କଟକ: ନିଶାସକ୍ତ ଅବସ୍ଥାରେ ଦ୍ରୁତ ଗତିରେ କାର୍ ଚଳାଇ କେନାଲ୍ ଭିତରେ ପଶିଲେ; ୩ ମୃତ
ତିନି ବନ୍ଧୁ ଏକ ଦାମୀ ଜାଗୁଆର୍ କାରରେ ବିଳମ୍ବିତ ରାତିରେ କଟକରୁ ଭୁବନେଶ୍ୱର ଯାଉଥିବା ବେଳେ ଘଟିଥିଲା ଏହି ମର୍ମନ୍ତୁଦ ଦୁର୍ଘଟଣା । ପ୍ରାଣ ହରେଇଥିବା ୩ ଜଣଙ୍କ ମଧ୍ୟରେ ଅଛନ୍ତି ପୂର୍ବତନ ସାଂସଦ ଅମର ପ୍ରଧାନଙ୍କ ପୁଅ ଅଙ୍କୁର ପ୍ରଧାନ ।

ଗୋଟିଏ ସଡ଼କ ଦୁର୍ଘଟଣା ନେଇଗଲା ତିନି ବନ୍ଧୁଙ୍କ ଜୀବନ । ବିଳମ୍ବିତ ରାତିରେ କଟକ ଦେଇ ଯାଇଥିବା ୧୬ ନମ୍ବର ଜାତୀୟ ରାଜପଥରେ ଘଟିଛି ଏହି ଦୁର୍ଘଟଣା । ମୃତ୍ୟୁବରଣ କରିଥିବା ଯୁବକଙ୍କ ମଧରେ ପୂର୍ବତନ ସାଂସଦ ଅମର ପ୍ରଧାନଙ୍କ ପୁଅ ଅଙ୍କୁର ପ୍ରଧାନ ଓ ତାଙ୍କର ଦୁଇ ଜଣ ବନ୍ଧୁ ଥିଲେ ।

ଦୁର୍ଘଟଣା ସମୟର ସିସିଟିଭି ଭିଜୁଆଲ ଅନୁସାରେ ରାତି ୨ଟା ୧୫ ମିନିଟ ସମୟରେ କାରଟି ଦ୍ରୁତ ଗତିରେ ଆସି ତେଲାଙ୍ଗାପେଣ୍ଠ ନିକଟରେ ଏକ କେନାଲ ଭିତରକୁ ପଶି ଯାଇଥିଲା ।

ଗୋଟିଏ ମୋଡ଼ (ଟର୍ଣ୍ଣିଂ) ଅତିକ୍ରମ କରିବା ବେଳେ କାରର ବେଗ କଣ୍ଟ୍ରୋଲ୍ କରି ନ ପାରି କେନାଲ୍ ଭିତରକୁ ପଶିଯାଇଥିଲେ ତିନି ବନ୍ଧୁ ।

କାରର ବେଗ ଏତେ ଅଧିକ ଥିଲା ଯେ କେନାଲ୍ କୂଳରେ ଥିବା କେତୋଟି ବଡ଼ ଗଛ ସହ ବାଡ଼େଇବା ପରେ କାରଟି କେନାଲ୍ ପାଣି ଭିତରକୁ ପଶିଯାଇଥିଲା ।

ତିନି ବନ୍ଧୁ ନିଶାଶକ୍ତ ଅବସ୍ଥାରେ ଓ ଦ୍ରୁତ ଗତିରେ କାର ଚଳାଉଥିବାରୁ ଏହି ଦୁର୍ଘଟଣା ଘଟିଥିଲା ବୋଲି ପୋଲିସର ପ୍ରାଥମିକ ଅନୁସନ୍ଧାନରୁ ଜଣା ପଡ଼ିଛି ।

ଦୁର୍ଘଟଣାର ଖବର ପାଇ ସଦର ଥାନା ପୋଲିସ ସ୍ଥାନୀୟ ବାସିନ୍ଦାଙ୍କ ସହାୟତାରେ କାରଟିକୁ କେନାଲରୁ ବାହାର କରି ତିନି ଜଣ ଗୁରୁତର ଆହତ ଯୁବକଙ୍କୁ ଏସସିବି ହସପିଟାଲ୍ ପଠାଇଥିଲେ । ସେଠାରେ ଡାକ୍ତର ତିନି ଜଣ ଯାକଙ୍କୁ ମୃତ ଘୋଷଣା କରିଥିଲେ ।

ଅଙ୍କୁର ପ୍ରଧାନଙ୍କ ଘର ସମ୍ବଲପୁରରେ । ସେ ପୂର୍ବତନ ସାଂସଦ ଅମର ପ୍ରଧାନଙ୍କ ପୁଅ । ଆସନ୍ତା ଡିସେମ୍ବର ମାସରେ ଅଙ୍କୁରଙ୍କ ବାହାଘର ହେବାର ଥିଲା । ମାତ୍ର ୧୩ ଦିନ ତଳେ ଗୌତମ ନିଜ ବାପାଙ୍କୁ ହରାଇଥିଲେ ।

ମୃତ୍ୟୁ ବରଣ କରିଥିବା ଗୌତମ ଦାସଙ୍କ ଘର କଟକ ଗୋପାଳପୁରରେ । ରାତିରେ ଗୌତମ ନିଜ ଘରେ ଥିବା ବେଳେ ତାଙ୍କୁ ନେବା ପାଇଁ ଏହି ଜାଗୁଆର କାରରେ ଗୋପାଳପୁରରେ ପହଞ୍ଚିଥଲେ ଅଙ୍କୁର ଓ ପ୍ରଣିତ । ବାପାଙ୍କର ୧୩ ଥିବାରୁ ଘର ଲୋକ ଗୌତମଙ୍କୁ ଯିବା ପାଇଁ ମନା କରିଥିଲେ ମଧ୍ୟ ସେ ଅଙ୍କୁର ଓ ଅନ୍ୟ ଏକ ବନ୍ଧୁ ପ୍ରଣିତ ମଧୁପତିଙ୍କ ସହିତ କାରରେ ବସି ଚାଲି ଯାଇଥିଲେ । ପ୍ରଣିତ ମଧୁପତିଙ୍କ ଘର ଆନ୍ଧ୍ର ପ୍ରଦେଶର ଗୋଦାବରୀ ଜିଲ୍ଲାରେ । ତାଙ୍କ ଫଟୋ ମିଳି ପାରିନି ।