ଦ୍ରୁତ ଗତିରେ ଗାଡ଼ି ଚାଳନା ଯୋଗୁଁ ତିନି ତିନି ଜଣ ଲୋକଙ୍କ ପ୍ରାଣ ଚାଲିଯାଇଛି ବାଲେଶ୍ୱରରେ । ମୃତକମାନେ କାର୍ ଭିତରେ ଥିଲେ । ଏହି ଦୁର୍ଘଟଣାରେ ଜଣେ ଆହତ ହୋଇଛନ୍ତି । ଏହି ଦୁର୍ଘଟଣା ବାଲେଶ୍ବରର ୧୬ ନମ୍ବର ଜାତୀୟ ରାଜପଥର ବିର୍ଲା ଟାୟାରସ୍ ନିକଟରେ ଶନିବାର ଦିନ ଘଟିଛି । ନୀଳ ରଙ୍ଗର ଏହି ମାରୁତି ସୁଜୁକି ସ୍ୱିଫ୍ଟ ଡିଜାୟର୍ କାର୍ (ରେଜିଷ୍ଟ୍ରେସନ୍ ନମ୍ବର OD ୧୧M ୩୮୨୦) ଦ୍ରୁତ ଗତିରେ ଆସି ଗୋଟିଏ ପୋଲ ତଳକୁ ଖସି ପଡ଼ିଥିଲା । ମୃତକମାନେ ଏହି କାରରେ ବାରିପଦାରୁ ଭୁବନେଶ୍ୱର ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା । ଶନିବାର ଦିନ ଲକଡାଉନ୍ ସାଙ୍ଗକୁ ଶଟଡାଉନ୍ ଥିବାରୁ ରାସ୍ତା ଖାଲି ଥିଲା । ସେଇଥି ପାଇଁ କାର୍ ଚାଳକ ଅତି ଦ୍ରୁତ ଗତିରେ କାର୍ ଚଳାଉଥିଲେ ବୋଲି କହିଛନ୍ତି ସ୍ଥାନୀୟ ଲୋକେ । ମୃତକମାନେ ମୟୂରଭଞ୍ଜ ଜିଲ୍ଲାର ବାସିନ୍ଦା ବୋଲି ଜଣା ପଡ଼ିଛି । ସେମାନେ ହେଉଛନ୍ତି ଖୁଣ୍ଟା ଥାନାର ଚିଲିମା ଗ୍ରାମର ବୁଣାକର ଆଚାର୍ଯ୍ୟଙ୍କ ପୁଅ ପିଣ୍ଟୁ ଆଚାର୍ଯ୍ୟ, ବାରିପଦା ଟାଉନ୍ ଥାନା ଅନ୍ତର୍ଗତ ତକତପୁର ଅଞ୍ଚଳର ରବୀନ୍ଦ୍ର ସାହୁ ଓ ସନ୍ତୋଷ ପଣ୍ଡା। ଆହତ ଯୁବକ ବାରିପଦା ତକତପୁର ଅଞ୍ଚଳର ବାପୁନ ମହାନ୍ତି । ସେ ବାଲେଶ୍ୱରର ଏକ ହସପିଟାଲରେ ଏବେ ଚିକିତ୍ସିତ ହେଉଛନ୍ତି । ପୋଲିସ ଏହି ଦୁର୍ଘଟଣାର କାରଣ ସମ୍ପର୍କରେ ଜାଣିବାକୁ ତଦନ୍ତ କରୁଛି ।