ୍ଷୀ ରଖି ସାତ ଫେରା ନେଇଥିଲେ ଦୁହେଁ । ଆମେରିକାରେ ବିବାହ ପୂର୍ବରୁ କୋମଲ୍ ଓ ଅକ୍ଷୟଙ୍କ ବନ୍ଧୁମାନେ ହଲଦୀ ଓ ସଙ୍ଗୀତ ସେରିମନି ଆୟୋଜନ କରିଥିଲେ । ହଲଦୀ ଓ ସଙ୍ଗୀତ ସେରିମନିରେ ଗୋଟିଏ ପରେ ଗୋଟିଏ ହିଟ୍ ଗୀତ ବାଜିଥିଲା ଓ ନାଚିଥିଲେ ସେମାନଙ୍କ ସାଙ୍ଗସାଥୀମାନେ । ଦୂରରୁ ନବ ଦମ୍ପତ୍ତିଙ୍କୁ ଆଶୀର୍ବାଦ ଦେବା ସହ ଦାମ୍ପତ୍ୟ ଜୀବନ ସୁଖମୟ ହେଉ ବୋଲି କାମନା କରିଥିଲେ ଉଭୟଙ୍କ ପରିବାର ଲୋକେ । କନ୍ୟା କୋମଲ ନନ୍ଦଙ୍କ ପରିବାର ଲୋକେ ନିଜ ବନ୍ଧୁ ବାନ୍ଧବଙ୍କୁ ବଲାଙ୍ଗିରର ଏକ ହୋଟେଲରେ ଭୋଜି ଆୟୋଜନ କରି ଆପ୍ୟାୟିତ କରିଥିଲେ । ଉଭୟ ବର ଓ କନ୍ୟା ସୁଦୂର ଆମେରିକାରେ ରହିଥିଲେ ମଧ୍ୟ ପରମ୍ପରା ଅନୁଯାୟୀ ହୋଇଥିଲା ଏହି ଅନଲାଇନ୍ ବିବାହ । ପ୍ରଥମ ଥରି ଏଭଳି ଅନଲାଇନ୍ ବିବାହ କରି ଏକ ନିଆରା ଅନୁଭୂତି ସାଉଁଟିଛନ୍ତି ବୋଲି କହିଛନ୍ତି ବଲାଙ୍ଗିରର ପୂଜକ ଆଦିତ୍ୟ କୁମାର ତ୍ରିପାଠୀ । ନିଜ ଝିଅର କନ୍ୟାଦାନ ଅନଲାଇନରେ କରି ନିଜ ଦାୟିତ୍ବ ସାରିଥିଲେ ହେଁ ନିଜ ଗାଁ ମାଟିରେ ଝିଅ ଜ୍ବାଇଁଙ୍କୁ ଦେଖି ନ ପାରିବାର ଅବଶୋଷ ରହିଗଲା ବୋଲି କହିଛନ୍ତି କୋମଲ ନନ୍ଦଙ୍କ ବାପା-ମାଆ ବଲାଙ୍ଗିର ନିବାସୀ ବିବେକାନନ୍ଦ ନନ୍ଦ ଓ ପ୍ରଣୀତା ନନ୍ଦ । କୋମଲଙ୍କ ଭାଇ ଆକାଶ ନନ୍ଦ କହିଛନ୍ତି ଯେ ଟେକ୍ନୋଲୋଜି ଯୋଗୁଁ ଏ ସବୁ ସମ୍ଭବ ହୋଇପାରିଛି । ପ୍ରେମରେ ପଡ଼ି ବିବାହ କରିବାକୁ ଅପେକ୍ଷା କରି ରହିଥିବା ଏହି ଯୋଡ଼ିଙ୍କ ପାଇଁ କରୋନା ସଂକ୍ରମଣ ଅନେକ ଦିନ ଧରି ବାଧା ସାଜିଥିଲା । ଶେଷରେ ଘରଠୁ ଦୂରରେ ଥାଇବି ସେମାନେ ଅନଲାଇନରେ ବିବାହ କଲେ, ମାତ୍ର ପୂରା ବୈଦିକ ରୀତିନୀତି ସହିତ ।