ଆଜି ଆକାଶ ପାଠକଙ୍କ ବାହାଘର ହେଉଥାନ୍ତା; ଏବେ ତାଙ୍କୁ ଜେଲରୁ ନେଇ କ୍ରାଇମ୍ ବ୍ରାଞ୍ଚ୍ ଜେରା କରୁଛି
କୋଟି କୋଟି ଟଙ୍କାର ଠକେଇ ଓ ଆୟ-ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଜେଲରେ ଥିବା ଆକାଶ ପାଠକଙ୍କ ବିବାହ ବିଜେଡି MLA ପ୍ରଦୀପ ପାଣିଗ୍ରାହୀଙ୍କ ଝିଅ ଶ୍ରୁତି ପାଣିଗ୍ରାହୀଙ୍କ ସହ ଡିସେମ୍ବର ୧୧ରେ ରାଜସ୍ଥାନର ଏକ ବଡ଼ ହୋଟେଲରେ ହେବା ପାଇଁ ଦିନ ଧାର୍ଯ୍ୟ ହୋଇଥିଲା ।

ଆଜି (ଡିସେମ୍ବର ୧୧ରେ) IFS ଅଫିସର୍ ଅଭୟକାନ୍ତ ପାଠକଙ୍କ ପୁଅ ଆକାଶ ପାଠକ ଓ ବିଜେଡି MLA ପ୍ରଦୀପ ପାଣିଗ୍ରାହୀଙ୍କ ଝିଅ ଶ୍ରୁତି ପାଣିଗ୍ରାହୀ ସାତ ଜନ୍ମ ପାଇଁ ପରସ୍ପରର ହୋଇଥା’ନ୍ତେ । ରାଜସ୍ଥାନର ଏକ ବଡ଼ ହୋଟେଲରେ ସେମାନଙ୍କ ବିବାହ ହେଉଥା’ନ୍ତା । ହେଲେ ତାଙ୍କୁ ଜେଲରୁ ରିମାଣ୍ଡରେ ଆଣି ପୁଣି ଥରେ ଜେରା ଆରମ୍ଭ କରିଛି କ୍ରାଇମ୍ ବ୍ରାଞ୍ଚ ।

ଆକାଶ ପାଠକଙ୍କୁ ଟାଟା ମୋଟର୍ସରେ ଚାକିରି ଦେବା ନାମରେ ଅନେକ ଯୁବକଙ୍କ ଠାରୁ ଲକ୍ଷ ଲକ୍ଷ ଟଙ୍କା ଠକି ନେଇଥିବା ଅଭିଯୋଗ ବିଷୟରେ ଜେରା ପାଇଁ ପାଞ୍ଚ-ଦିନିଆ ରିମାଣ୍ଡରେ ନେଇଛି ପୋଲିସ ।

କମିସନରେଟ ପୋଲିସ IFS ଅଧିକାରୀ ଅଭୟକାନ୍ତ ପାଠକ ଓ ତାଙ୍କ ପୁଅ ଆକାଶ ପାଠକଙ୍କୁ ଝାରପଡ଼ା ଜେଲରୁ ଆଣି ଭୁବନେଶ୍ବର SDJM କୋର୍ଟରେ ହାଜର କରିଥିଲା । ଭିଜିଲାନ୍ସ ମାମଲାରେ ଗିରଫ ହୋଇ ଝାରପଡ଼ା ଜେଲ୍ ଯାଇଥିଲେ ଉଭୟେ ।

ଆକାଶ ଓ ଅଭୟକାନ୍ତଙ୍କ ବିରୋଧରେ ଏକ ନୂଆ ମାମଲା ରୁଜୁ ହୋଇଥିବା ନେଇ କୋର୍ଟକୁ ଅବଗତ କରାଇଥିଲା ଖାରବେଳ ନଗର ଥାନା ପୋଲିସ ।

କୋର୍ଟ ପରିସରରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଆକାଶ ପାଠକ କହିଛନ୍ତି, ‘‘ମୋ’ ପାଖରେ ସବୁ ପ୍ରମାଣ ଅଛି । ମୁଁ କାହାକୁ ଠକି ନାହିଁ ।’’