ଦୁଇ ଜଣ ଚାଳକ ଆହତ ହୋଇଥିବା ଏମିତି ଦୁର୍ଘଟଣା କମ୍ ଦେଖିବାକୁ ମିଳିଛି । ମୟୁରଭଞ୍ଜ ଜିଲ୍ଲା ଦେଇ ଯାଇଥିବା ୪୯ ନମ୍ବର ଜାତୀୟ ରାଜପଥରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଦୁଇଟି ଟ୍ରକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି । ବିଶୋଇ ଥାନା ଅଧୀନ ବାଉତିବେଡ଼ା ପଞ୍ଚାୟତର ମହୁଭଣ୍ଡାର ହାଟ ଛକ ନିକଟରେ ଏହି ଦୁର୍ଘଟଣା ଘଟିଛି । ଯଶିପୁର ପଟୁ କଲିକତା ଅଭିମୁଖେ ଯାଉଥିବା ଏକ ଲୁହାପଥର ବୋଝେଇ ଟ୍ରକ୍ ସହିତ ବିପରୀତ ଦିଗରୁ ଆସୁଥିବା ଏକ ଟ୍ରକ ସହ ଧକ୍କା ହୋଇଥିଲା । ଫଳରେ ଉଭୟ ଟ୍ରକ୍ କ୍ଷତିଗ୍ରସ୍ତ ହୋଇଥିଲେ । ଉଭୟ ଟ୍ରକର ଡ୍ରାଇଭର୍ ଷ୍ଟିଓରିଂ ଓ ସିଟ୍ ମଧ୍ୟରେ ଚାପି ହୋଇଯାଇଥିଲେ ଓ ଗୁରୁତର ଆହତ ହୋଇଥିଲେ । ଖବର ପାଇ ବିଶୋଇ ପୋଲିସ ଓ ଅଗ୍ନିସେବା ବିଭାଗ ଘଟଣା ସ୍ଥଳରେ ପହଞ୍ଚିଥିଲେ । ଲୁହାପଥର ବୋଝେଇ ଟ୍ରକ୍ ଚାଳକ ଅଙ୍କିତ ସିଂଙ୍କ ଘର ବିହାର । ତାଙ୍କୁ ଉଦ୍ଧାର କରି ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟକୁ ପଠାଇ ଦିଆଯାଇଛି । ଅଙ୍କିତ ସିଂଙ୍କ ଅବସ୍ଥା ଗୁରୁତର ଥିବା କୁହାଯାଉଛି । ଅନ୍ୟ ଟ୍ରକର ଚାଳକଙ୍କୁ ଉଦ୍ଧାର କରିବାକୁ ପାଖାପାଖି ଦୁଇ ଘଣ୍ଟା ଲାଗିଥିଲା । ତାଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି । ତାଙ୍କୁ ବି ଚିକିତ୍ସା ପାଇଁ ହସପିଟାଲକୁ ପଠାଯାଇଛି । ବିଶୋଇ ଥାନାରେ ଏ ନେଇ ଏକ ମାମଲା ରୁଜୁ ହୋଇ ତଦନ୍ତ ଜାରିରହିଛି ।