ମହାନଦୀରେ ଗାଧୋଇବା ବେଳେ ଏକ ବଡ଼ ଅଘଟଣ ଘଟିଛି । ସମ୍ବଲପୁର ଦଳେଇପଡ଼ା ଘାଟରେ ଗୋଟିଏ ପରିବାରର ତିନି ଜଣ ଲୋକ ଭାସିଯାଇଛନ୍ତି । ଏହି ଘଟଣା ପରେ ଭାସିଯାଇଥିବା ଲୋକଙ୍କ ପରିବାର ଓ ପରିଜନ ଶୋକାତୁର ହୋଇପଡ଼ିଛନ୍ତି । ସୂଚନା ମୁତାବକ ସମ୍ବଲପୁର ପେନସନପଡ଼ା ଅଞ୍ଚଳରେ ରହୁଥିବା ଏକ ପରିବାରର ବାପା, ପୁଅ ଓ ଝିଅ ମହାନଦୀକୁ ଗାଧୋଇବାକୁ ଯାଇଥିଲେ । ଗାଧୋଇବା ବେଳେ ନଦୀର ପ୍ରଖର ସୁଅରେ ତିନି ଜଣ ଯାକ ଭାସିଯାଇଥିଲେ । ଖବର ପାଇ ଅଗ୍ନିଶମ ବାହିନୀ ପକ୍ଷରୁ ନଦୀରେ ଖୋଜାଖୋଜି କରାଯାଇଥିଲା । ବାପା ଓ ପୁଅକୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଛି, ହେଲେ ଏ ଯାଏଁ ଝିଅଟିର ପତ୍ତା ମିଳୁନି । ଖୋଜାଖୋଜି ଜାରି ରହିଛି । ଭାସିଯାଇଥିବା ତିନି ଜଣଙ୍କ ମଧ୍ୟରୁ ପ୍ରଥମେ ପୁଅକୁ ଉଦ୍ଧାର କରାଯାଇ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତା’ ପରେ ବାପାଙ୍କୁ ବି ଉଦ୍ଧାର କରାଯାଇ ଡାକ୍ତରଖାନା ନିଆଯାଇଥିଲା । ଝିଅଟିର ସନ୍ଧାନ ମିଳିନାହିଁ । ଅକ୍ଟୋବର ୪, ୨୦୨୧, ସୋମବାର ଅପରାହ୍ଣରେ ଘଟିଥିଲା ଏହି ଘଟଣା ।